ପ୍ରଥମ ଟେଷ୍ଟ ଖେଳାଳିଙ୍କ ମିଳନକୁ ନେଇ ଖୁବ୍‌ ରୋମାଞ୍ଚିତ ଶିବସୁନ୍ଦର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଭୁବନେଶ୍ୱରରୁ ସମ୍ବିତ ମହାପାତ୍ର

ସମସ୍ତଙ୍କ ଲାଗି ଶୁକ୍ରବାର ଏକ ବଡ଼ ସ୍ମରଣୀୟ ଦିନ ହେବାକୁ ଯାଉଛି । ଦୁଇ ଦେଶର ଖେଳାଳିଙ୍କ ସହ ମିଡ଼ିଆ କର୍ମୀ ଏବଂ ପ୍ରଶଂସକଙ୍କ ବ୍ୟତିତ ସେଲିବ୍ରିଟି ବି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚର ଅନୁଭୂତି ନେବାକୁ ଆଗ୍ରହରେ ଅପେକ୍ଷା କରିଛନ୍ତି । ସେହିପରି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିବା ପାଇଁ ବଡ଼ ଆଗ୍ରହରେ କୋଲକାତାରେ ପହଞ୍ଚି ଯାଇଛନ୍ତି ପୂର୍ବତନ ଟେଷ୍ଟ ଓପନର ତଥା ଆମ ଓଡ଼ିଶାର କ୍ରୀଡ଼ା ଆଇକନ୍‌ ଶିବସୁନ୍ଦର ଦାସ । ବୋର୍ଡ ସଭାପତି ସୌରଭ ଗାଙ୍ଗୁଲୀଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ ପାଇ ସେ ପହଞ୍ଚିଛନ୍ତି କୋଲକାତା । ଏହି ଐତିହାସିକ ଟେଷ୍ଟକୁ ସ୍ମରଣୀୟ କରି ରଖିବା ପାଇଁ ସୌରଭ ଯେଉଁ ଏକାଧିକ ଉତ୍ସବର ଆୟୋଜନ କରିଛନ୍ତି ତା ଭିତରେ ସାମିଲ ଅଛି ୨୦୦୦ ମସିହା ନଭେମ୍ବର ୧୦ରୁ ୧୩ ତାରିଖ ମଧ୍ୟରେ ଢାକାର ବଙ୍ଗବନ୍ଧୁ ଷ୍ଟାଡ଼ିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ଖେଳାଳିମାନଙ୍କ ପୁନଃମିଳନ ଉତ୍ସବ । ସେଇଥିପାଇଁ କୋଲକାତା ପହଞ୍ଚିଛନ୍ତି ଶିବସୁନ୍ଦର । ସେହି ଟେଷ୍ଟ ମ୍ୟାଚ୍‌ ବାଂଲାଦେଶ ଏବଂ ଶିବସୁନ୍ଦରଙ୍କ ଲାଗି ଐତିହାସିକ ମ୍ୟାଚ୍‌ । ଭାରତ ବିପକ୍ଷରେ ସେହି ମ୍ୟାଚ୍‌ ଖେଳି ଟେଷ୍ଟ ଦୁନିଆରେ ପ୍ରବେଶ କରିଥିଲା ବାଂଲାଦେଶ । ଅର୍ଥାତ୍‌ ବାଂଲାଦେଶର ତାହା ଥିଲା ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଆଉ ଆମ ଶିବସୁନ୍ଦର ନିଜ ପ୍ରଥମ ଟେଷ୍ଟ ମ୍ୟାଚ୍‌ ସେହିଠାରେ ଖେଳିଥିଲେ । ଏହି ପ୍ରତିନିଧି ସହ ଗୁରୁବାର କଥା ହେଲା ବେଳେ ଏହି ବନ୍ଧୁମିଳନର ବ୍ୟବସ୍ଥା ସୌରଭ କରାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ବଡ଼ ଖୁସି ଅଛି । ଯେଉଁଠୁ ଆରମ୍ଭ କରିଥିଲି ସେହି