ପୁଣି ଏକ ନିର୍ଭୟା କାଣ୍ଡ,ସହଯୋଗ ପାଇଁ ଆସିଲେ, ଦୁଷ୍କର୍ମ କରି ଜାଳିଦେଲେ ଘଟଣାରେ ୪ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ହାଇଦ୍ରାବାଦ

ନୂଆଦିଲ୍ଲୀର ନିର୍ଭୟା ଘଟଣା ବିଶ୍ୱ ଦରବାରରେ ଏହା ସୂଚାଇ ଦେଇଥିଲା ଯେ, ଭାରତରେ ମହିଳାମାନେ କେତେ ସୁରକ୍ଷିତ । ଏହି ଭୟଙ୍କର ଓ ହୃଦୟ ବିଦାରକ ଘଟଣା ପରେ ସରକାର ଚେତିଥିଲେ ଓ ମହିଳାଙ୍କ ସୁରକ୍ଷା ପାଇଁ ଅଣାଯାଇଛି କଡ଼ା ଆଇନ । ମାତ୍ର ଏହି ଆଇନକୁ କେହି ଭୃକ୍ଷେପ କରୁନାହାନ୍ତି । ଦେଶରେ ମହିଳା ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ମାମଲା ବଢିବାର ଲାଗିଛି । ଗତ ମାସରେ ତେଲେଙ୍ଗାନାରେ ଅଫିସ ଭିତରେ ଜଣେ ମହିଳା ତହସିଲଦାରଙ୍କ ଉପରେ କିରାସିନି ଢାଳି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏବେ ସେହି ତେଲୋଙ୍ଗାନର ଜଣେ ମହିଳା ଡାକ୍ତରଙ୍କୁ ଦୁର୍ବୃତ୍ତମାନେ ସହଯୋଗ କରିବାକୁ ଆସି ଦୁଷ୍କର୍ମ କରିଥିଲେ ଏବଂ ନିଆଁ ଲଗାଇ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି ।
ଘଟଣାଟି ହାଇଦ୍ରାବାଦର । ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେ କଡ଼ରେ ଜଣେ ମହିଳା ଡାକ୍ତରଙ୍କ ଅଧାପୋଡ଼ା ଶବ ମିଳିବା ସମସ୍ତଙ୍କୁ ଚକିତ କରିଦେଇଥିଲା । ୨୭ ବର୍ଷିୟ ଏହି ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ଦେଇଥିଲେ ।
ଶେଷ ଫୋନ କଲ୍‌ ୯.୨୨ମି:
ବୁଧବାର ସକାଳୁ ଏହି ପଶୁ ଡାକ୍ତର ପ୍ରିୟଙ୍କା ଡାକ୍ତରଖାନା ଯାଇଥିଲା ବେଳେ ସନ୍ଧ୍ୟାରେ ଫେରିବା ସମୟରେ ପ୍ରିୟଙ୍କାଙ୍କ ସ୍କୁଟି ପଙ୍କଚର ହୋଇଥିବା ଜଣାପଡ଼ିଥିଲା । ସେ ସାଦ୍‌ନଗର ଟୋଲ ପ୍ଳାଜା ନିକଟରେ ନିଜ ସ୍କୁଟିକୁ ପାର୍କ କରିଥିଲେ । ଡାକ୍ତରଖାନାରୁ ଫେରିବା ପରେ ସ୍କୁଟି ପଙ୍କଚର ଥିବା ଜାଣି ପ୍ରିୟଙ୍କା ଫୋନ କରିଥିଲେ ନିଜ ଭଉଣୀକୁ (ରାତି ୯.୨୨ ମିନିଟ୍‌) । ସେ କହିଥିଲେ ପାଖର କିଛି ଲୋକ ମୋତେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ହେଲେ ମୋତେ ଭାରି ଡର ଲାଗୁଛି । ଭଉଣୀ ଜଣକ ଏହା ଶୁଣିବା ପରେ କହିଥିଲେ ତୁ ସ୍କୁଟିକୁ ସେଠାରେ ପାର୍କ କରି କ୍ୟାବ ନେଇ ଘରକୁ ଫେରିଆ । ହେଲେ ଏହା ପରେ ପ୍ରିୟଙ୍କାଙ୍କ ଫୋନ୍‌ ସ୍ୱିଚ୍‌ଅଫ୍‌ ହୋଇଯାଇଥିଲା । ଏହାପରେ ପ୍ରିୟଙ୍କାଙ୍କ ପରିବାର ଲୋକେ ସାଦ୍‌ନଗର ଟୋଲପ୍ଳାଜାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ପାଇନଥିଲେ । ପରଦିନ ପ୍ରିୟଙ୍କାଙ୍କ ଅର୍ଦ୍ଧଦଗ୍ଧ ଶବ ସାଦ୍‌ନଗର ଅନ୍ଦରପାସ୍‌ ନିକଟରେ ପଡ଼ିଥିଲା ।
୪ ଗିରଫ:
ହାଇଦ୍ରାବାଦ ପୁଲିସ ଶୁକ୍ରବାର ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ଟ୍ରକ ଡ୍ରାଇଭର, ଜଣେ କ୍ଳିନର ଆଉ ଦୁଇ ଜଣ ସ୍ଥାନୀୟ ଲୋକେ ଅଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଜାଣିଶୁଣି ପୂର୍ବରୁ ଏହି ମହିଳା ଡାକ୍ତରଙ୍କ ସ୍କୁଟିକୁ ପଙ୍କଚର କରାଯାଇଥିଲା । ମହିଳା ଜଣକ ଏହା ଜାଣିବା ପରେ ଦୁଇ ଜଣ ଆସି ତାଙ୍କୁ ସହଯୋଗ କରିବାର ପ୍ରସ୍ତାବ ଦେଇଥିଲେ । ପ୍ରଥମେ ଦୁଇ ଜଣ ମୋଟରସାଇକେଲରେ ସ୍କୁଟି ଚକାକୁ ନେଇ ଯାଇଥିଲେ ମରାମତି ପାଇଁ । ପରେ ଫେରି କହିଥିଲେ ଦୋକାନ ବନ୍ଦ ଅଛି । ମହିଳା ଡାକ୍ତରଙ୍କୁ ଆଗରେ ଏକ ମେକାନିକ ଦୋକାନ ଅଛି ବୋଲି କହି ସେମାନେ ସେଠାକୁ ଯିବାର ପ୍ରସ୍ତାବ ଦେଇଥିଲେ । ପରେ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କ ସହ ସାମୁହିକ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରାଯାଇଥିବା ସ୍ଥାନଟି ଟୋଲପ୍ଳାଜା ନିକଟରେ ହୋଇଥିଲା ବେଳେ ତାଙ୍କ ଅଧାପୋଡ଼ା ଶରୀର ୨୫ କିମି ଦୂର ରାଙ୍ଗାରେଡ୍ଡି ଜିଲ୍ଲାର ଚଟାନ୍‌ପାଲି ବ୍ରିଜ ନିକଟରେ ପଡ଼ିଥିଲା । ମହିଳା ଆୟୋଗଙ୍କ ପକ୍ଷରୁ ମଧ୍ୟ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ବର୍ତ୍ତମାନ ଏହି ଚାରି ଅଭିଯୁକ୍ତଙ୍କୁ ତୁରନ୍ତ ଫାଶି ଦେବା ନିମନ୍ତେ ଦାବି ଉଠୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*