ପର୍ଯ୍ୟଟନ ମନ୍ତ୍ରୀଙ୍କ ଅତିଥି ‘ମା-ଝିଅ’ କିଏ? ଦୁଇ ମହିଳାଙ୍କୁ ନେଇ ବିବାଦରେ ଜ୍ୟୋତି ପାଣିଗ୍ରାହୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କେନ୍ଦ୍ରାପଡ଼ା ବରୀମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଜଣେ ଯୁବତୀଙ୍କୁ ନେଇ ଯାଇଥିଲେ ହାଇଦ୍ରାବାଦ । ଏକ ପଞ୍ଚତାରକା ହୋଟେଲ୍‌ରେ ଯୁବତୀଙ୍କ ସହ ରାତି୍ରଯାପନକୁ ନେଇ ଓଡ଼ିଶା ଉଠିଲା ଓ ପଡ଼ିଲା । ଶେଷରେ ପୁଲିସ ବାନ୍ଧିଲା ସନ୍ତୋଷଙ୍କୁ । ଦୀର୍ଘଦିନ ଜେଲ୍‌ରେ ରହିବା ପରେ ଏବେ ଜାମିନରେ ମୁକୁଳିଛନ୍ତି ।
ନବୀନ ସରକାରଙ୍କର ଜଣେ ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ସେହି ହାଇଦ୍ରାବାଦକୁ ଦୁଇଜଣ ମହିଳାଙ୍କୁ ନେଇ ପଞ୍ଚତାରକା ହୋଟେଲ୍‌ରେ ରହିବା ଏବଂ ଏହି ଦୁଇ ବାନ୍ଧବୀଙ୍କ ଯିବା ଆସିବା ଓ ହୋଟେଲ୍‌ ରହଣୀ ଖର୍ଚ୍ଚ ସରକାର ବହନ କରିବା କେଉଁ ସ୍ୱଚ୍ଛତାର ପ୍ରତୀକ? ଯଦି ସାରଥୀ ବାବା ଓରଫ ସନ୍ତୋଷ ବ୍ୟକ୍ତିଗତ ମଉଜ ମଜଲିସ୍‌ରେ ଯାଇ ଶେଷରେ ଗିରଫ ହୋଇଥିଲେ । କିନ୍ତୁ ମନ୍ତ୍ରୀ ନିଜ ବ୍ୟକ୍ତିଗତ ମଜଲିସ୍‌ ସକାଶେ ସରକାରୀ ଅର୍ଥର ଦୁରୁପୋଯୋଗ କରିବା କାରଣରୁ ମନ୍ତ୍ରୀ ପଦରୁ ବିଦା ହେବେ କି? ଏହି ପ୍ରଶ୍ନ ଉଠାଇଛି କଂଗ୍ରେସ ।
କଂଗ୍ରେସ ନେତା ତଥା ପୂର୍ବତନ ମିଡିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଅନ୍ୟ ପୂର୍ବତନ ପ୍ରବକ୍ତାଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏହା ଏହି କାରଣରୁ ସାଙ୍ଘାତିକ ଯେ, ହାଇଦ୍ରାବାଦରେ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ରୋଡ୍‌ଶୋ’ ଆୟୋଜିତ ହୋଇଥିଲା, ସେଠାକୁ ମନ୍ତ୍ରୀ ପାଣିଗ୍ରାହୀ ୨ଜଣ ମହିଳାଙ୍କୁ ନେଇ ଯାଇଥିଲେ । ଏହି ଦୁଇଜଣ ଯାକ ମହିଳା ମା’ ଓ ଝିଅ । କୌଣସି ସରକାରୀ ପଦାଧିକାରୀ ନୁହଁନ୍ତି । ତେବେ କେଉଁ କ୍ଷମତା ବଳରେ ଏହି ଦୁଇଜଣ ବେସରକାରୀ ମହିଳାଙ୍କୁ ମନ୍ତ୍ରୀ ହାଇଦ୍ରାବାଦ ନେଇଯାଇଥିଲେ? ହୋଟେଲ୍‌ ତାଜ୍‌ କି୍ରଷ୍ଣା ପରି ପଞ୍ଚତାରକା ହୋଟେଲ୍‌ରେ ସେମାନଙ୍କୁ ରଖାଇ ଥିଲେ? ତାହା ପୁଣି ସରକାରୀ ଖର୍ଚ୍ଚରେ । କେଉଁ ଟି’ ଏଭଳି ମନ୍ତ୍ରୀଙ୍କ ଅୟସୀକୁ ସମର୍ଥନ କରୁଛି?
