ବଗଲାକୁ ଗିଳିବାର ଚକ୍ରାନ୍ତ ପ୍ଲଟିଂ କରି ଥଇଥାନ ଯୋଜନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ପୁରୀ

ଶହ ଶହ ବର୍ଷର ଐତିହ୍ୟ ଓ ସଂସ୍କୃତିକୁ ଦଳିଚକଟି ନଷ୍ଟ କରିସାରିଛି ସରକାର । ୭୫ ମିଟର ଉଚ୍ଛେଦ ବାହାନାରେ ମଠ ଓ ମନ୍ଦିରକୁ ଧୂଳିସାତ୍‌ କରାଗଲା । ହେଲେ ଏହି ଉଚ୍ଛେଦ ଅଭିଯାନର ଶିକାର ହୋଇଥିବା ବିସ୍ଥାପିତଙ୍କୁ କିପରି ଥଇଥାନ କରାଯିବ ତା’ର ପୂର୍ବ ସୂଚନା ଜିଲା ପ୍ରଶାସନ ଦେଇନଥିଲା ବେଳେ ଏବେ ପ୍ରକୃତ ଗୁମର ପଦାକୁ ଆସିଛି । ହାତୀର ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ ଭଳି ପ୍ରଶାସନ ଦେଖାଉଛି ଗୋଟେ ଏବଂ କରୁଛି ଗୋଟେ । ଏହି କ୍ରମରେ ଶିକାର ହେବାକୁ ଯାଉଛି ପୁରାତନ ଓ ପ୍ରସିଦ୍ଧି ଲାଭ କରିଥିବା ବଗଲା ଧର୍ମଶାଳା । ଏହି ଧର୍ମଶାଳାକୁ ଗିଳିବାର ଚକ୍ରାନ୍ତରେ ପ୍ରଶାସନ ରହିଛି । ଏଠାରେ ପ୍ଳଟିଂ କରି ଲଜ୍‌ ମାଲିକମାନଙ୍କୁ ଥଇଥାନ କରିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାକୁ ଏବେ କଡ଼ା ବିରୋଧ କରାଗଲାଣି । ଅନେକ ପ୍ରଶାସନର ଏହି ଚକ୍ରାନ୍ତକୁ ପଦାରେ ପକାଇ ହାଇକୋର୍ଟ ଯିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇସାରିଲେଣି ।
ଦେଢ଼ବର୍ଷ ତଳେ ଏହି ଐତିହାସିକ ଧର୍ମଶାଳାକୁ ଭଙ୍ଗା ଯାଇଥିଲା । ତାକୁ ନୂଆ ରୂପ ଦେବା ପାଇଁ ଏହା କରାଯାଉଥିବା କୁହାଯାଇଥିଲା । ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ଆସିଥିଲା ବେଳେ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଏହି ଧର୍ମଶାଳାକୁ ଭାଙ୍ଗି ୧୦ହଜାରରୁ ଅଧିକ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ ବୋଲି ଯେଉଁ ପ୍ରଶାସନ କହିଥିଲା ଏବେ ସେହି ପ୍ରଶାସନର ଚଞ୍ଚକତା ପଦାକୁ ଆସିଛି । ପ୍ଳଟିଂ କରି ବିକିବା ପାଇଁ ପ୍ଳାନ୍‌ ଓ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇସାରିଛି । ମୋଟ୍‌ ୨୮ଟି ପ୍ଳଟ୍‌ ବାହାର କରାଯାଇଛି । ଲେ-ଆଉଟ୍‌ ପ୍ଳାନ୍‌ ମଞ୍ଜୁରୀ ପାଇଁ ପିକେଡିଏକୁ ଆବେଦନ କରିଛି ଓଡ଼ିଶା ବ୍ରିଜ୍‌ ଆନ୍ଦ କନଷ୍ଟ୍ରକ୍‌ସନ କର୍ପୋରେସନ । ତେଣୁ ପ୍ରଶ୍ନ ଉଠିଛି ୨୧ କୋଟି ବ୍ୟୟରେ ବଗଲା ଧର୍ମଶାଳାର ଉନ୍ନତି ପାଇଁ କାମ ଆରମ୍ଭ ହୋଇଥିଲା ବେଳେ ଏବେ ପ୍ଳଟିଂ କରାଯାଉଛି କାହିଁକି? ବଡ଼କଥା ହେଉଛି ଏହି ଧର୍ମଶାଳା ରାଜ୍ୟ ସରକାରଙ୍କର ନୁହେଁ । ୭୦ ବର୍ଷ ତଳେ କହ୍ନେୟାଲାଲ ତୀର୍ଥଯାତ୍ରୀଙ୍କ ପାଇଁ ୨ ଏକର ୫୭୪ ଡେସିମିଲ୍‌ ଜମିରେ ଏହି ଧର୍ମଶାଳା ତିଆରି କରିଥିଲେ । ପରେ ସେ ଏହାର ପରିଚାଳନା ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାରଙ୍କୁ । ପୁରୀ ଲଜିଂ ହାଉସ୍‌ ଫନ୍ଦ ପକ୍ଷରୁ ଏହାର ପରିଚାଳନା କରାଯାଉଥିଲା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିଯାଉଥିବାରୁ ପ୍ରସାଦ ଯୋଜନାରେ ଏହାକୁ ସାମିଲ କରାଯାଇଥିଲା । ମାତ୍ର ଏବେ ପ୍ରଶାସନ ବଗଲାର ମାଲିକାନା ନିଜ ପାଖରେ ନଥିଲେ ମଧ୍ୟ ଏହାକୁ ପ୍ଳଟିଂ କରି ୭୫ ମିଟର ଉଚ୍ଛେଦର ଶିକାର ହୋଇଥିବା ଲଜ୍‌ ମାଲିକଙ୍କୁ ଦେବାର ଯୋଜନା କରିଛି । ଜିଲା ପ୍ରଶାସନ ମଧ୍ୟ ମାଲିକାନା ବଦଳାଇବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ, ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏଭଳି ଯୋଜନା କରାଯାଉଥିଲା ବେଳେ ତୀର୍ଥଯାତ୍ରୀଙ୍କ ସ୍ୱାର୍ଥକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ । ଅନ୍ୟପଟେ ଏହି ଐତିହାସିକ ବଗଲା ଧର୍ମଶାଳାକୁ ପ୍ଳଟିଂ କରି ବିକିବା ଉଦ୍ୟମକୁ ଜୋରଦାର ବିରୋଧ ଆରମ୍ଭ ହୋଇଗଲାଣି ପୁରୀ ସହରରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*