ବନ୍ଦ ହେଲା ସଂସଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସୋମବାର ଅନିର୍ଦ୍ଦିଷ୍ଟ କାଳ ସକାଶେ ବନ୍ଦ ହୋଇଯାଇଛି ସଂସଦର କାମକାର୍ଯ୍ୟ । କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପୁଥିବାରୁ ପାଖାପାଖି ୨ ସପ୍ତାହ ପୂର୍ବରୁ ସୋମବାର ଅର୍ଥ ବିଲ୍‌ ପାସ୍‌ ହେବା ପରେ ପ୍ରଥମ ବନ୍ଦ ହୋଇଥିଲା ଲୋକସଭା । ସରକାରଙ୍କ ପକ୍ଷରୁ ଦୁଇଟି ବିଲ୍‌ ଆଗତ କରାଯାଇଥିଲା । ସେତିକିବେଳେ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟବସାୟିକ ଧାରା ପାଇଁ ସରକାର କେବେ ପ୍ୟାକେଜ ଘୋଷଣା କରିବେ ତାହା ଜାଣିବା ପାଇଁ ଚାହିଁଥିଲେ । ସଂସଦର ବଜେଟ୍‌ ଅଧିବେଶନ ୨ ଭାଗରେ ନିର୍ଦ୍ଧାରିତ ହୋଇଥିଲା । ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ରେ ପ୍ରଥମ ଅଧିବେଶନ ସରିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିଲା ଯାହା ଏପ୍ରିଲ ୩ ତାରିଖରେ ସରିବାକୁ ଥିଲା । ତେବେ କରୋନା ଭାଇରସ୍‌ ବ୍ୟାପିବା କାରଣରୁ କିଛି ଭାଜପା ସଦସ୍ୟଙ୍କ ସହ ବହୁ ବିରୋଧୀଦଳ ସଦସ୍ୟମାନେ ଲୋକସଭା ସ୍ଥଗିତ ରଖିବା ପାଇଁ ଦାବି କରୁଥିଲେ । ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ସଦସ୍ୟମାନେ କରୋନା ଭାଇରସ୍‌ ବ୍ୟାପୁଥିବା କଥାକୁ ଦର୍ଶାଇ ରାଜ୍ୟସଭା ବନ୍ଦ କରିବାକୁ ଦାବି କରିଥିଲେ ।ଯାହାକୁ ଦୃଷ୍ଟିରେ ରଖି ଗୃହାଧ୍ୟକ୍ଷ ଭେଙ୍କୟା ନାଇଡୁ ସୋମବାର ଗୃହ କାର୍ଯ୍ୟ ଶେଷ ହେବା ପରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ ।ସୋମବାର ଦିନ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ବାଚସ୍ପତି ଓମ୍‌ ବିର୍ଲା ଜୋର ଦେଇଥିଲେ ଯେ, ସାମାଜିକ ଦୂରତା ବଜାୟ ରଖି ଏହି ମହାମାରୀର ମୁକାବିଲା ସକାଶେ ଆମକୁ କାମ କରିବାକୁ ପଡ଼ିବ । ଏଥିସହ ୨୦୨୦ ଫାଇନାନ୍ସ ବିଲ ପାରିତ ହେବାର ଘୋଷଣା କରାଯାଇଥିଲା । ବାଚସ୍ପତିଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିନା ଆଲୋଚନାରେ ଫାଇନାନ୍ସ ବିଲ୍‌ ପାରିତ କରିବା ପାଇଁ ନିଆଯାଇଥିଲା ନିଷ୍ପତ୍ତି । ଲୋକସଭାରେ କଂଗ୍ରେସର ନେତା ଅଧିରୀ ରଞ୍ଜନ ଚୌଧୁରୀ ଗାଣିବାକୁ ଚାହିଁଥିଲେ ବିଭିନ୍ନ କ୍ଷେତ୍ର କରୋନା ଆକ୍ରାନ୍ତ ଅବସ୍ଥା ପାଇଁ ବଡ଼ କ୍ଷତିରେ ଅଛନ୍ତି । ସେମାନଙ୍କ ସହାୟତା ସକାଶେ କେବେ ସରକାର ଆର୍ଥିକ୍‌ ପ୍ୟାକେଜ ଘୋଷଣା କରିବେ । ସେ ଏକଥା କହୁଥିଲା ବେଳେ କଂଗ୍ରେସର କିଛି ସଦସ୍ୟ କିଛି ସମୟ ତାଳିମାଡ଼ କରିଥିଲେ । ସେହିପରି ଡିଏମକେ ନେତା ଟିଆର୍‌ ବାଲୁ କହିଥିଲେ ବର୍ତ୍ତମାନର ସମୟ ଅତ୍ୟନ୍ତ ପୀଡ଼ାଦାୟକ । ସେ ମଧ୍ୟ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ରଖିଥିଲେ ଦାବି । ଗୃହରାଜ୍ୟମନ୍ତ୍ରୀ ଜି କିଷାନ ରେ‡ୀ ଗୃହରେ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ବିଲ୍‌ ଏବଂ ଜାତୀୟ ଫୋରେନସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍‌ ଗୃହରେ ଆଗତ କରିଥିଲେ । ଏହି ବିଲର କପି ଦିଆଯାଇ ନଥିବାରୁ ଏହାର ଆଗତ ବେଳେ ବିରୋଧ କରିଥିଲେ କଂଗ୍ରେସ ସଦସ୍ୟମାନେ । ଦିନ ୨ଟା ବେଳେ ଲୋକସଭାର କାମ ପୁଣି ଆରମ୍ଭ ହେବା ସମୟରେ ଗୃହ ଶନିବାର ନକ୍ସଲୀ ହିଂସାରେ ଶହୀଦ ହୋଇଥିବା ୧୭ ଜଣ ସୁରକ୍ଷା କର୍ମୀଙ୍କ ଲାଗି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା । ଏଥି ସହ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ,ରାଜଗୁରୁ ଏବଂ ସୁଖଦେବଙ୍କୁ ମଧ୍ୟ ବଳିଦାନ ଦିବସରେ ଗୃହ ପ୍ରଦାନ କରିଥିଲା ଗଭୀର ଶ୍ରଦ୍ଧାଞ୍ଜଳି । କିଛି ସଦସ୍ୟ ସୋମବାରର ବୈଠକ ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ । ତୃଣମୂଳ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସର ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*