ବିଜଦକୁ ନବକଳେବର ଡର:ପୂର୍ବରୁ ବଦଳିଛି ସରକାର, ଏଥର ପାଳି କି ନବୀନଙ୍କର?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ନବକଳେବରକୁ ଆଉ ୪ମାସ ପରେ ହୋଇଯିବ ୪ବର୍ଷ । ନବକଳେବର ବିଭ୍ରାଟକୁ ନେଇ ଏପର୍ଯ୍ୟନ୍ତ ସରକାର କୌଣସି ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରିବାକୁ ଚାହୁଁ ନାହାନ୍ତି ସରକାର । କାହାକୁ ଘଣ୍ଟ ଘୋଡ଼ାଉଛନ୍ତି, ତାହା ଖୋଦ୍‌ କାଳିଆ ଜାଣିଥିବେ । ଶ୍ରୀମନ୍ଦିର ରତ୍ନଭନ୍ଦାର ଚାବି ହଜିବା ଘଟଣାର ତଦନ୍ତ ସକାଶେ ସରକାର ଜଷ୍ଟିସ୍‌ ରଘୁବୀର ଦାସଙ୍କୁ ଦାୟିତ୍ୱ ଦେଇଥିଲେ । ନକଲି ଚାବି ମିଳିବା ଏବଂ ରତ୍ନଭନ୍ଦାରକୁ ନେଇ ସନେ୍ଦହ ସୃଷ୍ଟି ହେବା ବାବଦରେ କମିଶନ ସରକାରଙ୍କୁ ରିପୋର୍ଟ ଦେଇସାରିଥିଲେ ହେଁ, ତାହାକୁ ମଧ୍ୟ ସାର୍ବଜନୀନ କରୁନାହାନ୍ତି ସରକାର । ଶ୍ରୀମନ୍ଦିରକୁ ନେଇ ଯାବତୀୟ କେଳେଙ୍କାରୀକୁ ଲୁଚେଇବାକୁ ଚାହାନ୍ତି ନବୀନ । ଏମିତି ଅବସ୍ଥାରେ ଏବେ କିନ୍ତୁ ପୁଣି ନବକଳେବରକୁ ନେଇ ରାଜନୈତିକ ଚର୍ଚ୍ଚା ମୁନ୍ଦ ଟେକିଲାଣି ।
ଆଗକୁ ଆସୁଛି ନିର୍ବାଚନ । ଏହି ନିର୍ବାଚନ ଫଳ ଉପରେ ନବକଳେବର କିଛି ପ୍ରଭାବ ପକାଇବ କି? ଏପରି ଧାରଣା ସୃଷ୍ଟି ହେବା ମୂଳରେ ରହିଛି, ପୂର୍ବରୁ ଯେତେଥର ତିନିଠାକୁରଙ୍କ ନବକଳେବର ହୋଇଛି, ସେତେଥର ପରବର୍ତ୍ତୀ ନିର୍ବାଚନରେ ସରକାର ବିଦା ହୋଇଯାଇଛନ୍ତି । ୨୦୧୫ରେ ନବକଳେବର ବହୁ ବିଭ୍ରାଟ ମଧ୍ୟରେ ହୋଇଥିଲା । ୨୦୧୯ ନିର୍ବାଚନରେ ଇତିହାସର ପୁନରାବୃତ୍ତି ଘଟିବ ନା ନବୀନ ପଟନାୟକ ଇତିହାସକୁ ବଦଳାଇ ଦେବେ, ସେନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି ।
୧୯୧୨, ୧୯୩୧ ଏବଂ ୧୯୫୦ରେ ନବକଳେବର ହୋଇଥିବା ବେଳେ ଓଡ଼ିଶାରେ ବିଧିବଦ୍ଧ ସାମ୍ବିଧାନିକ ସରକାର ଗଠିତ ହୋଇ ନଥିଲା । ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ୧୯୬୯ ଜୁଲାଇରେ ତିନିଠାକୁରଙ୍କର ନବକଳେବର ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ । କିନ୍ତୁ ତାଙ୍କ ମନ୍ତ୍ରିମନ୍ଦଳ ୧୯୭୧ରେ ଭାଙ୍ଗିଯାଇଥିଲା । ପରବର୍ତ୍ତୀ ନିର୍ବାଚନରେ ସିଂହଦେଓଙ୍କ ସ୍ୱତନ୍ତ୍ର ଦଳ ସରକାର ଗଠନ କରିପାରି ନଥିଲା ।
