ପ୍ରଧାନମନ୍ତ୍ରୀ ଇନୋଭେଟିଭ୍‌ ଲର୍ଣ୍ଣିଂ ପ୍ରୋଗ୍ରାମ୍‌ ‘ଧ୍ରୁବ’ରେ ଭାଗନେଇ ଡିଏଭି ଚନ୍ଦ୍ରଶେଖରପୁର ଜ୍ୟୋତିରାଦିତ୍ୟ ଉପରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆନୁକୂଲ୍ୟରେ ଆୟୋଜିତ ୨ସପ୍ତାହ ବ୍ୟାପୀ ‘ଧ୍ରୁବ’ ପ୍ରଶିକ୍ଷଣ ଶିବିରରେ ଡିଏଭି ଚନ୍ଦ୍ରଶେଖରପୁର ଦ୍ୱାଦଶ ଶ୍ରେଣୀର ଛାତ୍ର ଜ୍ୟୋତିରାଦିତ୍ୟ ମିଶ୍ର ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ‘ପ୍ରଧାନମନ୍ତ୍ରୀ ଇନୋଭେଟିଭ ଲର୍ଣ୍ଣିଂ ପ୍ରୋଗ୍ରାମ୍‌’ ଶୀର୍ଷକ ଏହି ବିଶେଷ ପ୍ରଶିକ୍ଷଣ ନିମନ୍ତେ ସମଗ୍ର ଦେଶରୁ ଚୟନ ପ୍ରକ୍ରିୟା ଜିରିଆରେ ୩୦ଜଣ ବଛାବଛା କିଶୋର ବୈଜ୍ଞାନିକଙ୍କୁ ଏଥିନିମନ୍ତେ ମନୋନୀତ କରାଯାଇଥିଲା । ଆଇଆଇଟି ଦିଲ୍ଲୀ, ଇସ୍ରୋ ସମେତ ଦେଶର ପ୍ରମୁଖ ବୈଜ୍ଞାନିକଗଣ ଉକ୍ତ ପ୍ରଶିକ୍ଷଣ ଶିବିରରେ ବିଶେଷ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ଡିଏଭି ପବ୍ଲିକସ୍କୁଲ, ଚନ୍ଦ୍ରଶେଖରପୁରର ଛାତ୍ର ଜ୍ୟୋତିରାଦିତ୍ୟ ଏକମାତ୍ର ଡିଏଭି ଛାତ୍ରଭାବେ ଏଥିରେ ସାମିଲ ହୋଇଥିଲେ । ‘ଧ୍ରୁବ’ କାର୍ଯ୍ୟକ୍ରମକୁ କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ରମେଶ ପୋଖରୀୱାଲ ୨ସପ୍ତାହ ତଳେ ଇସ୍ରୋ ମୁଖ୍ୟାଳୟରେ ଉଦ୍‌ଘାଟନ କରିଥିଲେ । ଜ୍ୟୋତିରାଦିତ୍ୟଙ୍କ ସମେତ ଅଂଶଗ୍ରହଣକାରୀ କିଶୋର ବୈଜ୍ଞାନିକ ଏହି ଲର୍ଣ୍ଣିଂ ପ୍ରୋଗ୍ରାମରେ ଭାଗନେଇ ମହାକାଶ ଗବେଷଣା, ଅଭିନବ ଉଦ୍ଭାବନ, ମାନବସମ୍ବଳ ବିକାଶରେ ବୈଜ୍ଞାନ, ପରିବେଶ ସନ୍ତୁଳନରେ ବୈଜ୍ଞାନ ଆଦି ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ନେବା ସହ ଅଭିନବ ପ୍ରକଳ୍ପମାନ ଉପସ୍ଥାପନ କରିଥିଲେ । ଉଦ୍‌ଯାପନୀ ସମାରୋହରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟାନାଇଡୁ, କେନ୍ଦ୍ର ମାନବସମ୍ବଳ ବିକାଶମନ୍ତ୍ରୀ ପୋଖରୀ ୱାଲଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ନୂଆଦିଲ୍ଲୀ ସ୍ଥିତ ଶିରିଫାର୍ଟ ଅଡିଟୋରିୟମ୍‌ଠାରେ ସମବେତ ହୋଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଉଲ୍ଲେଖଯୋଗ୍ୟ, ଜ୍ୟୋତିରାଦିତ୍ୟ ଅତ୍ୟନ୍ତ ମେଧାବୀ ଛାତ୍ରଭାବରେ ଜଣାଶୁଣା ଓ ପୂର୍ବରୁ ଏନଟିଏସ୍‌ଇ ଓ କେଭି ପିୱାକରେ ଶୀର୍ଷର୍ୟାଙ୍କ ସହ ଉତ୍ତୀର୍ଣ୍ଣ ହୋଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ସବୁ ମହଲରୁ ଜ୍ୟୋତିରାଦିତ୍ୟଙ୍କୁ ବିପୁଳ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*