ବରୁଣେଇ ଓ ପାଇକ ସ୍ମୃତି ଅପେକ୍ଷା କରିଛି ରାଷ୍ଟ୍ରପତିଙ୍କୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଶ୍ୱଭୂଷଣ ମିଶ୍ର :

ଆଜି ବି କୁହାଯାଏ, ଖୋର୍ଦ୍ଧା ମାଟିକୁ ଚିପୁଡିଲେ ରକ୍ତ ବାହାରେ ।
ଏହି ମାଟିରେ କାନ ଦେଲେ ଶୁଭେ ଦୁନ୍ଦୁଭି ।
ଓଡ଼ିଆ ଜାତିର ଲଢ଼େଇ, ସଂଗ୍ରାମ, ତ୍ୟାଗ ଓ ବଳିଦାନର କୀର୍ତ୍ତିଗାଥାର ପ୍ରତୀକ ହେଉଛି ଖୋର୍ଦ୍ଧାର ବରୁଣେଇ ପାହାଡ଼ ।
ରବିବାର ଦିନ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପ୍ରଥମ ଫର୍ଦ୍ଦ ପାଇକ ବିଦ୍ରୋହର ସ୍ମାରକୀ ଉଦ୍‌ଘାଟନ ପାଇଁ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ ଗୋବିନ୍ଦ । ଯେଉଁ ବରୁଣେଇ ପାହାଡ଼ରେ ଇଂରେଜ ବିରୋଧରେ ବକ୍ସିଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ତୁର୍ଯ୍ୟନାଦ କରିଥିଲେ ପାଇକମାନେ, ସେହି ମହାନ୍‌ ସଂଗ୍ରାମ ପୀଠକୁ ଆସିବେ ରାଷ୍ଟ୍ରପତି । ତେଣୁ ବରୁଣେଇ ବି ଅପେକ୍ଷା କରିଛି ତାଙ୍କୁ ସ୍ୱାଗତ କରିବା ପାଇଁ । ସଜେଇ ହୋଇସାରିଛି ରାସ୍ତାରୁ ବରୁଣେଇ ପାହାଡ଼ ତଳ ଅଞ୍ଚଳ, ଯେଉଁଠି ପାଇକ ସଂଗ୍ରହାଳୟର ଆଧାରଶିଳା ରଖିବେ ରାଷ୍ଟ୍ରପତି ।
ରବିବାର ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ଶନିବାର ଉଦ୍‌ଘାଟନ ସ୍ଥଳ ବୁଲିବା ଅବସରରେ ଏହି ପ୍ରତିନିଧିଙ୍କୁ ଭେଟିବାର ସୁଯୋଗ ମିଳିଥିଲା ସେଦିନର ବିଦ୍ରୋହୀ ପାଇକ ନେତାଙ୍କ ଅନେକ ଦାୟାଦଙ୍କୁ । ସେମାନଙ୍କ ମୁହଁର ଖୁସି ଅନେକ କଥା କହୁଥିଲା । ଅନେକ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସେମାନେ ବେଶ୍‌ ଉଲ୍ଲସିତ ଥିଲେ । ଏହି ଅବସରରେ ଦେଖିôବାକୁ ମଧ୍ୟ ମିଳିଥିଲା ଏହି ପ୍ରସ୍ତାବିତ ସଂଗ୍ରହାଳୟର ମୁଖ୍ୟ ସୂତ୍ରଧର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ । ତାଙ୍କ ସହ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନର ମୁଖିଆ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଚିବ ପ୍ରମୁଖ ଉଦ୍‌ଘାଟନୀ ସ୍ଥଳ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଥିଲେ ଏବଂ ତଦାରଖ କରୁଥିଲେ । କାରଣ ଏହା ଥିଲା ଓଡ଼ିଶାର ଗର୍ବ ଓ ଗୌରବକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ।
