ପିରିୟଡ. ଏଣ୍ଡ ଅଫ୍‌ ସେଣ୍ଟେନସ୍‌କୁ ଓସ୍କାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହାପୁର ସହର ପାଖ କାଠିଖେରା ଗାଁରେ ସୋମବାର ଉତ୍ସବର ମାହୋଲ । ଆମେରିକାର ଲସ୍‌ଏଞ୍ଜେଲସ ସହର ଠାରୁ କାଠିଖେରା ଗାଁର ଦୂରତ୍ୱ ଖୁବ୍‌ ବେଶି । ହେଲେ ସେହି ସହରର ଏକ ଉତ୍ସବ ଏହି ମଫସଲ ଗାଁ ରେ ଖେଳାଇ ଦେଇଛି ଖୁସି । ତା’ର କାରଣ ହେଲା ସ୍ନେହା ସାମିଲ ଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ବିଶ୍ୱ ସିନେମାର ସବୁଠାରୁ ବଡ଼ ପୁରସ୍କାର ଭାବେ ଜଣାଶୁଣା ଓସ୍କାର ପାଇବା ପାଇଁ ସକ୍ଷମ ହୋଇଛି । ସ୍ନେହା ଓ ଅନ୍ୟକିଛି ଦୃଢମନା ମହିଳା ଯେଉଁମାନେ ଭାରତୀୟ ଗ୍ରାମାଞ୍ଚଳରେ ମହିଳା ଋତୁଃସ୍ରାବକୁ ନେଇ ଯେଉଁ କେଇ ଶତାଦ୍ଦୀର ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକ ପରମ୍ପରାମାନ ଥିଲା ତା’ବିରୋଧରେ ଲଢେଇ କରିଥିଲେ । ତାଙ୍କର ସେହି ଲଢେଇର କଥାକୁ ନେଇ ନିର୍ମିତ ବୃତ୍ତଚିତ୍ର ପିରିୟଡ. ଏନ୍ଦ ଅଫ୍‌ ସେଣ୍ଟେନସ୍‌ ସୋମବାର ଭୋରରେ ଲସ୍‌ଏଞ୍ଜେଲସ୍‌ ଠାରେ ଶ୍ରେଷ୍ଠ ବୃତ୍ତଚିତ୍ର ପୁରସ୍କାର ଲାଭ କରିଛି । ଭାରତୀୟ ପୃଷ୍ଠଭୂମୀ ଉପରେ ନିର୍ମିତ ଏହା ଦ୍ୱିତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଯାହା ପାଇଲା ଓସ୍କାର । ୨୦୦୮ ମସିହାରେ ଗ୍ରହଣ ଖନ୍ଦିଆ ଚିକିତ୍ସା ଉପରେ ନିର୍ମିତ ବୃତ୍ତଚିତ୍ର ସ୍ମାଇଲ ପିଙ୍କି ଓସ୍କାର ପାଇବା ପାଇଁ ସକ୍ଷମ ହୋଇଥିଲା ।
ପ୍ରାୟ ୪୦ ହଜାର ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି ଏହି ବୃତ୍ତଜିତ୍ର ନିର୍ମାଣ ସକାଶେ । ପ୍ରାୟ ଗୋଟାଏ ବର୍ଷ ଆମେରିକା ଓ ଭାରତର ଟେକ୍‌ନିସିଆନ୍‌ମାନେ ମିଳିତ ଭାବରେ ଏହି ବୃତ୍ତଚିତ୍ର ନିର୍ମାଣରେ ସାମିଲ ଥିଲେ । ଲସ୍‌ଏଞ୍ଜଲେସ୍‌ର ଓକ୍‌ଉଡ୍‌ ସ୍କୁଲର କିଛି ଛାତ୍ରୀ ସେମାନଙ୍କର ଶିକ୍ଷୟତ୍ରୀ ମେଲିସା ବରଟନ୍‌ଙ୍କ ନେତୃତ୍ୱରେ ଏକ ବିଶେଷ ଗବେଷଣା ପ୍ରକଳ୍ପରେ କାମ କରୁଥିଲେ । ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନ ଆଦି ଦେଶରେ କିଶୋରୀ ଛାତ୍ରୀଙ୍କ ଅବସ୍ଥା ବାବଦରେ ସେମାନେ ଗବେଷଣା କଲାବେଳେ ମାସିକ ଋତୁସ୍ରାବ ଭାରତର ଗ୍ରାମାଞ୍ଚଳରେ କେତେ କଷ୍ଟପୂର୍ଣ୍ଣ କଥା ହୋଇ ରହିଛି ତାହା ଜାଣିବାକୁ ପାଇଥିଲେ । କିଛି ଏକ ଦୃଷ୍ଟାନ୍ତମୂଳକ କାମ ଏହି ପ୍ରକଳ୍ପ ମାଧ୍ୟମରେ କରିବା ସକାଶେ ସେମାନେ ଆରମ୍ଭ କରିଥିଲେ ଦ ପ୍ୟାଡ୍‌ ପ୍ରୋଜେକ୍ଟ । ଦିଲ୍ଲୀ ପାଖ ହାପୁରକୁ ବାଛିଥିଲେ ସେମାନେ ନିଜ ପ୍ରୋଜେକ୍ଟର ସ୍ଥାନ । ଏହି ହାପୁର ଅଞ୍ଚଳର କିଛି ମହିଳା ପରମ୍ପରାଗତ ବନ୍ଧନରୁ ବାହାରି ମାସିକ ଋତୁସ୍ରାବ ବିଷୟରେ କାହିଁ କେବେ ଠାରୁ ରହିଥିବା ଅନ୍ଧବିଶ୍ୱାସକୁ ହଟାଇବା ଲାଗି ଯେଉଁ ପ୍ରୟାସ କରୁଥିଲେ ତାକୁ ବଳଦେବା ଓ ସେ କଥାକୁ ବିଶ୍ୱବ୍ୟାପି କରାଇବା ପାଇଁ ଆରମ୍ଭ କରିଥିଲେ ଚେଷ୍ଟା । ଫଳରେ ଏହି ବୃତ୍ତଚିତ୍ର ନିର୍ମାଣ ବିଷୟ ଆକୁ ଆସିଥିଲା । କିପରି କିଶୋରାବସ୍ଥାରେ ଭାରତର ଗ୍ରାମାଞ୍ଚଳରେ ଏହି ମାସିକ ଋତୁସ୍ରାବ ବିଷୟ ଝିଅମାନଙ୍କର ବିକାଶରେ ବାଧକ ହେଉଛି ତାହାର ପ୍ରତ୍ୟକ୍ଷ ଅନୁଭୂତି କଲାପରେ ଓକ୍‌ଉର ସ୍କୁଲର ଏହି ଟ୍ରେନିମାନେ ପ୍ୟାଡ୍‌ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଭାରତର ଗ୍ରାମାଞ୍ଚଳରେ ଗୋଟିଏ ଝିଅର ଋତୁସ୍ରାବ ଆରମ୍ଭ ହେଲେ ସିଏ ହୁଏତ ଆଉ କେବେ ବି ସ୍କୁଲ ଯାଇପାରେ ନାହିଁ । ତା ସ୍କୁଲ ଯିବା ଉପରେ ଲାଗିଯାଏ ପ୍ରତିବନ୍ଧକ । ଏ ବିଷୟ ବି ବଡ଼ ବ୍ୟଥିତ କରିଥିଲଶ ସେମାନଙ୍କୁ । ତେଣୁ ପୂରା ଘଟଣା ଉପରେ ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିବା ଏବଂ ହାପୁରର ସେହି ସ୍କୁଲରେ ଏକ ପ୍ୟାଡ୍‌ ତିଆରି ମେସିନ୍‌ ବସାଇବା ଏହି ପ୍ରକଳ୍ପ ଭିତରେ ସାମିଲ ଥିଲା ।
ସୋମବାର ଭୋରରେ ଓସ୍କାର ପାଇଥିବା ଏହି ବିଶେଷ ବୃତ୍ତଚିତ୍ରଟିକୁ ନିଦେ୍ର୍ଦଶନା ଦେଇଛନ୍ତି ରାଇକା ଜେଟାବାଚ୍ଚି । ଲସ୍‌ ଏଞ୍ଜଲେସ୍‌ ସହରରେ ରହୁଥିବା ଏହି ମହିଳା ସିନେ ନିଦେ୍ର୍ଦଶିକାଙ୍କର ବହୁ କ୍ଷୁଦ୍ର ଚଳଚ୍ଚିତ୍ର ବିଶ୍ୱରେ ବେଶ୍‌ ପ୍ରଶଂସିତ ହୋଇଛି । ଏହି ବୃତ୍ତଚିତ୍ର ନିର୍ମାଣ ବେଳେ ଭାରତୀୟ ବଂଶୋଦ୍ଭବ ସିନେ ନିର୍ମାତା ବୈଶାଳୀ ସିହ୍ନା ରାଇକାଙ୍କୁ ସହଯୋଗ କରିଥିଲେ । ମୁମ୍ବାଇରେ ଜନ୍ମିତ ବୈଶାଳୀ ଏବେ ନିୟୁର୍କର ବୃକ୍‌ଲିନ୍‌ରେ ରହୁଛନ୍ତି । ବିଶ୍ୱ ସିନେମାର ଏହି ବଡ଼ ଉତ୍ସବରେ ଭାରତ ବା ଭାରତ ସମ୍ପର୍କିତ ଚଳଚ୍ଚିତ୍ର ବିଶେଷ ଚମକେ ନାହିଁ । ତେଣୁ ଏହି ନିଆରା ବୃତ୍ତଚିତ୍ରଟି ଶ୍ରେଷ୍ଠ କ୍ଷୁଦ୍ର ଫିଲ୍ମ ବର୍ଗରେ ପୁରସ୍କୃତ ହେବା ସତରେ ଏକ ଐତିହାସିକ ମୁହୂର୍ତ୍ତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*