ବର୍ଷାରେ ବିପର୍ଯ୍ୟସ୍ତ ପୁନେ : ୧୭ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପୁନେ
ମହାରାଷ୍ଟ୍ରର ପୁନେ ଏବଂ ଜଳଗାଓଁ ଜିଲ୍ଲାରେ ପ୍ରକୃତି ତା’ର ତାନ୍ଦବଲୀଳା ରଚିଛି । ଲଗାଣ ଏବଂ ପ୍ରବଳ ବର୍ଷା ଯୋଗୁ ଏଠାକାର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହ ଅନେକ ଛୋଟବଡ ଦୁର୍ଘଟଣା ଘଟିଛି । ଏହି କାରଣରୁ ଅନୂ୍ୟନ ଦୁଇ ଜିଲ୍ଲାରେ ୧୭ଜଣ ଲୋକଙ୍କର ମୃତୁ୍ୟ ହୋଇସାରିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଏତଦବ୍ୟତୀତ ପାଖାପାଖି ୯ଜଣ ନିଖୋଜ ଥିବା ମଧ୍ୟ ରିପୋର୍ଟରୁ ପ୍ରକାଶ । ପ୍ରବଳ ବର୍ଷା ଏବଂ ଜଳାର୍ଣ୍ଣବ ଯୋଗୁଁ ଫଶି ରହିଥିବା ପାଖାପାଖି ୨୮ହଜାର ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିବା ଜଣାପଡିଛି । ସହରର ବିଭିନ୍ନ ସ୍ଥାନରେ ଗଛ ଓ ବିଦୁ୍ୟତ୍‌ଖୁଣ୍ଟ ଉପୁଡିବା ସହ ଯାନବାହନଗୁଡିକର ଖୁବ୍‌ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପୁନେରେ କେବଳ ପ୍ରବଳ ବର୍ଷା ଏବଂ କୋଠା ଭୁଶୁଡି ଘଟଣାରେ ୧୨ ଲୋକଙ୍କର ମୃତୁ୍ୟ ହୋଇଥିବାବେଳେ ଜଳଗାଓଁରେ ବଜ୍ରାଘାତରେ ଗୋଟିଏ ପରିବାରର ୪ଜଣଙ୍କ ସମେତ ୫ ଜଣଙ୍କର ମୃତୁ୍ୟ ହୋଇଯାଇଛି ।

ବାରାମତିସ୍ଥିତ ନାରଦା ଡ୍ୟାମରୁ ଜଳ ଛଡାଯିବା କାରଣରୁ ଜଳବନ୍ଦୀ ହୋଇ ରହିଥିବା ଅନେକ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ପୁନେ ଅଞ୍ଚଳସ୍ଥିତ ଏକ ଆପାର୍ଟମେଣ୍ଟ ତଳର ଦୃଶ୍ୟ ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ବେସମେଣ୍ଟରେ ପାଣି ପଶିଯିବା ଯୋଗୁ ତଳେ ପାର୍କ ହୋଇଥିବା ଗାଡିଗୁଡିକ ଖେଳଣା ଭଳି ପରସ୍ପର ଉପରେ ଲଦି ହୋଇଯାଇଥିଲା । ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ପୁନେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଲର୍ଟ ଜାରି କରିଛି । ସହରର କାତ୍ରଜ, ବିବିୱାଡି, ସିଂହଗଡ ଏବଂ ସହକାର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଫଳରେ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସ୍କୁଲ ଏବଂ କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି ।
ଏନଡିଆରଏଫର ଦୁଇଟି ଲେଖାଏଁ ଦଳ ପୁନେ ଏବଂ ବାରାମତିରେ ମୁତୟନ କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଅନୁଯାୟୀ, ସ୍ଥାନୀୟ ଶିବପୁର ଗ୍ରାମସ୍ଥିତ ଦରଗାହଠାରେ ଶୋଇଥିବାବେଳେ ୫ଜଣ ଲୋକ ବନ୍ୟା ପାଣିରେ ଭାସିଯାଇଥିଲେ । ସେହିପରି ପୁରନ୍ଦର ଅଞ୍ଚଳରୁ ୨ ଯୁବକ ନିଖୋଜ ଥିବାର ଖବର ମିଳିଛି ବୋଲି ପୁଲିସ୍‌ ଅଧିକାରୀ ସନ୍ଦୀପ ପାଟିଲ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌, ଏନଡିଆରଏଫ୍‌ ବାହିନୀକୁ ପୁନେ ଏବଂ ବାରାମତୀଠାରେ ମୁତୟନ କରାଯାଇଛି ଏବଂ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସବୁପ୍ରକାର ଜରୁରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ।
ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ରାନପିସେ ସୂଚନା ଦେଇଛନ୍ତି ଯେ, ଜଣେ ୯ ବର୍ଷୀୟ ପିଲା ସହିତ ୫ଜଣଙ୍କର ବୁଧବାର ରାତିରେ ଅର୍ଣ୍ଣେସ୍ୱର ଅଞ୍ଚଳରେ କାନ୍ଥ ଖସି ମୃତୁ୍ୟ ହୋଇଛି । ପ୍ରବଳ ବର୍ଷା କାରଣରୁ ଉକ୍ତ ଅଞ୍ଚଳରେ ପାଣି ଭରିଯାଇଥିଲା । ଆଉ ଏକ ଘଟଣାରେ ସାହକର ନଗରରୁ ଜଣେ ବ୍ୟକ୍ତିଙ୍କର ଶବ ମିଳିଥିବାବେଳେ ଆଉ ଜଣେ ବ୍ୟକ୍ତିଙ୍କର ମୃତଦେହ ଏକ କାରରୁ ଜବତ କରାଯାଇଛି । ଉକ୍ତ କାରଟି ସିଂହଗଡ ଅଞ୍ଚଳରୁ ପାଣି ସ୍ରୋତରେ ଭାସିଯାଇଥିଲା ।
ପ୍ରକାଶ ଥାଉ କି, ଗତ ବୁଧବାର ରାତିରୁ ପୁନେ ସହର ଏବଂ ଜିଲ୍ଲାରେ ୧୬ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହାଠାରୁ ଅଧିକ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲାରେ ହୋଇଥିବା ବର୍ଷା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି ବୋଲି ଜଣେ ଜିଲା ଅଧିକାରୀ ସୂଚନା ଦେଇଛନ୍ତି । ପୁନେ ସହର ଏବଂ ଉପକଣ୍ଠରେ ବନ୍ୟା ଜଳରେ ୨୦୦ରୁ ଅଧିକ ଯାନବାହନ ଭାସିଯାଇଥିବାବେଳେ ୧୫୦ରୁ ଊଦ୍ଧ୍ୱର୍ ଘର କ୍ଷତିଗ୍ରସ୍ତ ହୋଇଛି । ସେହିପରି ୧୦୦ରୁ ଅଧିକ ପରିବାର ନିରାଶ୍ରୟ ହୋଇପଡିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*