ବରୁଣେଇ ପାହାଡ଼ ତଳକୁ ଯିବା ପାଇଁ, ଉଦ୍‌ଘାଟନ ସ୍ଥଳରେ ପହଞ୍ଚôବା ପାଇଁ ଶନିବାର ସନ୍ଧ୍ୟା ସୁଦ୍ଧା ସବୁ ରାସ୍ତା ସଜେଇ ହୋଇସାରିଥିଲା । ରାଷ୍ଟ୍ରପତିଙ୍କ ଆଗମନ ଦୃଷ୍ଟିରୁ ବାଉଁଶ କଡ଼ନ୍‌ ବ୍ୟବସ୍ଥା, ନୂଆ ରାସ୍ତା ସହ ଆଲୋକ ବ୍ୟବସ୍ଥା, ଷ୍ଟ୍ରିଟ୍‌ ଲାଇଟ୍‌କୁ ମଧ୍ୟ ସଜଡ଼ା ଯାଇଥିଲା । ପ୍ରତି ରାସ୍ତାରେ ପୁଲିସ କର୍ମୀ ମହଜୁଦ୍‌ ଥିଲାବେଳେ ପରିଷ୍କାର ପରିଚ୍ଛନତା ଓ ସୁରକ୍ଷାକୁ ମଧ୍ୟ କରାଯାଇଥିଲା କଡ଼ାକଡ଼ି ।
ଉଦ୍‌ଘାଟନ ସ୍ଥଳୀ ଭିତରକୁ ପ୍ରବେଶ କରିବା ସମୟରେ ନଜର ପଡ଼ିଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ସୂତ୍ରଧର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ରାଷ୍ଟ୍ରପତି ବସିବାକୁ ଥିବା ମଞ୍ଚ ଉପରେ ସେ ନିଜେ ଠିଆ ହୋଇ ବିଭାଗୀୟ ଅଧିକାରୀ ଓ ସଚିବମାନଙ୍କ ସହ ଆଲୋଚନା କରୁଥିଲେ । ରାଷ୍ଟ୍ରପତିଙ୍କ ସମ୍ମାନରେ ଯେପରି ସାମାନ୍ୟତମ ତ୍ରୁଟି ନରୁହେ, ସେଥିପ୍ରତି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ବିଜଦ ନେତାମାନେ ଭାଜପା ପାଇକ ରାଜନୀତି କରୁଛି ବୋଲି ଆକ୍ଷେପ କରିଥିଲେ । ସଭା ସ୍ଥଳରେ ବସିବା ପାଇଁ ଆସନ ବ୍ୟବସ୍ଥାକୁ ମଧ୍ୟ ସେ ଦେଖିଥିଲେ । ପାଖାପାଖି ୫ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିଲା ବେଳେ ସାଉନ୍ଦ ଓ ଆଲୋକ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଇଥିଲା । ଉଦ୍‌ଘାଟନୀ ସ୍ଥଳର ବାହାର ପଟେ ଆକର୍ଷଣୀୟ ଦୁଇଟ ପ୍ରକୋଷ୍ଠ କରାଯାଇଛି, ଯେଉଁଠାରେ ପାଇକ ସ୍ମୃତିର ଅନେକ କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଥିବା ସାଧାରଣ ଲୋକେ ମଧ୍ୟ ଦେଖିବାକୁ ମିଳିଥିଲେ । ପାଇକଙ୍କ ଅନେକ ଦାୟାଦ ମଧ୍ୟ ଉପସ୍ଥିତ ଥିଲେ ଏବଂ ଦେଖୁଥିଲେ ସେମାନଙ୍କ ସେହି ଖୁସିର ମୁହୂର୍ତ୍ତ କିପରି ସଫଳ ହେବ ।
ଆଜି ଆମେ ଗର୍ବିତ
ଉଦ୍‌ଘାଟନ ସ୍ଥଳ ବୁଲିବା ସମୟରେ ଭେଟିଥିଲୁ ପିନ୍ଦିକି ବାହୁବଳେନ୍ଦ୍ରଙ୍କ ଅଣନାତି ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ରଙ୍କୁ । ତାଙ୍କ ସହ ଥିଲେ ସହିଦ୍‌ ପିନ୍ଦିକି ବାହୁବଳେନ୍ଦ୍ର ସ୍ମୃତି କମିଟିର ଉପସଭାପତି ଅମରେନ୍ଦ୍ର ମହାପାତ୍ର । ପ୍ରଫୁଲ୍ଲ କହିଥିଲେ ଯେ, ଧର୍ମେନ୍ଦ୍ରଙ୍କୁ ନେଇ ଆଜି ଆମେ ଗର୍ବିତ ।
୨୦୧୭ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିଥିଲା । ସେଦିନ ସେ କହିଥିଲେ ଆମେ ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ନିଶ୍ଚିତ କରିବା । ୧୦୦ କୋଟି ଲାଗୁ ପଛେ ମୁଁ ନିଶ୍ଚିତ କରିବି । ଓଡ଼ିଆ ଜାତିର ଲଢ଼େଇ, ସଂଗ୍ରାମ, ତ୍ୟାଗ ଓ ବଳିଦାନର କୀର୍ତ୍ତିଗାଥାର ଏହା ପ୍ରତୀକ ହେବ । ବୀର ଓଡ଼ିଆ ମାଟି ଖୋର୍ଦ୍ଧାକୁ ସମସ୍ତେ ଜାଣିବେ । ୨ବର୍ଷ ପରେ ଆଜି ଏହା ପୂରଣ ହେବାକୁ ଯାଉଛି । ଆମ ସ୍ୱପ୍ନ ବାସ୍ତବରେ ପରିଣତ ହେବ । ଏହାଠାରୁ ବଳି ଖୁସିର କଥା ଆଉ କିଛି ନାହିଁ ଆମ ପାଇଁ । ଆଜି ଆମେ ଗର୍ବିତ । ସେହିପରି ଶ୍ରୀ ମହାପାତ୍ର କହିଥିଲେ ଯେ, ୧୮୧୭ ପାଇକ ବିଦ୍ରୋହ ଇଂରେଜମାନଙ୍କୁ ଏତେ ଡରାଇ ଦେଇଥିଲା ଯେ, ସେମାନେ କହିଥିଲେ ପାଇକର ବିଷ ଦାନ୍ତକୁ ନଭାଙ୍ଗିବା ପର୍ଯ୍ୟନ୍ତ ଏହି ଗଡ଼ରେ ପ୍ରବେଶ କରିହେବ ନାହିଁ । ସେହି ପାଇକ ବିଦ୍ରୋହକୁ ଉଜ୍ଜୀବିତ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ଏହା ଏକ ନୂତନ ସୂର୍ଯ୍ୟର ଉଦୟ ଭଳି । ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯେଉଁ ଉଦ୍ୟମ କରୁଛନ୍ତି, ତାହା ନିଶ୍ଚିତ ସଫଳ ହେବ । ଆଗାମୀ ପୀଢ଼ି ପାଇଁ ଏହି ଅଞ୍ଚଳର ବୀରତ୍ୱର କାହାଣୀ ବଖାଣିବ । ଏଠାରେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିନ୍ଦିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣି, ସାମନ୍ତ ମାଧବ ରାଉତରାୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଏଠାରେ ପାଇକ ବିଦ୍ରୋହ ସମ୍ପର୍କିତ ଗବେଷଣା କେନ୍ଦ୍ର ମଧ୍ୟ ଖୋଲାଯିବ । ଏହା ନିଶ୍ଚିତ ଭାବେ ବଡ଼ ଗର୍ବର ବିଷୟ ।
ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଶନିବାର ଖୋର୍ଦ୍ଧା ବରୁଣେଇ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ଯେ, ଆସନ୍ତାକାଲି ସମସ୍ତ ଓଡ଼ିଆଙ୍କ ପାଇଁ ଗୌରବର ଦିନ । ଆସନ୍ତାକାଲି ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷର ସ୍ମୃତିର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ପ୍ରମୁଖ ଉପସ୍ଥିତ ରହିବେ ।
