ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଆମେରିକା ଉପରାଷ୍ଟ୍ରପତି ପଦ ପାଇଁ କମଳା ପ୍ରାର୍ଥୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୁ୍ୟୟର୍କ

କରୋନା ସଂକଟ କାଳରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମଙ୍ଗଳବାର ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ତଥା ଆମେରୀକୀୟ ସିନେଟର କମଳା ହ୍ୟାରିସ୍‌ ଏବେ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବେ । ବିଡେନ୍‌ ଟୁଇଟରରେ ଏହି ଘୋଷଣା କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସିବା ଆରମ୍ଭ ହୋଇଗଲାଣି ।
ଜୋ ବିଡ଼େନ ନିଜ ଟୁଇଟରରେ ଲେଖିଛନ୍ତି ଯେ କମଳା ହ୍ୟାରିସଙ୍କୁ ଏହି ଲଢେଇରେ ମୁଁ ମୋର ସାଥୀ ବନାଇ ବେଶ ଖୁସି ଅଛି । ସେ ଦେଶର ଜଣେ ଭଲ ସିନେଟର ଭାବେ ଜଣାଶୁଣା । ମୁଁ ଦୀର୍ଘ ସମୟ ଧରି ତାଙ୍କ ସହ କାମ କରିଛି । ମହିଳା ଏବଂ ଶିଶୁଙ୍କ ପାଇଁ ସେ ବେଶ ଭଲ କାମ କରିଛନ୍ତି । ବିଡେନଙ୍କ ଟୁଇଟ୍‌ ପରେ କମଳା ମଧ୍ୟ ଟୁଇଟ୍‌ କରି ତାଙ୍କ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଜୋ ବିଡେନ୍‌ ଲୋକଙ୍କୁ ଯୋଡୁଥିବା ଜଣେ ବ୍ୟକ୍ତି ଅଟନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ଲୋକଙ୍କ ଉନ୍ନତି ପାଇଁ ବେଶ ମହତ୍ୱ ରଖେ । ମୁଁ ଖୁସି ଯେ, ମୋତେ ଉପରାଷ୍ଟ୍ରପତି ପଦ ପାଇଁ ସେ ମନୋନୀତ କରିଛନ୍ତି । ମୁଁ ତାଙ୍କ କଥା ସବୁବେଳେ ମାନୁଛି ମାନିବି । ସୂଚନାଯୋଗ୍ୟ ଯେ, ଡେମୋକ୍ରଟିକ୍‌ ଦଳରୁ କମଳା ପ୍ରଥମେ ନିଜକୁ ରାଷ୍ଟ୍ରପତି ପଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ପରେ ସେ ନିଜ ନାମକୁ ପ୍ରତ୍ୟାହାର କରି ସମର୍ଥନ ଦେଇଥିଲେ ଜୋ ବିଡେନଙ୍କୁ । ଆମେରିକା ଇତିହାସରେ ବର୍ତ୍ତମାନ ସୁଦ୍ଧା ମାତ୍ର ଦୁଇଥର କୌଣସି ମହିଳା ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ୧୯୮୪ରେ ଡେମୋକ୍ରଟିକ୍‌ ଦଳରୁ ଗେରାଲଡିନ୍‌ ଫେରାରେ ଏବଂ ୨୦୦୮ରେ ରିପବ୍ଲିକାନର ସାରା ପାଲିନ୍‌ ପ୍ରାର୍ଥୀ ବନିଥିଲେ । ମାତ୍ର ସେମାନେ କେହି ଜିତିପାରିନଥିଲେ ।
ଆମେରିକାରେ ଭାରତୀୟ ସମୁଦାୟରୁ ପାଖାପାଖି ୧୫ଲକ୍ଷ ଭୋଟର ଥିଲା ବେଳେ କମଳାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଏହି ଭୋଟ୍‌ ସବୁ ଡେମୋକ୍ରଟିକ୍‌ ଦଳକୁ ଯିବାର ସମ୍ଭାବନା ଦେଖାଦେଇଛି । ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ କମଳାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ନେଇ ଖୁସି ପ୍ରକଟ କରିଛନ୍ତି । ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଦୀର୍ଘ ସମୟ ଧରି କମଳାଙ୍କୁ ଜାଣିଛି । ସେ ତାଙ୍କ କ୍ୟାରିୟର ସମ୍ବିଧାନକୁ ରକ୍ଷା କରିବା ଦିଗରେ ବିତାଇଛନ୍ତି । ଆଜି ଦେଶ ପାଇଁ ସବୁଠୁ ଭଲ ଦିନ ।
ମାଆ ଭାରତୀୟ, ବାପା ଜାମାଇକାର
କମଳା ହ୍ୟାରିସଙ୍କ ପରିଚୟ ଭାରତୀୟ- ଆମେରିକାନ୍‌ ଭାବେ ଜଣାଶୁଣା । ତାଙ୍କ ମାଆ ଶ୍ୟାମଳା ଗୋପାଳନ ତାମଲନାଡୁର । ସେ ଜଣେ କ୍ୟାନେସର ଗବେଷକ ଥିଲେ । କମଳାଙ୍କ ଜେଜେ ବାପା ପି.ଭି ଗୋପାଳନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । କମଳାଙ୍କ ବାପା ଡୋନାଲ୍ଡ ହ୍ୟାରିସ୍‌ ହେଉଛନ୍ତି ଜାମାଇକାର ।
କମଳାଙ୍କ ମାଆ ଭାରତୀୟ ଏବଂ ବାପା ଜାମାଇକାର ହୋଇଥିବାରୁ ଏହି ଦୁଇ ସମୁଦାୟରେ କମଳାଙ୍କ ଉପସ୍ଥିତି ବେଶ ମଜବୁତ । ଜର୍ଜ ପ୍ଳାୟର୍ଡଙ୍କ ମୃତୁ୍ୟ ପରେ ଦେଶରେ ସରକାରଙ୍କ ବିରୋଧରେ ଅଶ୍ୱେତଙ୍କ ଅସନ୍ତୋଷ ବେଶ ଅଧିକ ରହିଛି । ଏହି କ୍ରମରେ କମଳାଙ୍କ ପ୍ରାର୍ଥୀତ୍ୱ ଡୋମୋକ୍ରାଟିକଙ୍କୁ ଫାଇଦା ଦେଇପାରେ । ୫୫ବର୍ଷିୟା କମଳା ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଏହି ବଡ଼ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ଜୋ ବିଡେନ୍‌ ଏବଂ କମଳାଙ୍କ ସମ୍ପର୍କକୁ ନେଇ କୁହାଯାଏ ଯେ, ଜୋ ଙ୍କ ପୁଅ ଏବଂ କମଳା ଦୁଇଜଣ ଭଲ ବନ୍ଧୁ । ତେବେ ପୂର୍ବରୁ ଅନେକ ଘଟଣାରେ କମଳା ବିଡେନଙ୍କୁ ବିରୋଧ କରି ଆସିଛନ୍ତି । ତେବେ ବିଡେନଙ୍କ ପୁଅ କାରଣରୁ କମଳା ଏବଂ ଜୋ ବିଡେନଙ୍କ ମଧ୍ୟରେ ସମ୍ପର୍କ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*