ବବିଙ୍କ ଜନ୍ମଦିନ ପାଳନ ବିରୋଧୀ କହିଲା ଅହଂକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କିଛି ଦିନ ପୂର୍ବରୁ ୪ଜଣ ମନ୍ତ୍ରୀ ଓ ଜଣେ କ୍ୟାବିନେଟ ପାହ୍ୟାର ନେତା ପୁରୀ ବଡ଼ଦାନ୍ଦରେ ଶାସନକଳର ଅହଙ୍କାର ପ୍ରଦର୍ଶନ କରିଥିଲେ ସମସ୍ତଙ୍କ ସାମ୍ନାରେ । ଶାରୀରିକ ଦୂରତା ରକ୍ଷା ହୋଇନଥିଲା । ଆଇନ କଥା କହୁଥିବା ଆଇନମନ୍ତ୍ରୀ ପ୍ରତାପ ଜେନା ମାସ୍କ ମଧ୍ୟ ପିନ୍ଧିନଥିଲେ । ଚାରିଆଡୁ କଡ଼ା ସମାଲୋଚିତ ହେବା ସତ୍ତ୍ୱେ କେହି ସଫେଇ ଦେବାକୁ ବାହାରି ନଥିଲେ ।
କିନ୍ତୁ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବିଙ୍କ ଆଚରଣ ପୁଣି ଥରେ ନବୀନ ସରକାରଙ୍କ ପାଇଁ ଲଜ୍ଜାର କାରଣ ହୋଇଛି । ବବି ହେଉଛନ୍ତି ସୁପର ଏମଏଲଏ । ସଂଗଠନରେ ତାଙ୍କ ସ୍ଥାନ ସଭାପତି ନବୀନ ପଟ୍ଟନାୟକଙ୍କ ତଳେ । ସଂଗଠନ ସାଧାରଣ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ ପଟ୍ଟନାୟକ । ମନ୍ତ୍ରୀ ନହୋଇ ମଧ୍ୟ ସୁପର ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ସେ । ସେ ମଧ୍ୟ ମୟୂରଭଞ୍ଜ ଜିଲାର ଦଳୀୟ ପ୍ରଭାରୀ ।
ରବିବାର ଦିନ ସେ ପହଞ୍ଚôଥିଲେ ବାରିପଦାରେ । କିନ୍ତୁ ରଘୁନାଥପୁରର ହରିହର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ଏବଂ ସମର୍ଥକଙ୍କ ମେଳରେ କେକ୍‌ କାଟିବା ଘଟଣା ଏକ ବଡ଼ ରାଜନୈତିକ ବିବାଦ ଠିଆ କରାଇଦେଇଛି । ରବିବାର ଥିଲା ବବିଙ୍କ ଜନ୍ମଦିନ । ବବି ସେନା ପକ୍ଷରୁ ତାଙ୍କର ଯେଉଁ ଭିଡିଓ ପ୍ରସ୍ତୁତ କରାଯାଇଛି ତାହା ଦଳ ଭିତରେ ଏକ ଭୟଙ୍କର ଅସନ୍ତୋଷର ବୀଜ ବୁଣି ଦେଇଛି । ଠିକ୍‌ ଏତିକି ବେଳକୁ ତାଙ୍କର ଜନ୍ମଦିନ ପାଳନ ସମୟରେ ତାଙ୍କରି ସରକାରଙ୍କ କୋଭିଡ୍‌ କଟକଣାକୁ ଉପହାସ କରିଛନ୍ତି ।
ଲକ୍‌ଡାଉନ୍‌ କଟକଣା କାରଣରୁ ସବୁ ମନ୍ଦିରରେ ସାଧାରଣ ଦର୍ଶନ ମନା । ଲୋକେ ଶ୍ରୀମନ୍ଦିର କିମ୍ବା ଲିଙ୍ଗରାଜ ମନ୍ଦିର ଅଥବା ସମଲେଶ୍ୱରୀ ଦର୍ଶନ କରିପାରୁନାହାନ୍ତି । କୋଭିଡ୍‌ ବାହାନାରେ ସରକାର ରଥଯାତ୍ରା ବନ୍ଦ କରିବା ଯାଏଁ ଯାଇଥିଲେ । କିନ୍ତୁ ବବିଙ୍କ ପାଇଁ ହରିହର ମନ୍ଦିର ଖୋଲିଲା କେମିତି? ତାଙ୍କ ପାଇଁ ପୂଜକ ଠାକୁରଙ୍କ ଅର୍ଚ୍ଚନା କଲେ କେମିତି? କେମିତି ତାଙ୍କୁ ତିଳକ ପିନ୍ଧା ଗଲା? କେବଳ ଶାସକ ଦଳର ଜଣେ ବଡ଼ ମୁନ୍ଦି ହୋଇଥିବାରୁ ଆଇନକାନୁନ୍‌ ଚୁଲି କି ଗଲା କି?

ଇଏତ ଗଲା ମନ୍ଦିର କଥା । ନିଜ ଜନ୍ମଦିନ ପାଳନ ପାଇଁ ବବି ନିଜ ସମର୍ଥକଙ୍କୁ ନେଇ କେକ୍‌ କାଟିଥିଲେ ଏବଂ ସମର୍ଥକଙ୍କୁ ଭେଟିଥିଲେ । ଏ କ୍ଷେତ୍ରରେ ମଧ୍ୟ ସେ କୌଣସି କଟକଣା ମାନି ନଥିଲେ । ନିଜେ ମାସ୍କ ପିନ୍ଧି ନଥିଲେ କିମ୍ବା ଶାରୀରିକ ଦୂରତା ରଖି ନଥିଲେ । ଏହି ଖବରଟି ନିର୍ଭୟରେ ବାହାରିବା ପରେ ରାଜନୈତିକ ମହଲରେ ବଡ଼ ପ୍ରତିକି୍ରୟା ସୃଷ୍ଟି କରିଥିଲା । ଏହାକୁ ବବିଙ୍କ ଅହଙ୍କାର ବୋଲି ଆକ୍ଷେପ କରିଥିଲା ଭାଜପା ।
ଭାଜପା ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ, ଏହା ହେଉଛି ଅହଙ୍କାରର ପ୍ରତିଫଳନ । ଦୀର୍ଘ ଦିନ ସେମାନେ କ୍ଷମତାରେ ରହିଥିବାରୁ କିଛି ଆଇନକାନୁନ୍‌ ମାନୁନାହାନ୍ତି । ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ ସେମାନଙ୍କ ପାଇଁ ଲାଗୁ ହେଉନାହିଁ । ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଥିଲେ ଯେ, ପଦପଦବୀରେ ଥାଇ ନିୟମ ଭାଙ୍ଗିବା ଏକ ମସ୍ତବଡ଼ ଅପରାଧ । କଂଗ୍ରେସ ନେତା ରଂଜିବ ବିଶ୍ୱାଳ ମଧ୍ୟ ବବିଙ୍କ ଆଚରଣକୁ ସମାଲୋଚନା କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ଏହା ଉପରେ ବବି କୌଣସି ସଫେଇ ଦେଇନାହାନ୍ତି । ସରକାରୀ ଦଳ ମଧ୍ୟ ଚୁପ୍‌ ରହିଛି । ଆଗକୁ ଏହା ବଡ଼ ବିବାଦର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*