ବରୀ ଭାଜପା ଦୁଇଫାଳ, ସୁବିଧା ସ୍ଥିତିରେ ଦେବାଶିଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବରୀ
ଦୀର୍ଘ ୧୯ ବର୍ଷ ହେଲା ଲଗାତାର ଭାବେ ବରୀ ନିର୍ବାଚନ ମନ୍ଦଳୀରେ ବିଜୟୀ ହୋଇ ଚାଲିଥିବା ବିଧାୟକ ଦେବାଶିଷ ନାୟକଙ୍କ ବିରୁଦ୍ଧରେ ଆସନ୍ତା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା ବରୀ ଭାଜପାରେ ଗତ କମ୍ପନ ସୃଷ୍ଟି ହୋଇଛି । ଦୀର୍ଘ ଦିନର ନିରବତା ପରେ ଦଳ ତଥା ଦଳ ନେତୃମନ୍ଦଳୀ ବିରୁଦ୍ଧରେ ବିଷ ଓଗାଳିଛନ୍ତି ପ୍ରାକ୍ତନ ଯାଜପୁର ଜିଲା ଭାଜପା ସଭାପତି ତଥା ଏବର ରାଜ୍ୟ ଓବିସି ସେଲ ଉପସଭାପତି ଆଶୁତୋଷ ପରିଡା । ଯାହା ବରୀ ଭାଜପାକୁ ଦୁଇ ଫାଳ କରି ଦେଇଛି । ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ଦଳର ଜିଲାରେ ସ୍ଥିତି ବେହାଲ ଥିଲାବେଳେ ଗତ ପଞ୍ଚାୟତ ନିର୍ବାନରେ ଦଳ ଜିଲାରେ ଆଖି ଦୃଶିଆ ସଫଳତା ପାଇଥିଲା । ଏହି ସମୟରେ ଦଳର ସଭାପତି ଭାବେ ଆଶୁତୋଷ ଦାୟିତ୍ୱରେ ଥିଲେ । ଦଳ ୨ଟି ପଞ୍ଚାୟତ ସମିତି ଗଠନ କରିଥିଲାବେଳେ ୬ଟି ଜିଲା ପରିଷଦ ମଧ୍ୟ ଜିତିବାକୁ ସକ୍ଷମ ହୋଇଥିଲା । ଦଳ ସଫଳ ହେଲା ପରେ ତାଙ୍କୁ ଦଳର ସଭାପତି ପଦରୁ ଅପସାରିତ କରାଯାଇ ଗୌତମ ରାୟଙ୍କୁ ଦଳର ସଭାପତି କରାଯାଇଥିଲା । ସେହି ଦିନଠାରୁ ଦଳ ମଧ୍ୟରେ ବିବାଦର ସୁତ୍ରପାତ ହୋଇଥିଲା । ଦଳ ମଧ୍ୟରେ ନୂତନ ଓ ପୁରାତନଙ୍କୁ ନେଇ ବିବାଦ ଦେଖାଦେଇଥିଲାବେଳେ ଏହି ବିବାଦ ସାରା ଜିଲାକୁ ବ୍ୟାପି ଯାଇଥିଲା । ଯାହା ନିର୍ବାଚନ ପାଖେଇ ଆସିଲା ବେଳକୁ ଅଧିକ ଉଗ୍ର ହେବାରେ ଲାଗିଛି । ବରୀରେ ଭାଜପା ଦୁଇ ଫାଳ ହେବା ସହିତ ଗୋଟିଏ ଗୋଷ୍ଠୀର ନେତୃତ୍ୱ ଆଶୁତୋଷ ନେଉଥିଲାବେଳେ ଅନ୍ୟ ଗୋଷ୍ଠିର ନେତୃତ୍ୱ ବିଶ୍ୱରଞ୍ଜନ ମଲ୍ଲିକ ନେଉଛନ୍ତି । ଫଳରେ ବିଜଦର ଏହି ସବୁଜ ଗଡରେ ଗୈରିକ ପତାକା ଉଡାଇବାକୁ ଯୋଜନା କରିଥିବା ଭାଜପା ଯୋଜନା ପାଣିଚିଆ ଧରି ଯାଇଛି ।
ଅନ୍ୟପଟେ ବିଧାୟକ ଦେବାଶିଷ ନାୟକ ନିଜ ବଳିଷ୍ଠ ସଂଗଠନ ସହିତ ବିଭିନ୍ନ ସରକାରୀ ଯୋଜନାର ସଫଳ ରୁପାୟନ କରି ବ୍ୟାପକ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇଛନ୍ତି । ସାରା ନିର୍ବାଚନ ମନ୍ଦଳୀରେ ତାଙ୍କ ଲୋକପ୍ରିୟତା ବଢିବା ଭାଜପା ପାଇଁ ଚିନ୍ତାର କାରଣ ପାଲଟିଛି । ବରୀକୁ ଲଗାତାର ଗସ୍ତ କରି ସଂଗଠନକୁ ମଜବୁତ କରୁଥିବା ଦେବାଶିଷଙ୍କ ପ୍ରତି ଜନ ସମର୍ଥନ ବଢି ଚାଲିଛି ।
ବରୀରେ କଂଗ୍ରେସ ଯୁବ ନେତା ଉମେଶ ଜେନାଙ୍କ ଉତ୍ଥାନ ମଧ୍ୟ ଭାଜପା ନେତା ବିଶ୍ୱଙ୍କ ଯୋଜନାରେ ପାଣି ପୁରାଇଛି । ମୁଳତଃ କଂଗ୍ରେସରୁ ଆସି ଭାଜପାରେ ବସାବାନ୍ଧିଥିବା ବିଶ୍ୱଙ୍କୁ ଗତ ୨୦୧୪ ନିର୍ବାଚନରେ ବହୁ କଂଗ୍ରେସ ନେତା ଓ କର୍ମୀ ସମର୍ଥନ ଦେଇଥିଲାବେଳେ ଉମେଶଙ୍କ ଆଗମନ ପରେ ବହୁ କଂଗ୍ରେସ ନେତା ବିଶ୍ୱଙ୍କଠାରୁ ମୁହଁ ଫେରାଇ ଉମେଶଙ୍କ ସହିତ ସାମିଲ ହୋଇ ସାରିଲେଣି । ଯାହା ଫଳରେ କଂଗ୍ରେସ ସଂଗଠନ ମଜବୁତ ହୋଇ ବିଶ୍ୱଙ୍କ କ୍ୟାମ୍ପ ପ୍ରତି ବିପଦ ସୃଷ୍ଟି କରିଛି । ୨୦୧୯ ନିର୍ବାଚନରେ ସଫଳତା ପାଇଁ ସ୍ୱପ୍ନ ଦେଖୁଥିବା ଭାଜପା ପାଇଁ ନିର୍ବାଚନ ରାସ୍ତା ଯେ କଂଟକିତ ତାହା ଏବେ ଠାରୁ ଜଳଜଳ ଦେଖାଯାଉଛି । ଦଳୀୟ ଗୋଷ୍ଠି ବିବାଦ ସହିତ ଗତ ନିର୍ବାଚନରେ ସମର୍ଥନ ଦେଇଥିବା କଂଗ୍ରେସ ସମର୍ଥକ ବିଶ୍ୱଙ୍କ ହାତ ଛାଡୁଥିଲାବେଳେ ଏହାକୁ ପ୍ରତିରୋଧ କରିବା ତାଙ୍କ ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*