ପ୍ରତି ୩ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଛୁଉଁଛି ୫୦ ହଜାର ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ୍‌ ବୃଦ୍ଧି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫.୫ଲକ୍ଷ ପାର୍‌ ହୋଇସାରିଛି । ୩ ଦିନ ପୂର୍ବେ ଏହି ସଂଖ୍ୟା ୫ଲକ୍ଷ ପହଞ୍ଚିଥିଲା । ଦେଶରେ ପ୍ରଥମ ୫୦ହଜାର ରୋଗୀ ହେବାକୁ ୯୭ ଦିନ ଲାଗିଥିଲା । ଆଉ ଏବେ ପ୍ରତି ୩ ଦିନରେ ସମାନ ସଂଖ୍ୟକ ନୂଆ ସଂକ୍ରମିତ ମିଳୁଛନ୍ତି । ଏହି କ୍ରମରେ ଗତ ୧୨ ଦିନରେ ହିଁ ୨ଲକ୍ଷ ସଂକ୍ରମିତ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଆଗକୁ ଏହା ଆହୁରି ଦ୍ରୁତ ଗତିରେ ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି । ସେହିପରି ଏହିପରି ବେଗରେ ଯଦି ସଂକ୍ରମିତଙ୍କ ସଂଖ୍ୟା ବଢେ, ତେବେ ଜୁଲାଇ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୫ଲକ୍ଷ ପାର୍‌ ହୋଇଯାଇପାରେ ।
ମହାରାଷ୍ଟ୍ରରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ୍‌ ବୃଦ୍ଧି
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକ୍‌ଡାଉନ୍‌ ପ୍ରତିବନ୍ଧକ ହଟିବାର ପ୍ରଶ୍ନ ଉଠୁନି ବୋଲି କହିବାର ଦିନକ ପରେ ରାଜ୍ୟରେ ଲକ୍‌ଡାଉନ୍‌କୁ ଆସନ୍ତା ଜୁଲାଇ ୩୧ ଯାଏ ବୃଦ୍ଧି କରିଦେଇଛନ୍ତି । ତେଣୁ ରାଜ୍ୟରେ ପୂର୍ବରୁ ଯେପରି କଟକଣା ଲାଗୁ ଥିଲା, ତାହା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର କହିଛନ୍ତି । କଣ୍ଟେନମେଣ୍ଟ ଜୋନ ଅଞ୍ଚଳକୁ କେହି ଯାତାୟାତ କରିପାରିବେ ନାହିଁ ବୋଲି ସରକାର କହିଛନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗ, ଝାଡଖନ୍ଦ ସରକାର ଲକ୍‌ଡାଉନକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଥିଲାବେଳେ ମଣିପୁରରେ ଲକ୍‌ଡାଉନ୍‌ କଟକଣା ଜୁଲାଇ ୧୫ ଯାଏ ରହିବ । ଅନ୍ୟପଟେ ତାମିଲନାଡୁ ଜୁଲାଇ ୩୧ ଯାଲ ଜେନେରାଲ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି । ହେଲେ ଚେନ୍ନାଇରେ ଜୁଲାଇ ୫ ପର୍ଯ୍ୟନ୍ତ କଡା ଲକ୍‌ଡାଉନ୍‌ ବଳବତ୍ତର ରହିବ । ସେହିପରି ପୁରା ରାଜ୍ୟରେ ପ୍ରତ୍ୟେକ ରବିବାର ଲକ୍‌ଡାଉନକୁ କଡାକଡି ପାଳନ କରାଯିବ ବୋଲି ଜଣାପଡିଛି ।
ଅନ୍ୟପଟେ ଦେଶରେ ସୋମବାର ସଂକ୍ରମିତଙ୍କ ସଂଖ୍ୟା ୫,୬୦,୩୪୯ରେ ପହଞ୍ଚିଛି । ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ ଇତିମଧ୍ୟରେ ୩.୨୧ ଲକ୍ଷ ରୋଗୀ ଠିକ୍‌ ହୋଇସାରିଥିବାବେଳେ ୨,୧୦ଲକ୍ଷ ଲୋକଙ୍କ ଚିକିତ୍ସା ଚାଲିଛି । ସେହିପରି ଏହାମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୧୬,୪୯୨ ଜଣ ଲୋକ ପ୍ରାଣ ହରାଇସାରିଲେଣି । ମଧ୍ୟପ୍ରଦେଶ ପୁଣିଥରେ ସର୍ବାଧିକ ସଂକ୍ରମିତ ୧୦ ରାଜ୍ୟ ମଧ୍ୟରେ ସାମିଲ ହୋଇଛି । ଏଠାରେ ଏପର୍ଯ୍ୟନ୍ତ ୧୩,୩୭୦ ଲୋକ ସଂକ୍ରମିତ ହୋଇସାରିଲେଣି ।
ମହାରାଷ୍ଟ୍ରରେ ଆରମ୍ଭ ହେଲା ସବୁଠୁ ବଡ ପ୍ଳାଜମା ଥେରାପି ଟ୍ରାୟଲ
ମହାରାଷ୍ଟ୍ରରେ ଆଜିଠାରୁ ବିଶ୍ୱର ସବୁଠାରୁ ବଡ ପ୍ଳାଜମା ଥେରାପୀ ଟ୍ରାୟଲ ଆରମ୍ଭ ହୋଇଛି । ରାଜ୍ୟସରକାର ଏହି ପ୍ରୋଜେକ୍ଟର ନାମ ପ୍ଳେଟିନା ରଖିଛନ୍ତି । ଏହା ଅନ୍ତର୍ଗତ ୫୦୦ ଜଣ ରୋଗୀଙ୍କୁ ପ୍ଳାଜମା ଥେରାପୀର ଦୁଇଟି ଲେଖାଏଁ ଡୋଜ୍‌ ଦିଆଯାଇଛି । ଯଦି ଫଳାଫଳ ସକରାତ୍ମକ ରହିଲା, ତେବେ ଏହାକୁ ପୁରା ରାଜ୍ୟରେ ଲାଗୁ କରାଯିବ । ଏଥିପାଇଁ ରାଜ୍ୟ ସରକାର ୭୫ କୋଟିର ବଜେଟ୍‌ ବ୍ୟୟବରାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ଥେରାପୀର ପୁରା ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । ମହାରାଷ୍ଟ୍ରରେ ଏବେ ଦେଢ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ରୋଗୀ ରହିଛନ୍ତି । ଏହି ପ୍ଳାଜମା ଥେରାପୀର ଲକ୍ଷ୍ୟ ମୃତହାର କମ୍‌ କରିବା ରହିଛି ।
ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ରାଜଧାନୀରେ ପ୍ଳାଜମା ଥେରାପୀରେ କରୋନା ଚିକିତ୍ସା ହେବ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ଆଇଏଲବିଏସରେ ଏକ ପ୍ଳାଜମା ବ୍ୟାଙ୍କ୍‌ ଆସନ୍ତା ୨ ଦିନ ମଧ୍ୟରେ ଆରମ୍ଭ ହେବ । ଡାକ୍ତରଙ୍କ ପରାମର୍ଶକ୍ରମେ ରୋଗୀଙ୍କୁ ଏହି ବ୍ୟାଙ୍କରୁ ପ୍ଳାଜମା ମିଳିପାରିବ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*