୧୯୭୭ ଜୁଲାଇରେ ପୁଣି ପଡ଼ିଲା ନବକଳେବର । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନୀଳମଣି ରାଉତରାୟ । ସପ୍ତମ ବିଧାନସଭା ୧୯୭୭ ଜୁନ୍‌ ମସିହାରେ ଗଢ଼ାଯାଇଥିଲା । କିନ୍ତୁ ଜନତା ପାର୍ଟି ଭିତରେ ଆଭ୍ୟନ୍ତରୀଣ କନ୍ଦଳ କାରଣରୁ ଏହି ସରକାର ୧୯୮୦ ଫେବୃଆରୀରେ ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ନିର୍ବାଚନରେ ଜନତା ପାର୍ଟି ଆଉ କ୍ଷମତାକୁ ଆସିଲା ନାହିଁ । ଏହାପର ଠାରୁ ଜନତା ପାର୍ଟି ଓଡ଼ିଶାରୁ ଉଭେଇ ଗଲା ।
୧୯୯୬ ଜୁଲାଇରେ ପୁଣି ହେଲା ନବକଳେବର । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ କଂଗ୍ରେସର ଜାନକୀ ବଲ୍ଲଭ ପଟ୍ଟନାୟକ । କଂଗ୍ରେସ ୫ବର୍ଷ କ୍ଷମତାରେ ଥିଲେ ମଧ୍ୟ ତିନିଜଣ ମୁଖ୍ୟମନ୍ତ୍ରୀ କ୍ଷମତାରେ ଥିଲେ । ଜାନକୀଙ୍କ ପରେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପରେ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦ୍ୱାଦଶ ବିଧାନସଭା ୨୦୦୦ ମସିହା ମାର୍ଚ୍ଚରେ ଗଢ଼ା ହୋଇଥିଲା । କିନ୍ତୁ କଂଗ୍ରେସ କ୍ଷମତାକୁ ଫେରିପାରିଲା ନାହିଁ । ୧୯ବର୍ଷ ଇତି ମଧ୍ୟରେ ହୋଇଗଲା । କଂଗ୍ରେସ କ୍ଷମତାରୁ ବାହାରେ ରହିଲା ।
ଶେଷ ନବକଳେବରଟି ହୋଇଛି ୨୦୧୫ରେ । ସରକାରରେ ଅଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନ ପଟନାୟକ । ପୂର୍ବର ତିନିଟି ସରକାର ଅମଳରେ ହୋଇଥିବା ନବକଳେବର ପରେ ସେହି ଦଳର ସରକାର ଆଉ କ୍ଷମତାକୁ ଫେରି ନାହିଁ । ସ୍ୱତନ୍ତ୍ର ଦଳ ଓ ଜନତା ପାର୍ଟି ସତ୍ତା ହରାଇସାରିଛି । କଂଗ୍ରେସ ୧୯ବର୍ଷ ହେଲା କ୍ଷମତାରୁ ଦୂରେଇ ରହିଛି । ଏବେ ଦେଖିବାକୁ ଅପେକ୍ଷା, ଯେଉଁ ନବକଳେବର ପ୍ରଭାବ ପୂର୍ବ ସରକାର ଏବଂ ଦଳକୁ ଏଭଳି ଅପଦସ୍ତ କରିଛି, ତାହା ନବୀନ ଏବଂ ବିଜଦ କ୍ଷେତ୍ରରେ ପୁନରାବୃତ୍ତି ହେଉଛି କି ନାହିଁ? ଯଦି ହୁଏ, ଜଣାପଡ଼ିବ ନବକଳେବର ସହ ସରକାରର ଏକ ଘନିଷ୍ଠ ସମ୍ପର୍କ ଅଛି । କିନ୍ତୁ ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରେ, ତେବେ ଧରି ନେବାକୁ ହେବ ଯେ, ପୂର୍ବ ଘଟଣାଗୁଡ଼ିକ ସହ ନବକଳେବରର କୌଣସି ସମ୍ପର୍କ ନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*