ବାବା ନିତ୍ୟାନନ୍ଦ ଦେଶରୁ ପାର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ଅହମ୍ମଦାବାଦ

ବନ୍ଧା ହେବା ଆଗରୁ ଦେଶରୁ ଫେରାର ହେବାର ଧାରା ଜାରି ରହିଛି । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ବାବାମାନଙ୍କ ପର୍ଯ୍ୟନ୍ତ ଅନେକ ଭାରତରେ ଆଇନର ଜାଲରୁ ମୁକୁଳିବା ପାଇଁ ସମୟ ଉନ୍ଦି ବାଟ କାଟୁଛନ୍ତି । ଏହି ଧାରାରେ ଏବେ ସାମିଲ ହୋଇଛନ୍ତି ବିବାଦୀୟ ସ୍ୱୟଂଭୁ ବାବା ନିତ୍ୟାନନ୍ଦ । ଏହି ବାବା ପୂର୍ବରୁ ସେକ୍ସ ସ୍କାନ୍ଦାଲରେ ଫସିଛନ୍ତି । ଜଣେ ଅଭିନେତ୍ରୀ ତାଙ୍କୁ ବେଡ୍‌ରୁମ୍‌ରେ ତେଲ ମାଲିସ୍‌ କରୁଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ସେ ଅନେକ ବିବାଦୀୟ ବୟାନ ଦେଇଥିଲେ । ସଦ୍ୟତମ ମାମଲାରେ ନିଜ ଆଶ୍ରମରେ ନାବାଳିକାଙ୍କୁ ବନ୍ଧକ ବନାଇଥିବାର ଖବର ଆସିଥିଲା ଏବଂ ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ମାତ୍ର ବାବା ନିତ୍ୟାନନ୍ଦ ଏବେ ପାର୍‌ ।
ଗୁଜୁରାଟ ପୁଲିସ ପକ୍ଷରୁ ଆଶ୍ରମରେ ନାବାଳିକା ଓ ନାବାଳକଙ୍କୁ ବନ୍ଧକ ବନାଇଥିବା ଅଭିଯୋଗରେ ନିତ୍ୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଶ୍ରମରୁ ୨ ଜଣ ମହିଳା କର୍ମଚାରୀଙ୍କୁ ଗିରଫ କରିବା ପରେ ନିତ୍ୟାନନ୍ଦ ଦେଶ ଛାଡ଼ିଦେଇଥିବା ପ୍ରମାଣ ମିଳିଛି । ସେ ତ୍ରିନିଦାଦ ଆନ୍ଦ ଟୋବୋବୋରେ ଥିବା କଥା କୁହାଯାଉଛି । ପୁଲିସ ପକ୍ଷରୁ ନିତ୍ୟାନନ୍ଦଙ୍କୁ ପ୍ରତ୍ୟାର୍ପଣ ପାଇଁ ବିଦେଶ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯିବ ବୋଲି କୁହାଯାଇଛି । ପୂର୍ବରୁ କର୍ଣ୍ଣାଟକରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ରହିଛି । ଏ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ କୁମାର ଗୁରୁବାର କହିଛନ୍ତି ଯେ, ନିତ୍ୟାନନ୍ଦ ଭାରତରୁ ଫେରାର ହୋଇଯାଇଥିବା ଘଟଣା ସମ୍ପର୍କରେ ପୁଲିସ କିମ୍ବା ଗୃହ ମନ୍ତ୍ରଣାଳୟ ନିକଟରେ କୌଣସି ସୂଚନା ନାହିଁ । ସେ କେଉଁ ଦେଶରେ ଅଛନ୍ତି ତାହା ମଧ୍ୟ ଜଣାନାହିଁ । ଏ ସମ୍ପର୍କରେ ଆମେ ତଥ୍ୟ ସଂଗ୍ରହ କରୁଛୁ, ପରେ ନିତ୍ୟାନନ୍ଦଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ ହେବ ।
