ବାହାହବାକୁ ନିହାରିକା ମନା କଲା, ମାରିଦେଲି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଜଗତସିଂହପୁର

ପରସ୍ପର ଭଲ ପାଉଥିଲେ । ଏହି ଭଲପାଇବା ଦିନକର ନୁହେଁ କି ବର୍ଷକର ନୁହେଁ, ୫ବର୍ଷର । ଚାକିରି ବାକିରି କରି ସୁଖରେ ସଂସାର ଗଢ଼ିବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ । ହେଲେ ରୋଜଗାର କରୁନଥିବା ପ୍ରେମିକଙ୍କ ଏକାଜିଦ୍‌ ଥିଲା ବିବାହ କରିବାକୁ । ମାତ୍ର ଏଥିରେ ରାଜି ନଥିଲେ ପ୍ରେମିକା । ଚାକିରି ପରେ ବିବାହର କଥା ପ୍ରେମିକା କହୁଥିଲେ ମଧ୍ୟ ଗ୍ରହଣ କରୁନଥିଲେ ପ୍ରେମିକ । ଆଉ ଶେଷରେ ବିଶ୍ୱାସର ସହ ସାଙ୍ଗର ରୁମ୍‌କୁ ଡାକି ତଣ୍ଟିଚିପି ହତ୍ୟା କରିବା ସହ ବସ୍ତାରେ ବାନ୍ଧି ଫିଙ୍ଗିଦେଇଥିଲେ ନଦୀପଠାରେ । ବହୁଚର୍ଚ୍ଚିତ ନର୍ସ ନିହାରିକାଙ୍କ ହତ୍ୟା ଘଟଣା ଉପରେ ଶନିବାର ପରଦା ଉଠାଇଛି ପୁଲିସ । ଅଭିଯୁକ୍ତ ପ୍ରେମିକ କିଶୋର ଅଞ୍ଚଲ ଓରଫ ରାଜାକୁ ଗିରଫ କରି ଜେଲ୍‌ ପଠାଇଛି ପୁଲିସ ।
ଶୁକ୍ରବାର ବିରିଡି ଥାନାରେ ରାଜା ଆତ୍ମସମର୍ପଣ କରିବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ୍‌ ପଚରାଉଚରା କରୁଥିବା ଜଣାପଡିଥିଲା । କଟକ ଠାରୁ କିଛି ଦୂରରେ ଥିବା ଏକ ସରକାରୀ ବଙ୍ଗଳାରେ ରାଜାକୁ ଜେରା କରାଯାଇଥିଲା । ପୁଲିସ୍‌ ରାଜା ଠାରୁ ବୁଝିବାକୁ ଚେଷ୍ଟା କରିଥିଲା ଯେ, ଶେଷ ଥର ପାଇଁ ନିହାରିକା ସହ ସେ କେଉଁ ଆଡେ ଯାଇଥିଲେ, ହତ୍ୟାକାନ୍ଦ ସହ ସଂପୃକ୍ତି କ’ଣ ଇତ୍ୟାଦି? ତେବେ ଶନିବାର ପୁଲିସ୍‌ କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଥିବାର ପ୍ରମାଣ ଥିବା କହିଛି । ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ, କଟକରୁ ମୃତଦେହ ସ୍ଥାନାନ୍ତର ବେଳର ସିସିଟିଭ ଫୁଟେଜ ମିଳିଛି । ମୃତଦେହକୁ ଅଖାରେ ଭର୍ତ୍ତି କରି ବାଇକ୍‌ରେ ନେବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି ।
ଶନିବାର ସାମ୍ବାଦିକ ସମ୍ମିଳନୀରେ ନର୍ସ ନିହାରିକା ପାତ୍ରଙ୍କୁ ତାଙ୍କ ପ୍ରେମିକ ରାଜା ହତ୍ୟା କରିଥିବା କହିଛନ୍ତି ଜଗତସିଂହପୁର ଏସ୍‌ପି ଆର୍‌. ପ୍ରକାଶ । ରାଜାଙ୍କ ବିବାହ ପ୍ରସ୍ତାବକୁ ନିହାରିକା ସ୍ୱୀକାର କରିନଥିବାରୁ ପ୍ରତିଶୋଧ ପରାୟଣ ହୋଇ ରାଜା ହତ୍ୟା କରିବାର ଯୋଜନା କରିଥିଲା । ୫ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲେ ମଧ୍ୟ ରାଜା କିଛି କାମଦାମ କରୁନଥିବାରୁ ନିହାରିକା ଗୁରୁତ୍ୱ ଦେଇନଥିଲେ । ଏହା ବଡ଼ ବାଧିଥିଲା ରାଜାଙ୍କୁ । ନିହାରିକାଙ୍କୁ ଜୀବନରେ ମାରିଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା ରାଜା । ଏଥିପାଇଁ ସେ ସାହାଯ୍ୟ ନେଇଥିଲା ଚାଉଳିଆଗଞ୍ଜରେ ରହୁଥିବା ନିଜ ବନ୍ଧୁ ସୁନିଲଙ୍କର । ହେଲେ ସୁନିଲ ଏହି ଘଟଣାରେ ସଂପୃକ୍ତ ନଥିବା କହିଛନ୍ତି ଏସ୍‌ପି । ସୁନିଲ ନିଜ ଗାଁକୁ ଯିବା କଥା ଜାଣି ରାଜା ତା’ଠାରୁ ଭଡ଼ାଘରର ଚାବି ମାଗିଥିଲା । ୮ ତାରିଖ ଦିନ ରାଜା ନିହାରିକା କାମ କରୁଥିବା ନର୍ସିଂହୋମ୍‌କୁ ଯାଇ ନିହାରିକାଙ୍କୁ ସାଙ୍ଗ ଘରକୁ ଆଣିଥିଲେ । ପରେ ଉଭୟଙ୍କ ମଧ୍ୟରେ ବିବାହ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାଜା ନିହାରିକାଙ୍କ ତଣ୍ଟିକୁ ଚିପି ଦେଇଥିଲେ । ତାଙ୍କର ମୃତୁ୍ୟ ହେବା ପରେ ଏକ ଅଖାରେ ଶବକୁ ବାନ୍ଧି ନିଜ ହୋନ୍ଦା ସାଇନ୍‌ ମୋଟର ସାଇକେଲରେ ଚାଉଳିଆଗଞ୍ଜ ଛକରୁ ନୂଆବଜାର ଦେଇ ବିଲୁଆଖାଇ ନଦୀ ପଠାରେ ପହଞ୍ଚିଥିଲେ । ସେଠାରେ ଶବକୁ ପକାଇ ତା’ ଉପରେ ଗଛଡାଳ ଥୋଇଦେଇଥିଲେ ।

ହେଲେ ୧୦ଦିନ ପରେ ସ୍ଥାନୀୟ ଲୋକେ ଏକ ପଚାସଢ଼ା ଶବ ପଡ଼ିଥିବା ବିଷୟ ପୁଲିସକୁ ଜଣାଇବା ପରେ ପଦାକୁ ଆସିଥିଲା ଘଟଣା । ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜା ନିଜେ ହତ୍ୟା କରିଥିବା ବିଷୟ ସ୍ୱୀକାର କରିଛି । ଉକ୍ତ ଭଡ଼ାଘରର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ରୁ ଅନେକ ତଥ୍ୟ ମିଳିଛି । ଯାହା ପ୍ରମାଣିତ କରୁଛି ଯେ, ରାଜା ହିଁ ହେଉଛି ହତ୍ୟାକାରୀ ।
କିପରି ହୋଇଥିଲା ପ୍ରେମ
ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ର ଓ ପ୍ରତିମା ପାତ୍ରଙ୍କ ଝିଅ ରୁପାଲି ଓରଫ ନିହାରିକା କଟକର ଏକ ଘରୋଇ ନର୍ସିଂହୋମ୍‌ରେ କାମ କରୁଥିଲେ । ନିହାରିକାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଜଗତସିଂହପୁର ଥାନା ବିରିଡ଼ି ଅଞ୍ଚଳରେ ରହୁଥିବାରୁ ଅନେକ ସମୟରେ ନିହାରିକା ଭଉଣୀଙ୍କ ଘରକୁ ଆସୁଥିଲେ । ଏହି ଯିବା ଆସିବା ଭିତରେ ନିହାରିକାଙ୍କର ବିରିଡ଼ି ଥାନା ଅନ୍ତର୍ଗତ ଡୁଡୁରାମ ପାଟଣାର କାର୍ତ୍ତିକ ଚନ୍ଦ୍ର ଅଞ୍ଚଲଙ୍କ ପୁଅ କିଶୋର ଚନ୍ଦ୍ର ଅଞ୍ଚଲ ଓରଫ୍‌ ରାଜାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ପ୍ରେମ ସମ୍ପର୍କରେ ପରିବାର ଲୋକେ ମଧ୍ୟ ଅବଗତ ଥିଲେ । ହେଲେ ନିହାରିକା ଚାହୁଁଥିଲେ ରାଜା ଚାକିରି ବାକିରି କରିବା ପରେ ସୁଖର ସଂସାର ଗଢ଼ିବାକୁ ।
