ପାକ୍‌ ‘ମିଛ’ର ପୁଣି ପର୍ଦ୍ଦାଫାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିବାକୁ ପାକିସ୍ତାନର ଉଦ୍ୟମ ପରେ ଗୁରୁବାର ୩ ସେନା ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ପଡୋଶୀ ଦେଶରୁ ଆସିବାକୁ ଥିବା ଯେକୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ସେମାନେ ପ୍ରସ୍ତୁତ ବୋଲି କହିଛନ୍ତି । “ପାକିସ୍ତାନ ଆମ ସେନା ଶିବିରକୁ ଟାର୍ଗେଟ କରିଥିଲା । ସେମାନେ ପରିସ୍ଥିତିକୁ ଅଧିକ ଉତ୍ତେଜିତ କରିଦେଇଛନ୍ତି । ଯଦି ସେମାନେ ଏପରି କାର୍ଯ୍ୟ ଜାରି ରଖିବେ, ତେବେ ଆମେ ମଧ୍ୟ ତାଙ୍କୁ ଠିକଣା ଜବାବ ଦେବୁ” ବୋଲି ମେଜର ଜେନେରାଲ ସରେନ୍ଦ୍ର ସିଂହ ମହଲ ଏହି ଅବସରରେ କହିଥିଲେ । ପାକିସ୍ତାନୀ ସେନା ଜାମ୍ମୁ-କାଶ୍ମୀରର ବିଗ୍ରେଡ ହେଡକ୍ୱାର୍ଟର, ବାଟାଲିଅନ ହେଡକ୍ୱାର୍ଟର ଏବଂ ପରିବହନ ଶିବିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ବୋଲି ସେ ସୂଚନା ଦେଇଥିଲେ । ଆମେ ଦେଶବାସୀଙ୍କୁ ଭରସା ଦେବାକୁ ଚାହୁଁଛୁ ଯେ, ସେମାନେ ସୁରକ୍ଷିତ ଅଛନ୍ତି । ଦେଶ ବିରୋଧରେ ଯୋଜନା କରୁଥିବା ସଂଗଠନ, ରାଷ୍ଟ୍ର ଆଦିକୁ ଉଚିତ୍‌ ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ମେଜର ଜେନେରାଲ କହିଛନ୍ତି ।
ଏହି ଅବସରରେ ପାକିସ୍ତାନୀ ବାୟୁସେନା ଏଫ-୧୬ ବିମାନ ଦ୍ୱାରା ସେନା ଶିବିରକୁ ଟାର୍ଗେଟ କରିଥିବା ନେଇ ସେନା ପକ୍ଷରୁ ପ୍ରମାଣ ଦେଖାଯାଇଥିଲା । ପାକିସ୍ତାନ ଭାରତ ଉପରେ ଏଫ-୧୬ ବିମାନରୁ କୌଣସି ଆକ୍ରମଣ କରିନାହିଁ କହୁଥିଲେ ହେଁ ଏହା ମିଛ ହୋଇଥିବା ଜଣାପଡିଛି । କାରଣ ଭାରତୀୟ ସେନା ଶିବିର ଉପରକୁ ଯେଉଁ ଏମ୍ରାମ ମିସାଇଲ ଦଗା ଯାଇଛି, ତାହାକୁ ଦାଗିବାର କ୍ଷମତା କେବଳ ଏଫ୍‌-୧୬ ବିମାନ ରଖୁଛି । ରାଜୌରୀ ସେକ୍ଟରୁ ଏମ୍ରାମ ମିସାଇଲ କିଛି ଅଂଶ ମିଳିଛି, ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ପାକିସ୍ତାନ ଏଫ-୧୬ ଲଢୁଆ ବିମାନକୁ ଭାରତ ବିରୋଧରେ ବ୍ୟବହାର କରିଥିଲା ବୋଲି ଭାଇସ୍‌ ଏୟାର ମାର୍ଶାଲ ଆରଜିକେ କାପୁର କହିଛନ୍ତି । ସେହିପରି ପାକିସ୍ତାନ ଭାରତର ୨ ବିମାନକୁ ମାରି ଖସାଇଥିବା ଏବଂ ୩ ପାଇଲଟଙ୍କୁ ବନ୍ଦୀ କରିଥିବା କଥା ଦାବି କରିଥିଲା, ଯାହାକି ପରବର୍ତ୍ତୀ ସମୟରେ ମିଛ ବୋଲି ଜଣାପଡିଥିଲା । ଏହାଛଡା ପାକିସ୍ତାନ ଜନବସତି କିମ୍ବା ସେନା ଶିବିର ନଥିବା ଅଞ୍ଚଳରେ ବୋମା ପକାଇଥିଲେ ବୋଲି କହିଥିଲେ । ତାହାବି ମିଛ ଥିଲା ବୋଲି ଭାଇସ୍‌ ଏୟାର ମାର୍ଶାଲ କହିଛନ୍ତି ।
ସେହିପରି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ ହେଁ, ପ୍ରକୃତରେ ଏହା ଜେନେଭା ଚୁକ୍ତି କାରଣରୁ ସମ୍ଭବ ହୋଇପାରିଛି ବୋଲି ଆରଜିକେ କାପୁର କହିଥିଲେ । ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ୮ଟି ଏଫ-୧୬, ୪ ମିରେଜ-୩, ୪ଟି ଚୀନ ନିର୍ମିିତ ଜେଏଫ-୧୭ ଥନ୍ଦର ଲଢୁଆ ବିମାନ ଥିଲା । ଫେବୃଆରୀ ୨୭, ସକାଳ ୧୦ ସମୟରେ ଭାରତୀୟ ରାଡାରରେ ପାକିସ୍ତାନୀ ଲଢୁଆ ବିମାନର ଗତିବିଧି ପରିଲକ୍ଷିତ ହୋଇଥିଲା । ରାଜୌରୀ ଏବଂ ସୁନ୍ଦରବନୀ ସେକ୍ଟରକୁ ପଡୋଶୀ ଦେଶର ବିମାନ ପଶିଆସିଥିଲା । ମିଗ୍‌-୨୧ ବାଇସନ, ସୁଖୋଇ-୩୦ ଏବଂ ମିରେଜ-୨୦୦୦କୁ ପାକିସ୍ତାନୀ ବିମାନକୁ ରୋକିବାର ଦାୟିତ୍ୱ ଦିଆଯାଇଥିଲା । ଆମର ଲଢୁଆ ବିମାନ ସେନା ଶିବରକୁ ଟାର୍ଗେଟ କରିବାକୁ ସେମାନଙ୍କର ଉଦ୍ୟମକୁ ପନ୍ଦ କରିଦେଇଥିଲା । ସେମାନେ ପକାଇଥିବା ବୋମା ଦ୍ୱାରା ଆମର କିଛି କ୍ଷୟକ୍ଷତି ହୋଇନଥିଲା ବୋଲି ଭାଇସ୍‌ ଏୟାର ମାର୍ଶାଲ ପ୍ରକାଶ କରିଛନ୍ତି ।
ନୌସେନାର ରିୟର ଆଡମିରାଲ ଦଲବୀର ସିଂହ ଗୁଜରାଲ କହିଛନ୍ତି ଯେ, ପାକିସ୍ତାନ ଯଦି ସମୁଦ୍ର ପଥରେ କୌଣସି ପ୍ରକାର ଭୁଲ କାର୍ଯ୍ୟ କରେ, ତେବେ ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ, ତାଙ୍କୁ ଉଚିତ୍‌ ଜବାବ ଦିଆଯିବ । ଆମେ ସମସ୍ତେ ଏକ ହୋଇ କାମ କରୁଛୁ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*