ବର୍ଷେ, ୩ ମାସ ଓ ୬ ଦିନ ପରେ ମଧ୍ୟପ୍ରଦେଶରେ ପୁଣି ଶିବରାଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଭୋପାଳ

ପୁରା ବର୍ଷେ, ୩ ମାସ ଓ ୬ ଦିନ ପରେ ଶିବରାଜ ସିଂହ ଚୌହାନ ସୋମବାର ପୁଣିଥରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ବନିଛନ୍ତି । ସେ ରାତି ୯ଟାବେଳେ ରାଜ୍ୟର ୩୨ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବ ମାତ୍ର ୬ ମିନିଟ୍‌ ଯାଏ ଚାଲିଥିଲା । ଶପଥ ଗ୍ରହଣ ପରେ ସେ ଏହା ଉତ୍ସବର ସମୟ ନୁହେଁ ବୋଲି ନିଜ ସମର୍ଥକମାନଙ୍କୁ କହିଥିଲେ । ସେ ଆହୁରି କହିଥିଲେ ଯେ, ସାଧାରଣତଃ ଶପଥ ପରେ ଖୁସିରେ ସମସ୍ତେ ହାତ ମିଳାଇଥାନ୍ତି । ହେଲେ ଆଜି ପରିସ୍ଥିତି ଭିନ୍ନ ଅଟେ । କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ହାତ ମିଳାଇବା, ପୁଷ୍ପଗୁଚ୍ଛ ସ୍ୱୀକାର କରିବା ଆଦୌ ଠିକ୍‌ ହେବ ନାହିଁ ବୋଲି ସେ କହିଥିଲେ । ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଦେଖାଦେଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆପଣ ଜନତା କର୍ଫୁ୍ୟ ସଫଳଭାବେ ପାଳନ କରିଛନ୍ତି । ଏବେ ଆମର ବୟୋଜ୍ୟେଷ୍ଠଙ୍କ ଧ୍ୟାନ ରଖିବା ଏବଂ ନିୟମକୁ ପାଳନ କରିବା ହେଉଛି ଆମର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ତେଣୁ ଏବେ ମୋର ମୁଖ୍ୟ ପ୍ରାଥମିକତା ହେଉଛି କୋଭିଡ୍‌-୧୯କୁ ରୋକିବା, ଏହାପରେ ଯାଇ ଅନ୍ୟ କଥା ବୋଲି ସେ ପରେ ଏକ ଟୁଇଟ୍‌ ମଧ୍ୟ କରିଥିଲେ ।
ଶିବରାଜ ମଧ୍ୟପ୍ରଦେଶ ଇତିହାସରେ ପ୍ରଥମ ନେତା, ଯିଏ ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୦୫ରୁ ୨୦୧୮ ପର୍ଯ୍ୟନ୍ତ ଲଗାତାର ୧୩ ବର୍ଷ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଗତ ମାର୍ଚ୍ଚ ୨୦ରେ କମଲନାଥଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଶିବରାଜ ହିଁ ପ୍ରମୁଖ ଦାବିଦାର ଥିଲେ । ଶିବରାଜଙ୍କ ବ୍ୟତୀତ ଅର୍ଜୁନ ସିଂହ ଏବଂ ଶ୍ୟାମାଚରଣ ଶୁକ୍ଳ ୩ ଥର ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିସାରିଛନ୍ତି ।
ଏହାପୂର୍ବରୁ ବିଧାୟକ ଦଳର ବୈଠକରେ ଶିବରାଜଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ଏହି ଅବସରରେ ଶିବରାଜ କହିଥିଲେ ଯେ, ଭାଜପା ମୋ ମା’ ଏବଂ ମୁଁ ମା’ଙ୍କ କ୍ଷୀରର ଲାଜ ରଖିବା ପାଇଁ ସବୁପ୍ରକାର ପ୍ରୟାସ କରିବି । ଯାଇଥିବା ସରକାର ସବୁକିଛି ଧ୍ୱଂସ କରିଦେଇ ଯାଇଛି । ଶାସନ କରିବାର ଶୈଳୀରେ ଏବେବି ପରିବର୍ତ୍ତନ କରାଯିବ । କାମ କଥା କହିବ ଏବଂ ଆମେ ସବୁ ମିଶି କି କାମ କରିବା । ଜନକଲ୍ୟାଣ ଏକ ନୂଆ ଇତିହାସ ରଚିବ । ହେଲେ ଏହା ଉତ୍ସବର ସମୟ ନୁହେଁ, ପରିସ୍ଥିତି ଆମକୁ ଏହା କରିବାକୁ ଅନୁମତି ଦେବନି । କରୋନା ସଙ୍କଟ ସମାପ୍ତ କରିବାକୁ ହେବ । ତେଣୁ ତୁରନ୍ତ ଆମକୁ ଏହି କାମ କରିବାକୁ ପଡିବ । ମୋଦୀଜୀଙ୍କ ଭାବନା ସହ ଆମେ ଯୋଡି ହେବାର ଅଛି ଏବଂ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବାର ଅଛି । ତେଣୁ ଶପଥ ଗ୍ରହଣ ନେଇ କୌଣସି ଉତ୍ସାହ, ଉତ୍ସବ ଏବଂ ସମାରୋହ ହେବନାହିଁ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*