ବାଂଲାଦେଶର ବୁରିଗଙ୍ଗା ନଦୀରେ ଡଙ୍ଗାବୁଡି: ୩୨ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଢାକା

ସ୍ଥାନୀୟ ବୁରିଗଙ୍ଗା ନଦୀରେ ସୋମବାର ଏକ ଡଙ୍ଗା ବୁଡିଯିବାରୁ ଏଥିରେ ଥିବା ୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟିରେ ୫୦ରୁ ଊଦ୍ଧ୍ୱର୍ ଲୋକ ବସିଥିବା କୁହାଯାଉଥିବାବେଳେ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେହିପରି କିଛି ଲୋକ ପହଁରି ନିଜ ଜୀବନ ବଞ୍ଚାଇଥିବାବେଳେ ଆଉ କିଛି ଲୋକଙ୍କୁ ସ୍ଥାନୀୟ ଲୋକ ପାଣିରୁ ବାହାର କରି ଜୀବନ ବଞ୍ଚାଇଥିଲେ । ଏମଏଲ ମର୍ଣ୍ଣିଂ ବାର୍ଡ ନାମକ ଉକ୍ତ ଡଙ୍ଗାଟି ଆଉ ଏକ ଲଞ୍ଚ ମୋୟର-୨ ସହ ମୁହାଁମୁହିଁ ହେବା ପରେ ଓଲଟି ପଡିଥିଲା । ଏମଏଲ ମର୍ଣ୍ଣିଂ ବାର୍ଡ ଡଙ୍ଗାଠି ମୋୟର-୨ଠାରୁ ଆକାରରେ ଛୋଟ ହୋଇଥିବାରୁ ଏହା ବୁଡିଯାଇଥିଲା । ସେହିପରି ଉଦ୍ଧାର କରାଯାଇଥିବା ଶବଗୁଡିକୁ ଏପର୍ଯ୍ୟନ୍ତ ଚିହ୍ନ କରାଯାଇପାରିନାହିଁ । ଏହାଛଡା ଏପର୍ଯ୍ୟନ୍ତ କେତେ ଲୋକ ନିଖୋଜ ଅଛନ୍ତି ଏବଂ କେତେ ଲୋକଙ୍କୁ ଉଦ୍ଧାର କରାଯାଇଛି, ସେବାବଦରେ ମଧ୍ୟ ସୂଚନା ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ନିଖୋଜ ଥିବା ଲୋକଙ୍କୁ ଉଦ୍ଧାରକାରୀ ଦଳ ସନ୍ଧାନ କରୁଥିବା ଜଣାପଡିଛି । ଏହି ଦୁର୍ଘଟଣା ସୋମବାର ସକାଳ ୯.୧୫ ସମୟରେ ସ୍ଥାନୀୟ ଶ୍ୟାମବଜାର ଅଞ୍ଚଳରେ ଘଟିଥିଲା । ଘଟଣା ସଂପର୍କରେ ବାଂଲାଦେଶ ଇନଲାନ୍ଦ ୱାଟର ଟ୍ରାନ୍ସପୋର୍ଟ ଅଥୋରିଟୀ (ବିଆଇଡବ୍ଲୁ୍ୟଟିଏ) ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବେ ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟିରେ ସର୍ବାଧିକ ୪୫ ଜଣ ଯାତ୍ରୀ ବସିପାରିବାକୁ ଥିବାବେଳେ ଏଥିରେ ତାଠାରୁ ଅଧିକ ଲୋକ ବସିଥିଲେ । ପ୍ରଧାନମନ୍ତ୍ରୀ ଶେଖ ହାସିନା ଏତେସଂଖ୍ୟକ ଲୋକଙ୍କ ମୃତୁ୍ୟ ପାଇଁ ଦୁଃଖପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*