ପୂର୍ବ ଅଧିକାରୀଙ୍କ ବିପକ୍ଷ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ଜଣ ପୂର୍ବତନ ପ୍ରଶାସକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ନିକଟରେ କେନ୍ଦ୍ର ସରକାର ଅର୍ଥ ମନ୍ତ୍ରଣାଳୟର ୪ଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ବେଳେ ଏହାକୁ ବିରୋଧ କରି ୭୧ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ମିଳିତ ଚିଠି ଲେଖିଛନ୍ତି । ସାଧୁ ଓ ସଚ୍ଚୋଟ ପ୍ରଶାସନିକ ଅଧିକାରୀମାନଙ୍କ ମନ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଭାଙ୍ଗିଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ସେମାନେ । କୌଣସି ଫାଇଲ ପୁନଃ ଖୋଲାଯିବା ସକାଶେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯିବା ଉଚିତ ବୋଲି ମଧ୍ୟ ସେମାନେ ଚିଠିରେ ବତାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖାଯାଇଥିବା ଏହି ଚିଠିରେ ଦସ୍ତଖତ କରିଥିବା ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ପୂର୍ବତନ କ୍ୟାବିନେଟ୍‌ ସଚିବ କେଏମ୍‌ ଚନ୍ଦ୍ରଶେଖର, ପୂର୍ବତନ ବୈଦେଶିକ ସଚିବ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ୍‌, ପୂର୍ବତନ ବୈଦେଶିକ ସଚିବ ସୁଜାତା ସିଂହ ଏବଂ ପଞ୍ଜାବ ପୁଲିସର ପୂର୍ବତନ ଡିଜି ଜୁଲିଏସ୍‌ ରିବେରିଓ । ଏହି ଚିଠିରେ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଯେ, କିଛି ହାତଗଣତି ପୂର୍ବତନ ଅଧିକାରୀମାନଙ୍କୁ କରାଯାଉଛି ଟାର୍ଗେଟ୍‌ । ରାଜନୈତିକ ସ୍ୱାର୍ଥ ସିଦ୍ଧି ସକାଶେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଗତମାସରେ କେନ୍ଦ୍ର ସରକାର ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ କୁଲର ଏବଂ ଅନ୍ୟମାନଙ୍କ ବିରୋଧରେ ଆଇଏନଏକ୍ସ ମିଡିଆ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସିବିଆଇକୁ ଅନୁମତି ଦେଇଥିଲେ ।ଏଥିସହ ପୂର୍ବତନ କେନ୍ଦ୍ର ଲଘୁ ଓ ମଧ୍ୟମ ଶିଳ୍ପ ସଚିବ ଅନୁପ ପୂଜାରୀ, ପୂର୍ବତନ ଅର୍ଥ ମନ୍ତ୍ରଣାଳୟର ନିଦେ୍ର୍ଦଶକ ପ୍ରବୋଧ ସାକ୍‌ସେନା ଏବଂ ଅର୍ଥନୈତିକ ବ୍ୟାପାରର ପୂର୍ବତନ ଉପସଚିବ ରବୀନ୍ଦ୍ର ପ୍ରସାଦଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁମତି ଦେଇଛନ୍ତି । ୭୧ ଜଣ ଯାକ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଦାନ କରିଥିବା ଚିଠିରେ ନିଜ ରାଜନୈତିକ ଶତ୍ରୁମାନଙ୍କୁ ଟାର୍ଗେଟ୍‌ କରିବା ବେଳେ ସେମାନେ ଅଧିକାରୀମାନଙ୍କୁ ମୋହରା କରୁଥିବା କହିଛନ୍ତି ।
ଦେଶଦ୍ରୋହ ମାମଲା ସରକାର କରିନାହାନ୍ତି
ହିଂସକ ଭିଡ଼ ଦ୍ୱାରା ହତ୍ୟା କରାଯାଉଥିବା ପ୍ରତିବାଦରେ ଗତ ଜୁଲାଇ ମାସରେ ଦେଶର ୪୯ଜଣ ପ୍ରମୁଖ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁମାନଙ୍କ ମଧ୍ୟରେ ଶ୍ୟାମ ବେନେଗଲ, ମଣି ରତ୍ନମ୍‌ ଏବଂ କୋଙ୍କଣା ସେନ୍‌ ଶର୍ମାଙ୍କ ଭଳି ଅନେକ ଥିଲେ ସାମିଲ । ଏ ବ୍ୟକ୍ତିମାନଙ୍କ ବିରୋଧରେ ବିହାରର ଜଣେ ଆଡ୍‌ଭୋକେଟ୍‌ ଦେଶଦ୍ରୋହ ମାମଲା ରୁଜୁ କରାଇଛନ୍ତି । ଏହାକୁ ନେଇ ଦେଶସାରା ବ୍ୟାପକ ଚର୍ଚ୍ଚା ହେଉଥିଲା ବେଳେ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହି ଦେଶଦ୍ରୋହ ମାମଲା ବିଶେଷ ବ୍ୟକ୍ତିମାନଙ୍କ ବିରୋଧରେ କେନ୍ଦ୍ର ସରକାର ଲଗାଇ ନାହାନ୍ତି । ୪୯ଜଣ ସେଲିବ୍ରେଟିଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ତାହା କୋର୍ଟଙ୍କ ନିଦେ୍ର୍ଦଶରେ ହୋଇଛି ବୋଲି ସେ କହିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*