ସେ ଭଲ ପାଉଥିଲା, ମାରିପାରିବନି
ନିହାରିକା ହତ୍ୟାକାନ୍ଦରେ ରାଜାଙ୍କ ସଂପୃକ୍ତିକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ତାଙ୍କ ମା’ । ସେ କହିଛନ୍ତି ଯେ, ଗତ ଶୁକ୍ରବାର ଠାରୁ ରାଜା ଘରେ ନଥିଲା । ଗତକାଲି ପହଞ୍ଚିବା ପରେ ମୁଁ ତାକୁ ଥାନାରେ ଆତ୍ମ ସମର୍ପଣ ପାଇଁ କହିଥିଲି । ତାକୁ ଥାନାକୁ ନେବା ସମୟରେ ହାଜିପୁର ଛକରେ ପୁଲିସ୍‌ ଗାଡିରେ ବସାଇ ଥାନାକୁ ନେଇଥିଲା ।
ସେ କହିଛନ୍ତି ଯେ, ଏହି ଘଟଣା ପଛରେ ମୋ ପୁଅର ଆଦୌ ହାତ ନାହିଁ । ଅନ୍ୟ କେହି ହତ୍ୟା କରି ରାଜା ଉପରେ ଦୋଷ ଲଦିବାର ଚେଷ୍ଟା କରୁଛି । ପୁଲିସ୍‌ ସଠିକ୍‌ ଯାଞ୍ଚ କଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ । ରାଜା ଏବଂ ନିହାରିକାଙ୍କ ବିବାହ ସ୍ଥିର ହୋଇଥିଲା । ସେମାନେ ଡିସେମ୍ବରରେ ବାହା ହୋଇଥାନ୍ତେ । ପ୍ରଥମେ ବିବାହକୁ ନିହାରିକାଙ୍କ ମା’ ମନା କରୁଥିଲେ । ମାତ୍ର ଉଭୟଙ୍କ ଭଲପାଇବାକୁ ଦେଖି ସେ ବିବାହ ପାଇଁ ରାଜି ହୋଇଥିଲେ । ରାଜା ନିହାରିକାଙ୍କୁ ଏତେ ଭଲପାଉଥିଲା ଯେ, ସେ ତାକୁ କଦାପି ମାରିପାରିବ ନାହିଁ । ଏହା ଭିତରେ କିଛିଟା ରହସ୍ୟ ରହିଥିବାର ସନେ୍ଦହ ହେଉଛି ।
ଅଭିଯୁକ୍ତକୁ ଫାଶୀ ହେଉ
ନିହାରିକାଙ୍କ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ହେବା ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ପରିବାର ପାଇଁ ନିହାରିକା ଆର୍ଥିକ ସାହାଯ୍ୟ କରିଆସୁଥିଲେ । ନିହାରିକାଙ୍କ ବାପା ଗଗନ ପାତ୍ର କହିଛନ୍ତି ଯେ ଏବେ କିପରି ପରିବାର ଚଳିବ ତାହା ଆମ ପାଇଁ ଚିନ୍ତାର ବିଷୟ । ନିହାରିକାକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଫାଶୀଦନ୍ଦ ମିଳିଲେ ତା’ର ଆତ୍ମା ଶାନ୍ତି ପାଇବ ।
ଜେଲ୍‌ ଗଲା ରାଜା
ଶୁକ୍ରବାର ଆତ୍ମସମର୍ପଣ ପରେ ରାଜାକୁ ଅଜଣା ସ୍ଥାନକୁ ନେଇ ପଚରାଉଚରା କରିଥିଲା ପୁଲିସ । ପରେ ରାଜା ହତ୍ୟା କରିଥିବା ଘଟଣା ସ୍ୱୀକାର କରିଥିବା ପୁଲିସ ସୂଚନା ଦେବା ପରେ ରାଜାକୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ରାଜାକୁ ଆଳିପିଙ୍ଗଳ ଜେଲ୍‌ ପଠାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*