ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ୯ ମୃତ ମମତା ବାତିଲ କଲେ ଗସ୍ତ, ପ୍ରଧାନମନ୍ତ୍ରୀ ସହାୟତା ଦେବାକୁ ଦେଲେ ପ୍ରତିଶ୍ରୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକତା

ବାତ୍ୟା ବୁଲ୍‌ବୁଲ୍‌ ଶନିବାର ରାତିରେ ପଶ୍ଚିମବଙ୍ଗର ସୁନ୍ଦରବନ୍‌ଠାରେ ଲ୍ୟାନ୍ଦଫଲ୍‌ କରିବା ସହ ରବିବାର ଭୋର୍‌ ସମୟରେ ପ୍ରାୟ ୯ଟି ଜିଲାରେ ଏହା ତାଣ୍ଡବଲୀଳା ରଚିଥିଲା । ପ୍ରବଳ ପବନ ସାଙ୍ଗକୁ ବର୍ଷା କାରଣରୁ ରାଜ୍ୟର ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ଜନଜୀବନ ଖୁବ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି । ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ବକଖାଲି, ଫ୍ରେଜରଗଞ୍ଜ, ସନ୍ଦେଶଖାଲୀ, ଝଡଖାଲି, ନନ୍ଦୀଗ୍ରାମ, ନୟାଚର ଏବଂ ଖେଜୁରୀ ଅଞ୍ଚଳରେ ପଡିଛି । ଝଡ ଯୋଗୁ ପଶ୍ଚିମବଙ୍ଗରେ କେବଳ ୯ଜଣଙ୍କର ମୃତ୍ୟୁ ହୋଇଛି । କେବଳ ୨୪ ପରଗଣାର ବଶୀରହାଟ ଅଞ୍ଚଳରେ ୫ଜଣଙ୍କ ଜୀବନହାନୀ ହୋଇଛି । ମୃତ ୬ଜଣଙ୍କୁ ସୁଚିତ୍ରା ମନ୍ଦଳ(୭୦), ରେବା ବିଶ୍ୱାସ(୪୭), ମନିରୁଲ ଗାଜୀ(୫୯), ସୁଦୀପ ଭକ୍ତ(୧୫), ସୁଜାତା ସାସ ଏବଂ ସମୀର ମଜୁମଦାର ଭାବେ ଚିହ୍ନଟ କରାଯାଇଛି । ସନ୍ଦେଶଖାଲୀ ଏବଂ ହଗଲଗଞ୍ଜ ଅଞ୍ଚଳରେ ଗଛ ପଡିବା ଯୋଗୁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂତ୍ରରୁ ପ୍ରକାଶ । ଏହାଛଡା ପଶ୍ଚିମ ମେଦିନପୁରଠାରେ ବିଦ୍ୟୁତ୍‌ ଖୁଣ୍ଟ ଚାପରେ ମନିରୁଲ ଗାଜିଙ୍କ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାତ୍ୟା ବୁଲ୍‌ ବୁଲ୍‌ ଯୋଗୁ ପଶ୍ଚିମବଙ୍ଗର ୯ ଜିଲ୍ଲାର ୩ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଗଛ ଏବଂ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଛି । ରବିବାର ଡ୍ରୋନ୍‌ ସହାୟତାରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ନୀରିକ୍ଷଣ କରାଯାଇଛି ।
ବାତ୍ୟା ବୁଲ୍‌ବୁଲ୍‌ କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହର ଉତ୍ତର ବେଙ୍ଗଲ୍‌ ଗସ୍ତକୁ ରଦ୍ଦ କରିଦେଇଛନ୍ତି । ଏକଥା ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସୋମବାର ସେ ବକଖାଲୀର ଆଖପାଖ ଅଞ୍ଚଳର ଆକାଶମାର୍ଗରୁ ସର୍ବେକ୍ଷଣ କରିବେ । ଏହାପରେ ସେ ଝଡ ପ୍ରଭାବିତ ଲୋକଙ୍କୁ ଥଇଥାନ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ ପ୍ରଶାସନ ସହ କାକଦ୍ୱୀପଠାରେ ବୈଠକ କରିବେ । ବୁଧବାର ସେ ଉତ୍ତର ୨୪ ପରଗଣାର ବଶୀରହାଟର ଝଡ ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବେ ବୋଲି ମଧ୍ୟ ମମତା ଟ୍ୱିଟ୍‌ କରିଥିଲେ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍‌ ଶାହା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍‌ କରି ବୁଲ୍‌ବୁଲ୍‌ ଜନିତ କ୍ଷୟକ୍ଷତି ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟକୁ ସବୁପ୍ରକାର ସାହାଯ୍ୟ ପ୍ରଦାନ ପାଇଁ ମମତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ରାସ୍ତାରେ ପଡିଥିବା ଗଛଗୁଡିକୁ କୋଲକତା ନଗର ନିଗମ, ପୁଲିସ୍‌, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ୍‌ ବାହିନୀର ସହାୟତାରେ ହଟାଯାଉଛି । ସେହିପରି ବହୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିବା ଯୋଗୁ ବନ୍ଦ ହୋଇଯାଇଥିବା ବିଦ୍ୟୁତ୍‌ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆଯାଉଛି ।
ଅନ୍ୟପଟେ ଓଡିଶାରେ ବାତ୍ୟା ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ୍‌ କରିନଥିଲେ ହେଁ ଏହାର ପ୍ରଭାବରେ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକଙ୍କର ହଜାର ହଜାର ଏକର୍‌ ଫସଲ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ, ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ କେନ୍ଦ୍ରାପଡାରେ ଜଣେ ଲୋକଙ୍କର ପ୍ରାଣହାନୀ ହୋଇଛି । ପଶ୍ଚିମବଙ୍ଗରେ ତାନ୍ଦବ ରଚି ଇତିମଧ୍ୟରେ ବାତ୍ୟା ବୁଲ୍‌ବୁଲ୍‌ ବାଂଲାଦେଶ ଆଡକୁ ଚାଲିଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*