ନୂଆ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଦୂତୀ| ଅମୀୟ ଓ ଜଉନାଙ୍କୁ ମଧ୍ୟ ସ୍ୱର୍ଣ୍ଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଞ୍ଚିରେ ଅନୁଷ୍ଠିତ ହେଉଥିବା ୫୯ତମ ଜାତୀୟ ଓପନ ଆଥଲେଟିକ୍ସର ଶୁକ୍ରବାର ଦ୍ୱିତୀୟ ଦିନ ଓଡ଼ିଶା ପାଇଁ ଗୌରବର ଦିନ ବନିଯାଇଛି । ଓଡ଼ିଶାର ୩ଜଣ ଖେଳାଳି ନିଜ ନିଜ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ତା’ସହ ଜାତୀୟ ରେକର୍ଡ ନୂଆ କରି ଲେଖିବାର କୀର୍ତ୍ତିମାନ ମଧ୍ୟ ହୋଇଛି ସ୍ଥାପିତ । ଓଡ଼ିଶାର ଅମୀୟ ମଲ୍ଲିକ ଏବଂ ଦୂତୀ ଚାନ୍ଦ ଦେଶର ଦ୍ରୁତତମ ଧାବକ-ଧାବିକା ହେବାର ପାଇଛନ୍ତି ଗୌରବ । ଦୂତୀ ମହିଳା ୧୦୦ ମିଟର ଇଭେଣ୍ଟରେ ନିଜ ରେକର୍ଡକୁ ଭାଙ୍ଗି ନୂଆ କରି ଲେଖିଛନ୍ତି ଜାତୀୟ ରେକର୍ଡ । ଏମାନଙ୍କ ବ୍ୟତୀତ ଜଉନା ମୁର୍ମୁ ମଧ୍ୟ ସ୍ୱର୍ଣ୍ଣ ଜିତିଛନ୍ତି । ମହିଳା ୧୦୦ ମିଟରର ଫାଇନାଲରେ ଓଡ଼ିଶାର ଦୂତୀ ଚାନ୍ଦ ୧୧.୨୫ ସେକେନ୍ଦର ସମୟ ନେଇ ପ୍ରଥମ ହୋଇ ସ୍ୱର୍ଣ୍ଣ ଜିତିଛନ୍ତି । ତେବେ ସେମିଫାଇନାଲ ଦୌଡ଼ରେ ଦୂତୀ ନିଜ ହିଟ୍‌ରେ ପ୍ରଥମ ହେବା ବେଳେ ଜାତୀୟ ରେକର୍ଡ ନୂଆ କରି ଲେଖିଥିଲେ । ସେମିରେ ତାଙ୍କ ଟାଇମିଂ ଥିଲା ୧୧.୨୨ ସେକେନ୍ଦ । ଏବର୍ଷ ଏପ୍ରିଲ୍‌ ମାସରେ ସେ ୧୧.୨୬ର ଟାଇମିଂ ବାହାର କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଜାତୀୟ ରେକର୍ଡ ସହ ମିଟ୍‌ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଦୂତୀ । ପୁରୁଷ ୧୦୦ ମିଟର ଦୌଡ଼ରେ ଓଡ଼ିଶାର ଅମୀୟ ମଲ୍ଲିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ୧୦.୪୬ ସେକେନ୍ଦର ସମୟ ନେଇ । ଜାତୀୟ ଆଥଲେଟିକ୍ସ ଦୁନିଆକୁ ଅମୀୟଙ୍କର ଏକ ବଢ଼ିଆ ପ୍ରତ୍ୟାବର୍ତ୍ତନ ହୋଇଛି । ପୁରୁଷ ୧୦୦ ମିଟରର ରୌପ୍ୟ ପଦକ ମାଲେସିଆର ଖେଳାଳି ଜୋନାଥନ ଏବଂ ବ୍ରୋଞ୍ଜ ପଦକ ପଞ୍ଜାବର ଖେଳାଳି ଗୁରିନ୍ଦରବୀର ପାଇଛନ୍ତି । ମହିଳା ୧୦୦ ମିଟରର ରୌପ୍ୟ ତାମିଲନାଡୁର ଅର୍ଚ୍ଚନା ଏବଂ ବ୍ରୋଞ୍ଜ ପଦକ ରେଳବାଇର ହିମାଶ୍ରୀ ହାସଲ କରିଛନ୍ତି । ଓଡ଼ିଶାର ଜଉନା ମୁର୍ମୁ ମଧ୍ୟ ଶୁକ୍ରବାର ଦିନ ହାସଲ କରିଛନ୍ତି ସ୍ୱର୍ଣ୍ଣ ପଦକ । ନିଜ ବୃତ୍ତିଗତ ସଂସ୍ଥା ଓଏନ୍‌ଜିସି ପକ୍ଷରୁ ଖେଳୁଥିବା ଜଉନା ମହିଳା ୪୦୦ ମିଟର ହର୍ଡଲ୍ସରେ ୫୮.୦୮ ସମୟ ନେଇ ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*