ପାକିସ୍ତାନର ହନିଟ୍ରାପ୍‌ରେ ଓଡ଼ିଆ ଯବାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର/ଭଞ୍ଜନଗର

ଭାରତରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଓ ଅନ୍ୟ ସମ୍ବନ୍ଧୀୟ ତଥ୍ୟ ହାସଲ ପାଇଁ ପାକିସ୍ତାନ ହନିଟ୍ରାପ୍‌ କରୁଥିବା ଖବର ବହୁ ପୂର୍ବରୁ ସମସ୍ତଙ୍କୁ ଜଣାଅଛି । ଏହି ସୁନ୍ଦରୀ ମହିଳାଙ୍କ ଫାସରେ ନ ପଡ଼ିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ପକ୍ଷରୁ ସେନାବାହିନୀର ଯବାନ ଓ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶନାମା ରହିଛି । ଏବେ ଏହି ହନିଟ୍ରାପ୍‌ରେ ପଡ଼ି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶତ୍ରୁ ରାଷ୍ଟ୍ରକୁ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଶାର ଜଣେ ଯବାନ ବିଚିତ୍ର ବେହେରା । ଅର୍ଥଲୋଭରେ ସେ ଏଭଳି କାର୍ଯ୍ୟ କରିଥିବା କୁହାଯାଉଥିଲାବେଳେ ବିଚିତ୍ରଙ୍କ ପରିବାର ଲୋକେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଚିତ୍ର ରାଜସ୍ଥାନର ଜୟସାଲମର ଅନ୍ତର୍ଗତ ପୋଖରାନରେ ମୁତୟନ ଥିଲେ ।
ବୁଧବାର ରାଜସ୍ଥାନ ସିଆଇଡି କ୍ରାଇମ୍‌ବ୍ରାଞ୍ଚ ଜୟପୁର ରେଳଷ୍ଟେସନରୁ ପାକିସ୍ତାନର ମହିଳା ଆଇଏସ୍‌ଏସ୍‌ ଏଜେଣ୍ଟକୁ ତଥ୍ୟ ଦେଇଥିବା ଅଭିଯୋଗରେ ୨ଜଣ ଯବାନଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଓଡ଼ିଶାର ବିଚିତ୍ର ବେହେରା ଏବଂ ଆଉ ଜଣେ ଲାନ୍ସ ନାୟକ ରବି ବର୍ମା । ସୂଚନା ଅନୁସାରେ ସୋସିଆଲ୍‌ ମିଡିଆରେ ବିଚିତ୍ରଙ୍କ ସମ୍ପର୍କ ପାକିସ୍ତାନର ମହିଳା ଏଜେଣ୍ଟଙ୍କ ସହ ହୋଇଥିଲା । ପରେ ସେମାନଙ୍କର ବନ୍ଧୁତ୍ୱ ବଢ଼ିଥିଲା । ଦୁଇବର୍ଷ ଧରି ଏହି ସମ୍ପର୍କ ଚାଲିଥିଲା ବେଳେ ବିଚିତ୍ର ଜାଣିପାରିନଥିଲେ ଯେ ସେ ହନିଟ୍ରାପ୍‌ରେ ପଡ଼ିସାରିଛନ୍ତି । ଫେସ୍‌ବୁକ୍‌ରେ ସେମାନଙ୍କର ଯେଉଁ ମହିଳାଙ୍କ ସହ ସମ୍ପର୍କ ନିବିଡ ହୋଇଥିଲା ସେ ମହିଳାଙ୍କ ନାମ ସିରାତ ବୋଲି କୁହାଯାଉଛି । ଅଭିଯୋଗ ଅନୁସାରେ ବିଚିତ୍ର ଏହି ମହିଳା ଏଜେଣ୍ଟଙ୍କୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ସିନ୍ଧୁ ସୁଦର୍ଶନ ପ୍ରକଳ୍ପ ସମ୍ପର୍କିତ କିଛି ତଥ୍ୟ ପ୍ରଦାନ କରିଛନ୍ତି ଏବଂ ଏ ବାବଦରେ ତାଙ୍କଠାରୁ ଟଙ୍କା ନେଇଛନ୍ତି । ପୂର୍ବରୁ ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ପ୍ରେମରେ ବିଚିତ୍ର ଏବଂ ରବି ବର୍ମା ପଡ଼ିଥିବାର ସୂଚନା ମିଳିଥିଲା ସିଆଇଡି କ୍ରାଇମ୍‌ବ୍ରାଞ୍ଚକୁ । ସେମାନେ ଏହି ଦୁଇଜଣଙ୍କ ଫେସ୍‌ବୁକ୍‌ ଏବଂ ହ୍ୱାଟ୍‌ସଅପ୍‌ ଉପରେ ନଜର ରଖୁଥିଲେ । ଜାଣିବାକୁ ପାଇଥିଲେ ଯେ ଅର୍ଥ ବଦଳରେ ଏହି ଦୁଇଜଣ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉକ୍ତ ମହିଳାଙ୍କୁ ପ୍ରଦାନ କରିଛନ୍ତି । ଅଧିକ ପଚରାଉଚରା ପାଇଁ ବୁଧବାରଠାରୁ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇ ରାଜସ୍ଥାନ ପୁଲିସ । ବିଚିତ୍ର ଏବଂ ରବି ବର୍ମା ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହ ଦୁଇବର୍ଷ ତଳୁ ସମ୍ପର୍କ ରଖିଥିବା କଥା ସ୍ୱୀକାର କରିଛନ୍ତି ।
ବିଶ୍ୱାସ କରିପାରୁନି ପରିବାର
ଗଞ୍ଜାମ ଜିଲା ହିଞ୍ଜିଳି ଅନ୍ତର୍ଗତ ଅଙ୍କରୋଡ଼ା ଗ୍ରାମର ବାସିନ୍ଦା ହେଉଛନ୍ତି ବିଚିତ୍ର ବେହେରା । ସେ ଗାଁର କାର୍ତ୍ତିକ ଯାତ୍ରାରେ ସାମିଲ ହେବା ପାଇଁ ଛୁଟିରେ ଟ୍ରେନ୍‌ ଚଢ଼ିବାକୁ ଯାଉଥିଲା ବେଳେ ତାଙ୍କୁ ଗିରଫ କରିଥିଲା ପୁଲିସ । ଏହି ଖବର ପାଇବା ପରେ ପରିବାର ଲୋକେ ମ୍ରିୟମାଣ ହୋଇପଡ଼ିଛନ୍ତି । ଗ୍ରାମବାସୀମାନେ ମଧ୍ୟ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଚିତ୍ରଙ୍କ ବାପା କଂଗ୍ରେସ ବେହେରା ଓ ମା’ ମିନୁ ବେହେରା କହିଛନ୍ତି ଯେ, ଆମ ପୁଅ ସେମିତି ନୁହେଁ । ପୁଅକୁ ଛାଡ଼ି ଆମେ ବଞ୍ଚିପାରିବୁ ନାହିଁ । ଏହି ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର । ତାକୁ କେହି ବୋଧହୁଏ ଫସାଇ ଦେଇଛି । ବିଚିତ୍ରଙ୍କ ଭାଇ କାଳିଆ କହିଛନ୍ତି ଯେ, ବୁଧବାର ଆମେ ଏହି ଖବର ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ଭାଇ କଦାପି ଏପରି କରିପାରିବ ନାହିଁ, କାରଣ ପିଲାବେଳେ ଯେତେବେଳେ ମୁଁ କିଛି ଭୁଲ୍‌ କରୁଥିଲି ସେତେବେଳେ ସେ ମୋତେ ତାଗିଦ କରିବା ସହ ପିଟୁଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*