ନିତ୍ୟାନନ୍ଦଙ୍କ ଉପରେ ଅଭିଯୋଗ ରହିଛି ଯେ, ନିଜ ଆଶ୍ରମ ଯୋଗୀନି ସର୍ବଜ୍ଞାନ ପୀଠକୁ ଚଳାଇବା ପାଇଁ ଚାନ୍ଦା ସଂଗ୍ରହରେ ସେ ନାବାଳାକ ଓ ନାବାଳିକାଙ୍କୁ ବ୍ୟବହାର କରୁଥିଲେ । ତାଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ଅହମ୍ମଦାବାଦର ଜନାର୍ଦ୍ଦନ ଶର୍ମା ନାମକ ଜଣେ ବ୍ୟକ୍ତି ମାମଲା ଦାଏର କରିବା ସହ କହିଥିଲେ ଯେ, ମୋ ଝିଅ ତାଙ୍କ ଆଶ୍ରମରେ ବନ୍ଧକ ଅଛି । ଏହାପରେ ବୁଧବାର ପୁଲିସ ନିତ୍ୟାନନ୍ଦଙ୍କ ଆଶ୍ରମରେ ଚଢାଉ କରି ୨ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ଆଶ୍ରମର ଦୁଇ ମହିଳା କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଶ୍ରମରୁ ୪ଟି ଲାପ୍‌ଟପ୍‌, ୪୩ ଟ୍ୟାବଲେଟ୍‌, ପେନ୍‌ଡ୍ରାଇଭ, ମୋବାଇଲ ଫୋନ୍‌ ଜବତ ହୋଇଛି । ଅହମ୍ମଦାବାଦ ଏସ୍‌ପି କହିଛନ୍ତି ଯେ, ନିତ୍ୟାନନ୍ଦ ଦେଶରେ ନାହାନ୍ତି । ତାଙ୍କୁ ଖୋଜିବାରେ ସମୟ ବରବାଦ କରିବା ଅପେକ୍ଷା କିପରି ଆଇନଗତ ଧାରାରେ ତାଙ୍କୁ ବିଦେଶରୁ ଅଣାଯିବ ସେଥିପ୍ରତି ଉଦ୍ୟମ କରାଯିବ । ତାଙ୍କର ୨ ସହଯୋଗୀ ମା’ ନିତ୍ୟ ପ୍ରାଣପ୍ରିୟା ନନ୍ଦା(୩୦) ଏବଂ ମା’ ନିତ୍ୟ ପ୍ରିୟାତତ୍ୱା ନନ୍ଦା (୨୪)ଙ୍କୁ କୋର୍ଟ ୫ ଦିନର ରିମାନ୍ଦ ଅନୁମତି ଦେଇଛନ୍ତି ।
ଏହି ଘଟଣାରେ ଡିପିଏସ୍‌ର ପ୍ରିନ୍ସପାଲ ହିତେଶ ପୁରୀଙ୍କୁ ଗିରଫ କରାଯାଇଛି । ସିବିଏସ୍‌ଇ ପକ୍ଷରୁ ଅହମ୍ମଦାବାଦରେ ନିତ୍ୟାନନ୍ଦ ଆଶ୍ରମ ପାଇଁ ସ୍କୁଲ ଜମି ନିମନ୍ତେ ବିନା ଅନୁମତି ପଟ୍ଟାରେ ହୋଇଥିବା ନିର୍ମାଣକୁ ନେଇ ଗୁଜୁରାଟ ଶିକ୍ଷା ବିଭାଗକୁ ରିପୋର୍ଟ ମଗାଯାଇଛି । ସିବିଏସ୍‌ଇର ଜଣେ ଅଧିକାରୀ କହିଛନ୍ତି ଯେ, ବୋର୍ଡର ବିନା ଅନୁମତିରେ ନିତ୍ୟାନନ୍ଦ ଆଶ୍ରମକୁ କିପରି ଜମି ଦିଆଗଲା ତାହାର ତୁରନ୍ତ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏଥିରୁ ଜଣାପଡ଼ୁଛି ଯେ, ନିତ୍ୟାନନ୍ଦ ଜମି ଦୁର୍ନୀତି ମାମଲାରେ ମଧ୍ୟ ଜଡ଼ିତ ଅଛନ୍ତି । ତେବେ ସେ କିପରି ଭାରତରୁ ଫେରାର୍‌ ହେଲେ ତା’ର ସୂଚନା କାହା ନିକଟରେ ନାହିଁ । ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଭନ୍ଦ ବାବା ନିତ୍ୟାନନ୍ଦଙ୍କୁ ଭାରତ ଫେରାଇ ଅଣାଯାଉ ବୋଲି ଦାବି ଜୋର ଧରିଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*