ଆଗାମୀ ଶତାବ୍ଦୀର ଓଡ଼ିଆ ଜାତିର ଲଢ଼େଇ, ସଂଗ୍ରାମ, ତ୍ୟାଗ ଓ ବଳିଦାନର କୀର୍ତ୍ତିଗାଥାର ଏହା ଏକ ପ୍ରତୀକ ହେବ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଜାଗା ଉପଲବ୍ଧ କରାଇଛନ୍ତି । ବରୁଣେଇ ପାହାଡ଼ର ପାଦଦେଶରେ ଯେଉଁଠାରୁ ଓଡ଼ିଶାର ପୂର୍ବଜମାନେ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରିଥିଲେ, ତା’ର ସ୍ମୃତିର ଏକ ସ୍ମାରକୀ ନିର୍ମାଣ ହେବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ଅନେକ କଳ୍ପନା କରାଯାଇଥିବା ବେଳେ ଗୋଟିଏ ଉଚ୍ଚସ୍ତରୀୟ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କୁ ସଂଶ୍ଳିଷ୍ଟ କରି ଗଠନ କରାଯାଇଛି । ଏହାର କି୍ରୟାନ୍ୱୟନ ପାିଁ ଭାରତୀୟ ତୈଳ ମହାସଂଘକୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଆ ଲୋକଙ୍କ ପରାମର୍ଶରେ ସମସ୍ତଙ୍କର ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଜାତିର ସଭ୍ୟତା ବୀରଗାଥାକୁ ମନେପକାଇଲା ଭଳି ଏଠାରେ ସ୍ମୃତିସ୍ଥଳ ତିଆରି କରାଯିବ ।
ସୁରକ୍ଷା କଡ଼ାକଡ଼ି
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶ୍ନରେ ଆଇଜି (ପର୍ସୋନେଲ) ଏସ୍‌କେ ପ୍ରିୟଦର୍ଶୀ କହିଛନ୍ତି ଯେ, ଦେଶର ପ୍ରଥମ ନାଗରିକଙ୍କ ଗସ୍ତ ନିଶ୍ଚିତ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ । ହେଲିପ୍ୟାଡ୍‌ଠାରୁ ସଭା ସ୍ଥଳ, ସଭାସ୍ଥଳ ଠାରୁ ରାଜଭବନ ଏବଂ ସେ ଫେରିବା ପର୍ଯ୍ୟନ୍ତ ତାଙ୍କର ସୁରକ୍ଷା ଆମର ଦାୟିତ୍ୱ । ନିୟମାବଳୀ ଅନୁସାରେ ଆମେ ଆମ ଦାୟିତ୍ୱ ତୁଲାଉଛୁ । ଟ୍ରାଫିକ୍‌ ଠାରୁ ଆରମ୍ଭ କରି ପାର୍କିଂ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ସୂଚାରୁରୂପେ ସମ୍ପନ୍ନ କରିବା ପାଇଁ ଆମେ ଲାଗିପଡ଼ିଛୁ । ୫ଜଣ ଏସ୍‌ପି ର୍ୟାଙ୍କ୍‌ର ଅଧିକାରୀ, ୯ଜଣ ଅତିରିକ୍ତ ଏସ୍‌ପି, ୧୫ ଡିଏସ୍‌ପି, ୧୨୫ ଅଫିସରଙ୍କ ସମେତ ଅନ୍ୟ ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଲାଗିଛନ୍ତି ।
ସବୁ ପ୍ରସ୍ତୁତି ଶେଷ
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଛନ୍ତି, ସବୁ ପ୍ରସ୍ତୁତି ଶେଷ ହୋଇଛି । ସୁରୁଖୁରୁରେ ସଭା ଶେଷ ହେବ । ୧୦.୩୦ରେ ରାଷ୍ଟ୍ରପତି ପହଞ୍ଚôବେ, ୧୦.୩୫ରୁ ସଭା କାର୍ଯ୍ୟ ଆରମ୍ଭ ହୋଇ ୧୧.୩୫ରେ ସରିବ ।ବରୁଣେଇ ଓ ପାଇକ ସ୍ମୃତି ଅପେକ୍ଷା କରିଛି ରାଷ୍ଟ୍ରପତିଙ୍କୁ
ବିଶ୍ୱଭୂଷଣ ମିଶ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*