ନେତାଙ୍କ ହେଲମେଟ୍‌ ଚିନ୍ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଜିକାଲିକା କୁଜି ନେତାଟେ ମଧ୍ୟ ହେଲମେଟ୍‌ ପିନ୍ଧୁନି । ନେତାର ମୋହର ବାଜିଗଲା ପରେ ଚାରି ଚକିଆ ଚଢିବାର ନିଶା ମଧ୍ୟ ଜୋର ଧରିଥାଏ । ଆଉ ଏହି କ୍ଷେତ୍ରରେ ନେତାଙ୍କୁ ହେଲମେଟ୍‌ ଚିନ୍ତା କଥା ଶୁଣିଲେ ଅଖାଡୁଆ ଲାଗୁଛି । ମାତ୍ର ଟିକିଏ ଭିତରକୁ ଗଲେ ବୁଝାପଡିବ ।
ସରକାର ଟ୍ରାଫିକ୍‌ ନିୟମକୁ କଡ଼ାକଡି କରି ଏବେ ହେଲମେଟ୍‌ ନ ପିନ୍ଧିଲେ ସିଧାସଳଖ କାଟୁଛନ୍ତି ୧୦୦୦ଟଙ୍କା । କିଛିଦିନ ତଳେ କଟକର ଜଣେ ମହିଳା ଏହାକୁ ଖୋଲା ଚ୍ୟାଲେଞ୍ଜ କଲେ, କହିଥିଲେ ମାସେ ଦୁଇମାସେ ଟ୍ରାଫିକ୍‌ ବିଭାଗ ଏମିତି ଚାନ୍ଦା ଆଦାୟ କରିବ, ପରେ ଯାହାକୁ ତାହା । ଅବଶ୍ୟ କହିବାର ପରଦିନ ମହିଳା ଜଣଙ୍କ ହେଲମେଟ୍‌ ପିନ୍ଧିଥିଲେ । ତେବେ ଏହି ହେଲମେଟ୍‌ ନେତାଙ୍କୁ ଚିନ୍ତାରେ ପକାଇଲାଣି । ସାଧାରଣତଃ ବଡ଼ବଡ଼ ରାଜନୈତିକ ସଭା ହେଲେ ନେତାମାନେ ନିଜ ଠାଣି, ସମର୍ଥନକୁ ଦେଖାଇବାକୁ ଯାଇ ଲୋକ ଯୋଗାଡ କରି ବାଇକ୍‌ ରାଲି କରନ୍ତି । ପଛରେ କାର୍‌ରେ ନେତା, ଆଗରେ ଶହଶହ ବାଇକ୍‌ରେ ଟୋକା । ଏମାନେ କେବେ ବି ହେଲମେଟ୍‌ ପିନ୍ଧୁ ଥିବା ଦେଖାଯାଏନି । ମୁନ୍ଦରେ ଦଳର କପଡ଼ା ବନ୍ଧାଯାଇଥିବା ଦେଖାଯାଏ ।
ବିମାନ ବନ୍ଦରରୁ ବଡ଼ ନେତାଙ୍କୁ ସ୍ୱାଗତ ପାଇଁ ବାଇକ୍‌ ରାଲି ହୁଏ । ହଜାର ହଜାର ବାଇକ୍‌ରେ ନେତାଙ୍କୁ ପାଛୋଟି ଅଣାଯାଏ ସଭା ମନ୍ଦପକୁ । ଯେହେତୁ ଏବେ କିଛି ଦିନ ହେଲା ହେଲମେଟ୍‌ ନିୟମ କଡ଼ାକଡି କରାଯାଇଛି, ସେହି କାରଣରୁ ଏହି ସ୍ୱାଗତ କାର୍ଯ୍ୟକ୍ରମ ଆରମ୍ଭ ହୋଇନି । ମାତ୍ର ଏହାକୁ ନେଇ ଟ୍ରାଫିକ ବିଭାଗ ଓ ନେତାମାନେ ମଧ୍ୟ ଚିନ୍ତାରେ ।
ସହଜରେ ଟୋକାଏ ବାଇକ୍‌ ରାଲିରେ ସାମିଲ ହୁଅନ୍ତିନି । ପେଟରେ ୩୦୦ର ମାଲ୍‌, ଟାଙ୍କିରେ ୨୦୦ର ମାଲ୍‌ ପଡିଲେ ଗାଡି ଗଡେ । ଯଦି ଚେକିଂ ହବ ତେବେ ନେତା ହେବେ ଲନ୍ଦା । ଜଣଙ୍କ ପିଛା ଜରିମାନା ଏକ ହଜାର ଟଙ୍କା ଲାଗିବ । ଏପଟେ ଟ୍ରାଫିକ୍‌ ପୁଲିସ୍‌ ବି ଚିନ୍ତାରେ । କେତେଙ୍କୁ ରୋକିବ, ତାଙ୍କ ମୁହଁରେ ମେସିନ୍‌ ଗେଞ୍ଜିବ । ଏତେ ମେସିନ୍‌ ଟ୍ରାଫିକ୍‌ ପୁଲିସ୍‌ ପାଖରେ ନାହିଁ । ଟ୍ରାଫିକ୍‌ ଅଧିକାରୀ ବି ଜାଣିଛନ୍ତି ଯଦି ବଡ଼ ବାଳିଆ ନେତାଙ୍କ ଟୋକା ଦେହରେ ହାତ ମାରିବେ ତେବେ ସେମାନଙ୍କ ଗାଡି ମାଲକାନଗିରିକୁ ଯିବ । ଅର୍ଥାତ୍‌ ବଦଳି ଥୟ । କ’ଣ ହେବ, ଆଗକୁ କେମିତି ହବ ସେହି ଚିନ୍ତାରେ ଟ୍ରାଫିକ୍‌ ପୁଲିସ୍‌ ଆଉ ନେତାଏ । କିଛି ନେତା ବି କହିଲେଣି ଆମେ ଆଉ ବାଇକ୍‌ ରାଲି କରିବାର ଚିନ୍ତା କରିପାରୁନୁ । ଦେଖାଯାଉ ବଡ଼ବଡ଼ କଥା କହୁଥିବା ଟ୍ରାଫିକ୍‌ ବାବୁମାନେ ଆଗକୁ କିପରି ପଦକ୍ଷେପ ନେଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*