ମ୍ୟାଚର ସାଥୀମାନଙ୍କୁ ପୁଣି ଥରେ ଭେଟିବି ଗୋଟିଏ ଜାଗାରେ । ମୋର ଓ ବାଂଲାଦେଶର ଏହା ପ୍ରଥମ ଟେଷ୍ଟ ଥିଲା ତାହା ସହ ସୌରଭଙ୍କର ମଧ୍ୟ ପ୍ରଥମ ଅଧିନାୟକତ୍ୱ ଥିଲା ବୋଲି କହିଥିଲେ ଶିବସୁନ୍ଦର । ଢାକାର ସେହି ମ୍ୟାଚରେ ଭାରତୀୟ ଦଳ ୯ ୱିକେଟରେ ବାଂଲାଦେଶକୁ ପରାଜିତ କରିଥିଲା । ଓପନର ଭାବେ ଖେଳିଥିବା ଶିବ ପ୍ରଥମ ଇନିଂସରେ ୨୯ ଏବଂ ଦ୍ୱିତୀୟ ଇନିଂସରେ ଅପରାଜିତ ୨୨ ରନ୍‌ ସ୍କୋର କରିଥିଲେ । ସେହି ମ୍ୟାଚ୍‌ ବିଷୟ ମନେ ପକାଇ ପୂର୍ବତନ ଓପନର କହିଥିଲେ ଖେଳ ଆରମ୍ଭର ୨ ଦିନ ଆଗରୁ ସୌରଭ ମତେ ରୁମକୁ ଡାକି ମୁଁ ଖେଳୁଥିବା ବିଷୟ ମୋତେ ଜଣାଇଥିଲେ । ବିନା ଚିନ୍ତାରେ ଫ୍ରି’ରେ ଖେଳେ ବୋଲି ସେ ମୋତେ କହିଥିଲେ । ଅଧିନାୟକଙ୍କ ସମର୍ଥନ ଥିବାରୁ ମୁଁ ମ୍ୟାଚ୍‌ ଆରମ୍ଭ ହେଲା ବେଳକୁ ଆଦୌ ନର୍ଭସ ନଥିଲି । ଖେଳ ଜୀବନ ଆରମ୍ଭ ବେଳେ ମୋର ସ୍ୱପ୍ନ ଥିଲା ଟେଷ୍ଟ ଖେଳିବା । ସେହି ସ୍ୱପ୍ନ ସାକାର ହୋଇଥିଲା ଢାକାରେ । ତେଣୁ ପ୍ରଥମ ଗ୍ରାଉନ୍ଦ, ପ୍ରଥମ ଦଳ ଏବଂ ଖେଳିଥିବା ପ୍ରଥମ ବଲ ଆଜି ବି ମୋର ମନେ ରହିଛି ବୋଲି ଶିବସୁନ୍ଦର କହିଥିଲେ । ଭାରତ ସକାଶେ ଦ୍ୱିତୀୟ ଇନିଂସରେ ବିଜୟ ପାଇଁ ୬୪ ରନ୍‌ ଦରକାର ହେଉଥିଲା ବେଳେ ଶିବସୁନ୍ଦର ଓ ରାହୁଲ ଦ୍ରାବିଡ ଦ୍ୱିତୀୟ ୱିକେଟରେ ୫୩ ରନ୍‌ ଯୋଡ଼ି ଦଳକୁ ଜିତାଇ ଦେଇଥିଲେ । ମୋର ପ୍ରଥମ ଟେଷ୍ଟ ଆଉ ସେଥିରେ ଭାରତୀୟ ଦଳ ଜିତିଲା ବେଳେ ମୁଁ ପିଚରେ ଉପସ୍ଥିତ ଥିବା ମୋ ପାଇଁ ଏକ ଅଭୁଲା ସ୍ମୃତି ବୋଲି ସେ ପ୍ରକାଶ କରିଥିଲେ । ଢାକାର ସେହି ମ୍ୟାଚରେ ଖେଳି ବାଂଲାଦେଶର ୧୧ ଜଣ ଯାକ ଖେଳାଳି ଟେଷ୍ଟ ପଦାର୍ପଣ କରିଥିଲା ବେଳେ ଭାରତ ପକ୍ଷରୁ ଶିବସୁନ୍ଦରଙ୍କ ସହ ସବା କରିମ୍‌ ଏବଂ ଜାହିର ଖାଁ ମଧ୍ୟ ଆରମ୍ଭ କରିଥିଲେ ନିଜ ଟେଷ୍ଟ ଜୀବନ । ଦିବାରାତ୍ର ଟେଷ୍ଟ ବେଳେ ପ୍ରାୟ ୧୯ ବର୍ଷର ସ୍ମୃତି ତାଜା ହେବାକୁ ଯାଉଛି । ବାଂଲାଦେଶର ସେହି ପ୍ରଥମ ଟେଷ୍ଟ ଖେଳିଥିବା ସବୁ ଖେଳାଳି କୋଲକାତା ଆସିଥିଲା ବେଳେ ଭାରତୀୟ ଦଳର ମଧ୍ୟ ସମସ୍ତେ ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*