ସତ୍ୟ ଏବଂ ଅନ୍ୟ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ଅଭିଯୋଗ ସପକ୍ଷରେ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ଉପସ୍ଥାପନ କରିଥିଲେ । ଏଥିରେ ତାଜ୍‌ କି୍ରଷ୍ଣାର ଇନ୍‌ଭଏସ୍‌ ଏବଂ ମନ୍ତ୍ରୀଙ୍କ ଦପ୍ତରର ଏକ ଚିଠି (ମନ୍ତ୍ରୀଙ୍କ ଘରୋଇ ସଚିବଙ୍କ ପକ୍ଷରୁ ଲିଖିତ) ସାମିଲ ଥିଲା । ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଯେଉଁ ଦୁଇଜଣ ମହିଳା ସରକାରୀ ଅତିଥି ଭାବେ ହାଇଦ୍ରାବାଦ ଯାଇଥିଲେ, ସେମାନେ ହେଲେ ଆର୍‌ ମହାପାତ୍ର ଏବଂ ଏସ୍‌ଏସ୍‌ ମହାପାତ୍ର । ଆର୍‌ ମହାପାତ୍ରଙ୍କ ବୟସ ୪୭ ଏବଂ ଏସ୍‌ଏସ୍‌ ମହାପାତ୍ରଙ୍କ ବୟସ ୨୫ । ଉଭୟ ମହିଳା ।
ଅକ୍ଟୋବର ୪ ତାରିଖରେ ଟୁରିଜିମ୍‌ ରୋଡ୍‌ଶୋ’ ହାଇଦ୍ରାବାଦରେ ଆୟୋଜିତ ହେଉଥିବାରୁ ମନ୍ତ୍ରୀଙ୍କ ସହ ଏହି ଦୁଇଜଣ ମହିଳା ଯିବେ ବୋଲି ତାଙ୍କ ଦପ୍ତର ପକ୍ଷରୁ ବିଭାଗକୁ ଏକ ଚିଠି ଲେଖାଯାଇଥିଲା । ରୋଚକ କଥା ହେଉଛି, ମନ୍ତ୍ରୀଙ୍କ ପୁରା ନାମ ଉଲ୍ଲେଖ କରାଯାଇଥିବା ବେଳେ ମହିଳା ଦୁଇଜଣଙ୍କ ନାମ ସର୍ଟ ଫର୍ମରେ ଲେଖାଯାଇଥିଲା । ସେମାନେ ମନ୍ତ୍ରୀଙ୍କ ଅତିଥି ଭାବେ ସେଠାକୁ ଯାଇଥିବା ଦର୍ଶାଯାଇଥିଲା । ଯେହେତୁ ମନ୍ତ୍ରୀଙ୍କ ଦପ୍ତରର ଚିଠି ଅନୁସାରେ ସେମାନେ ହାଇଦ୍ରାବାଦ ଯାଇଥିଲେ, ପଞ୍ଚତାରକା ହୋଟେଲ୍‌ରେ ରହିଥିଲେ, ସେହେତୁ ସେହି ଦୁଇ ମହିଳାଙ୍କ ଖର୍ଚ୍ଚବାର୍ଚ୍ଚ ବି ବହନ କରିଥିଲେ ସରକାର ।
ଦୁଇ ମହିଳା ରଶ୍ମିତା କିମ୍ବା ସାଇ ସିଦ୍ଧା ହୋଇପାରନ୍ତି । କିନ୍ତୁ ସେମାନେ ସମ୍ପର୍କରେ ମା’-ଝିଅ । ଘର ସିମୁଳିଆ ନିର୍ବାଚନମନ୍ଦଳୀର ଖଇରାରେ । ବାପା ଜଣେ ଛୋଟକାଟିଆ ଠିକାଦାର । ମା’-ଝିଅ କେହି ବି ସରକାରୀ ଅଧିକାରୀ ନୁହଁନ୍ତି । ପର୍ଯ୍ୟଟନ କିମ୍ବା ସଂସ୍କୃତି ବିଭାଗ ସହ ସେମାନଙ୍କର କୌଣସି ନେଣଦେଣ ନାହିଁ ।
ଏବେ ସ୍ପଷ୍ଟ ହୋଇଯିବା ଦରକାର, ଏହି ମହିଳାଙ୍କ ସହ ମନ୍ତ୍ରୀଙ୍କର ସମ୍ପର୍କ କ’ଣ? ତାଙ୍କୁ ସରକାରୀ ଅତିଥି କରି ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀଙ୍କର ଅଧିକାର ଅଛି କି? ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଅନୁମତି ନେଇଥିଲେ କି ନାହିଁ? ସେମାନଙ୍କର ରହଣି ଖର୍ଚ୍ଚ କିଏ ବହନ କରିଛି?
କଂଗ୍ରେସ ନେତା ସତ୍ୟ ନାୟକ ଏହିସବୁ ପ୍ରଶ୍ନ ଉଠାଇବା ଅବସରରେ ଓଟିଡିସିର ଭୂମିକା ଉପରେ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।
ପର୍ଯ୍ୟଟନ ମନ୍ତ୍ରୀଙ୍କର ଏହି ବାନ୍ଧବୀ ଏବଂ ତାଙ୍କ କନ୍ୟାଙ୍କୁ ନେଇ ବିଜୁ ଜନତା ଦଳ ରାଜନୀତିରେ ଚର୍ଚ୍ଚା ଢେର୍‌ । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ନିଜ ଆଡ଼ୁ ପ୍ରଚାର ଆରମ୍ଭ କରିଛନ୍ତି । ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ତାଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କର ବାନ୍ଧବୀ ପ୍ରୀତିକୁ ନେଇ ଯେଉଁ ଆଲୋଚନା ହେଉଛି, ତାହା ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*