ବଙ୍ଗ ଓ ଓଡ଼ିଶା ଆସୁଛନ୍ତି ମୋଦୀ ସାଙ୍ଗରେ ଧର୍ମେନ୍ଦ୍ର ଓ ପ୍ରତାପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶୁକ୍ରବାର ଆକାଶମାର୍ଗରୁ ସେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟୁଇଟ୍‌ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ଓଡ଼ିଶା ଆଗମନ ସମୟରେ ପ୍ରଧାନମନ୍ତ୍ରୀ ବାତ୍ୟାଞ୍ଚଳ ପରିଦର୍ଶନ ସହ ୪ଟି ଜିଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ, ରିଲିଫ୍‌ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ । କରୋନା ପାଇଁ ମାର୍ଚ୍ଚ ୨୫ରେ ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ଜାରି ହେବା ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ରାଜ୍ୟ ଗସ୍ତରେ ଆସୁଛନ୍ତି ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଉତ୍ତର ଏବଂ ଦକ୍ଷିଣ ଚବିଶପ୍ରଗଣାର ପ୍ରଭାବିତ ଅଞ୍ଚଳକୁ ଆକାଶୀ ମାର୍ଗରେ ଅନୁଧ୍ୟାନ କରିବେ । ଗୁରୁବାର ସକାଳେ ମମତା ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ମମତାଙ୍କ ଅନୁରୋଧକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଏଥିସହ ସେ ଓଡ଼ିଶା ମଧ୍ୟ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ହୋଇଥିବା ଅମ୍ପନ କ୍ଷୟକ୍ଷତିର ଆକାଶୀ ଅନୁଧ୍ୟାନ କରିବେ ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆଗମନ ନେଇ ଗୁରୁବାର ସନ୍ଧ୍ୟାରେ ଡିସିପି ଅନୁପ ସାହୁ ବିମାନ ବନ୍ଦରରେ ସମୀକ୍ଷା ବୈଠକ କରିଥିଲା ବେଳେ ଡିଜି, ଏଡିଜି, ପୁଲିସ କମିଶନର ପ୍ରମୁଖ ଭୁବନେଶ୍ୱର ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ବୁଧବାରର ଅମ୍ପନ ବାତ୍ୟା ପଶ୍ଚିମବଙ୍ଗକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା ବେଳେ ଓଡ଼ିଶାର ୪ଟି ଜିଲା ସାମାନ୍ୟ ପ୍ରଭାବିତ ହୋଇଛି । ଗୁରୁବାର ମୋଦୀ ଟୁଇଟ୍‌ କରି କହିଥିଲେ ଯେ ରାଜ୍ୟବାସୀ ଯେପରି ଭାବେ ସାହସର ସହ ଏହି ବାତ୍ୟାର ମୁକାବିଲା କଲେ ସେଥିପାଇଁ ମୁଁ ସାଧୁବାଦ ଜଣାଉଛି । ଖୁବ୍‌ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ବୋଲି ସେ ଉଲ୍ଲେଖ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*