ବାୟୁ ପ୍ରଦୂଷଣ ୫ଲକ୍ଷରୁ ବେଶୀ ଲୋକଙ୍କ ଜୀବନହାନିର କାରଣ ବନିଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

୫ଲକ୍ଷରୁ ବେଶୀ ଲୋକ ଅକାଳରେ ପ୍ରାଣ ହରାଇଛନ୍ତି ୨୦୧୬ ମସିହାରେ । ବାହ୍ୟ ବାୟୁ ପ୍ରଦୂଷଣ କାରଣରୁ ସେମାନଙ୍କ ଜୀବନ ଯାଇଛି । ତା’ ଭିତରୁ ୯୭ ହଜାରରୁ ବେଶୀ ଲୋକ କୋଇଲା ଜଳିବାରୁ ଉତ୍ପନ୍ନ ପ୍ରଦୂଷଣ କାରଣରୁ ପ୍ରାଣ ହରାଇଥିବାର ତଥ୍ୟ ଗୁରୁବାର ରିଲିଜ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି । ‘ଦ ଲାନ୍‌ସେଟ କାଉଣ୍ଟଡାଉନ୍‌ ୨୦୧୯’ ଯାହା ସ୍ୱାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପର୍ଯ୍ୟବସିତ ସେହି ରିପୋର୍ଟରେ ଭାରତକୁ ଖାସ୍‌ କରି ସତର୍କ କରାଯାଇଛି ଯେ ଯଦି ଏହା କୋଇଲାକୁ ଶକ୍ତି ଉତ୍ପାଦନ ଲାଗି ବ୍ୟବହାର ବନ୍ଦ ନକରେ ତା’ହେଲେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡ଼ିବ । ଅତିଶୀଘ୍ର କୋଇଲା ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି କାମ ହେବା ଜରୁରୀ ବୋଲି ଏଥିରେ ଦର୍ଶାଯାଇଛି । ପ୍ୟାରିସ୍‌ ଚୁକ୍ତିନାମା ମଧ୍ୟ ଏହା କରିବାକୁ ବାଧ୍ୟ କରୁଛି । ୨୦୧୬ରୁ ୨୦୧୮ ମଧ୍ୟରେ କୋଇଲାରୁ ଶକ୍ତି ଉତ୍ପାଦନ ହାର ୧୧ ପ୍ରତିଶତ ଭାରତରେ ବଢ଼ିଛି । ୨୦୧୬ରେ ୫.୨୯ ଲକ୍ଷ ଲୋକ ବାହ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଇଥିବା ଏଥିରେ କୁହାଯାଇଛି । ସେଥିମଧ୍ୟରୁ ୯୭,୪୦୦ ମୃତୁ୍ୟ କୋଇଲା ଜଳାଯିବା ଯୋଗୁଁ ହୋଇଥିବା ପ୍ରଦୂଷଣ କାରଣରୁ ହୋଇଥିବାର ତଥ୍ୟ ମଧ୍ୟ ଏଥିରେ ଦିଆଯାଇଛି । ୩୫ଟି ବିଶ୍ୱସ୍ତରୀୟ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏହି ସର୍ଭେ କରାଯାଇ ବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର । ଏହା କରାଗଲେ ଜଳବାୟୁ ପରିବର୍ତ୍ତନରେ ପ୍ରଭାବ ଆସିବ ତଥା ବାୟୁ ପ୍ରଦୂଷଣର ମାତ୍ରା ଢେର କମିବ । ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟ ପରେ କୋଇଲା ହେଉଛି ଦ୍ୱିତୀୟ ବଡ଼ ଜିନିଷ ଯାହା ବିଶ୍ୱକୁ ଶକ୍ତି ପ୍ରଦାନକାରୀ ଭାବେ ଉଭା ହୋଇଛି । ବିଦୁ୍ୟତ୍‌ ଉତ୍ପାଦନରେ କୋଇଲାର ପ୍ରତିଶତ ୩୮ ରହିଥିଲା ବେଳେ ଗ୍ୟାସ୍‌ରୁ ବିଦୁ୍ୟତ୍‌ ଉତ୍ପାଦନ ୨୩ ପ୍ରତିଶତ ହେଉଛି । ଚୀନ, ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବିଦୁ୍ୟତ୍‌ ଉତ୍ପାଦନ ପାଇଁ କୋଇଲା ହିଁ ଅଧିକ ବ୍ୟବହାର କରାଯାଉଛି । ସ୍ୱିଜରଲ୍ୟାନ୍ଦର ଏକ ପ୍ରତିଷ୍ଠାନ ପକ୍ଷରୁ ନିକଟରେ କରାଯାଇଥିବା ଆଉ ଏକ ସର୍ଭେରେ କୁହାଯାଇଥିଲା, ଚୀନ୍‌ ଏବଂ ଆମେରିକା କୋଇଲାରୁ ଅଧିକ ବିଦୁ୍ୟତ୍‌ ଶକ୍ତି ଉତ୍ପାଦନ କରୁଛନ୍ତି । ହେଲେ ଭାରତର ଥର୍ମାଲ ପାୱାର କେନ୍ଦ୍ରଗୁଡ଼ିକ ସ୍ୱାସ୍ଥ୍ୟ କଥା ଦେଖିଲେ ସବୁଠାରୁ ଅଧିକ ଖରାପ ପ୍ରଭାବ ପକାଉଛନ୍ତି । କୋଇଲା ଜଳାଇ ଶକ୍ତି ଉତ୍ପାଦନ କରୁଥିବା କେନ୍ଦ୍ରଗୁଡ଼ିକ ଦ୍ୱାରା ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍‌ ବିଶ୍ୱ ତାପମାତ୍ରା ବୃଦ୍ଧିର ବଡ଼ କାରଣ ସାଜିଛି । କେବଳ କାର୍ବନ ଡାଇଅକ୍‌ସାଇଡ୍‌ ନୁହେଁ କୋଇଲା ଜଳିବା କାରଣରୁ ସଲଫର ଡାଇଅକ୍‌ସାଇଡ୍‌ ଏବଂ ନାଇଟ୍ରୋଜେନ ଅକ୍‌ସାଇଡ୍‌ ମଧ୍ୟ ରିଲିଜ ହୋଇଥାଏ । ଯାହା ଲୋକଙ୍କ ସ୍ୱାସ୍ଥ୍ୟହାନିର ବନିଛି ବଡ଼ କାରଣ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*