ବରୁଣେଇ ଦେଶର ବୀରଭୂମି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଖୋର୍ଦ୍ଧା

ବରୁଣେଇ ହେଉଛି ବୀରଭୂମି । ଭାରତର ସ୍ୱାଧୀନତା ସଂଗ୍ରାମୀ ଇତିହାସର ପ୍ରମୁଖ ସଂଗ୍ରାମ ଏହି ମାଟିରୁ ହିଁ ଆରମ୍ଭ ହୋଇଥିଲା । ମୁଁ ସେହି ପାଇକମାନଙ୍କ ଅଦମ୍ୟ ସାହସକୁ ପଣିପାତ କରୁଛି । ରବିବାର ଖୋର୍ଦ୍ଧାର ବରୁଣେଇ ପାହାଡ ପାଦ ତଳେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଓଡ଼ିଆରେ ଜୟ ଜଗନ୍ନାଥ ଓ ଭକ୍ତି ଓ କ୍ରାନ୍ତିର ସଙ୍ଗମସ୍ଥଳକୁ ମୁଁ ପ୍ରଣାମ କରୁଛି କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ସେ କହିଥିଲେ ଯେ, ଏହି ବୀରଭୂମିରେ ସ୍ମାରକୀର ଭୂମି ପୂଜା ଓ ଶିଳାନ୍ୟାସ କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି । ଯୁବପିଢିଙ୍କୁ ପୂର୍ବଜମାନଙ୍କ ବଳିଦାନର ମହତ୍ୱକୁ ଅବଗତ କରାଇବା ରାଷ୍ଟ୍ର ନିର୍ମାଣରେ ଏକ ବଡ଼ ଅଂଶ ଅଟେ । ଏହି ଦଶ ଏକର ସ୍ଥାନରେ ନିର୍ମାଣ ହେବାକୁ ଥିବା ସ୍ମାରକୀ, ଗବେଷଣା କେନ୍ଦ୍ର ଆଦି ଯୁବପିଢିଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ । ଓଡ଼ିଶା ହେଉଛି ଭକ୍ତି ଓ କ୍ରାନ୍ତିର ସଙ୍ଗମ ସ୍ଥଳ । ଏହି ପବିତ୍ର ସ୍ଥାନର ଶକ୍ତି ଅଛି ଯେଉଁଠି ଚନ୍ଦାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ରାଷ୍ଟ୍ରପତି କୋବିନ୍ଦ ଏଭଳି ଏକ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଂଶସା କରିଥିଲେ ।
ସଭାରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଯେ, ଏକ ରକ୍ତରଞ୍ଜିତ ଇତିହାସର ଏକ ନୂଆ ଫର୍ଦ୍ଦ ଉନ୍ମୋଚିତ ହେବାକୁ ଯାଉଛି । ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ମାନ୍ୟତା ଦେଇ ଏହି ସ୍ମାରକୀ ଶିଳନ୍ୟାସ ବିଶ୍ୱ ପର୍ଯ୍ୟଟନରେ ଓଡ଼ିଶାକୁ ଏକ ନୂଆ ଦିଗ ନେବ ।
ବକ୍ସିଙ୍କ ନାମରେ ଏକ୍ସପ୍ରେସ ଟ୍ରେନ
ଦାବି କଲେ ମୁଖ୍ୟମନ୍ତ୍ରୀ
ସ୍ମୃତିସ୍ଥଳ ଶିଳାନ୍ୟାସ ଅବସରରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୀର ପୁରୁଷଙ୍କୁ ମନେ ପକାଇବା ସହ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ ଯେ, ଆମେ ଜମି ଯୋଗାଇ ଦେଇଛୁ, ଭିତ୍ତିଭୂମି ମଧ୍ୟ ଯୋଗାଇବୁ । ସେ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଯାଉ ବୋଲି ଦାବି କରିଥିଲେ । କହିଥିଲେ ଯେ, ରାଷ୍ଟ୍ରପତି ଏହି ଦାବି ପ୍ରତି ସୁବିଚାର କରିବେ ବୋଲି ମୁଁ ଆଶା କରୁଛି । ଏଥିସହ ମୁଖ୍ୟମନ୍ତ୍ରୀ ସ୍ମାରକୀ ପାଇଁ ପେଟ୍ରୋଲିୟମ ଓ ସଂସ୍କୃତି ବିଭାଗର ସହଯୋଗକୁ ପ୍ରଶଂସା ମଧ୍ୟ କରିଥିଲେ ।

ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ: ଧର୍ମେନ୍ଦ୍ର
ଓଡ଼ିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପାଇକ ବିଦ୍ରୋହର ସ୍ମୃତିକୁ ଅମର କରି ରଖିବା ପାଇଁ ବରୁଣେଇ ଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣ ପାଇଁ ମୋଦି ସରକାର ୨୦୧୭ ମସିହାରେ ଘୋଷଣା କରିଥିଲେ । ସେ ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନ ନାଁରେ ବରେଣ୍ୟ ପାଇକ ବୀରଗଣଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରି ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତି । ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା, ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟରେ ୫ କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାରକୁ ଅୟମାରମ୍ଭ କରି ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୮୦୩ ମସିହାରେ ବ୍ରିଟିଶ ଇଷ୍ଟ ଇନ୍ଦିଆ କମ୍ପାନୀ ଓଡିଶା ଉପରେ କବଜା କଲା । ଏହି ସମୟରେ ବାଳୁତ ରାଜା ମୁକୁନ୍ଦ ଦେବଙ୍କର ଅଭିଭାବକ ଜୟୀ ରାଜଗୁରୁ ଯୁଦ୍ଧର ରାସ୍ତାକୁ ଓହ୍ଲାଇଲେ । ଜୟୀ ରାଜଗୁରୁଙ୍କ ସହିତ ଓଡିଆ ବୀରମାନେ ବ୍ରିଟିଶ ଓଡିଶାରେ ପାଦ ଦେଉ ଦେଉ ତାଙ୍କର ଅସ୍ଥାନକୁ ଦୋହଲାଇ ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବରୁଣେଇ ପାହାଡର ପାଦଦେଶରେ ଏହି ସ୍ମାରକୀର ଶୁଭାରମ୍ଭ ହୋଇଯାଇଛି । ଏହି ସ୍ମାରକୀ ଓଡିଆ ଜାତିର ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*