ନିର୍ବାଚନରେ ମଦମାଂସ ଓ ଅର୍ଥ ବନ୍ଦ ହେଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଆନୁକୂଲ୍ୟରେ ‘ଦୁର୍ନୀତିମୁକ୍ତ ନିର୍ବାଚନ ଓ ଆଦର୍ଶ ପ୍ରତିନିଧି ଚୟନ’ ଶୀର୍ଷକ ଏକ ଆଲୋଚନା ଚକ୍ର ମଙ୍ଗଳବାର ସ୍ଥାନୀୟ ନେହେରୁ ଯୁବକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବିଶିଷ୍ଟ ପ୍ରବାସୀ ଓଡ଼ିଆ ତଥା ଜଣାଶୁଣା ସ୍ତମ୍ଭକାର ଡ. ରାଜେନ୍ଦ୍ର ନାରାୟଣ ଦାସ ବର୍ତ୍ତମାନ ଗଣତନ୍ତ୍ରର ଦୂରାବସ୍ଥା ଉପରେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ‘ନାହିଁ ମାମୁଁଠାରୁ କଣା ମାମୁଁ ଭଲ’ ନ୍ୟାୟରେ ସମ୍ପୂର୍ଣ୍ଣ ଭଲ ଦୁଲ୍ଲର୍ଭ ଥିବା ସମୟରେ ଆମକୁ ଯେତିକି ପ୍ରାର୍ଥୀ ମିଳୁଛନ୍ତି ସେମାନଙ୍କ ମଧ୍ୟରେ ଭଲ ପ୍ରାର୍ଥୀଙ୍କୁ ଚୟନ କରିବା ସମୟର ଆବଶ୍ୟକତା ବୋଲି କହିଥିଲେ । ଯେଉଁଠି ଗଣତନ୍ତ୍ର ମଦମାଂସ ଓ ଶସ୍ତା ଯୋଜନାରେ କବଳିତ ସେଠାରେ ଦୁର୍ନୀତିମୁକ୍ତ ନିର୍ବାଚନ କଥା ଚିନ୍ତା କରିବା ଏକ ଦିବାସ୍ୱପ୍ନ ବୋଲି ସେ କହିଥିଲେ । ଜାତିବାଦ, ସମ୍ପ୍ରଦାୟବାଦ, ପ୍ରାନ୍ତବାଦ ଭଳି ଦୁର୍ବିସହ ବ୍ୟାଧିରେ ଜର୍ଜରିତ ଏ ତଥାକଥିତ ଗଣତନ୍ତ୍ରକୁ ସମାଲୋଚନା କରିଥିଲେ ।
ଶସ୍ତା ଭୋଟ ହାତେଇ ଦୀର୍ଘକାଳ ଶାସନରେ ରହିବା ପାଇଁ ଲୋକଙ୍କ ମଧ୍ୟରେ ଏକ ବିକାରୀ ମାନସିକତାକୁ ପାଳିପୋଷି ବଡ଼ କରାଯାଉଛି ବୋଲି ସେ ଭର୍ତ୍ସନା କରିଥିଲେ । କ୍ଷମତାସୀନ ସବୁ ଦଳର ଏଇ ଶସ୍ତା ଆଭିମୁଖ୍ୟ ସ୍ପଷ୍ଟ ଦିଶୁଥିଲା ବେଳେ ଆମେ କିଭଳି ଏକ ଅପେକ୍ଷାକୃତ ଆଦର୍ଶ ପ୍ରତିନିଧି ପାଇ ପାରିବା ତାହା ବର୍ତ୍ତମାନ ସମୟର ଆହ୍ୱାନ ବୋଲି ସେ କହିଛନ୍ତି ।
ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ସହକାରୀ ସମ୍ପାଦକ ଉପାସନା ରାଓ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ମଞ୍ଚର ଅଧ୍ୟକ୍ଷ ଅବସରପ୍ରାପ୍ତ ଇଂ. ନନ୍ଦନନ୍ଦନ ଦାସ । ସେ ମତ ଦେଇ କହିଲେ ଯେ ଓଡ଼ିଶା ରାଜ୍ୟ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଥିବା ସତ୍ତ୍ୱେ ରାଜନୈତିକ ନେତା ଓ ସରକାରୀ ଅଧିକାରୀଙ୍କ ଦୁର୍ନୀତି ଯୋଗୁଁ ଓଡ଼ିଶାର ଲୋକମାନେ ଏବେବି ଗରିବ ଅବସ୍ଥାରେ ପଡ଼ି ରହିଛନ୍ତି । ସବୁ ନିର୍ବାଚନ ସମୟରେ ଆମ ଲୋକଙ୍କ ନିରକ୍ଷରତା, ଅନ୍ଧବିଶ୍ୱାସ, ସରଳତାର ସୁଯୋଗ ନେଇ ରାଜନୈତିକ ନେତାମାନେ ଯୁଗୋଷ୍ଠୀଙ୍କୁ ମଦ, ମାଂସ, ଭୋଜି, ଅର୍ଥ ଆଦି ଦେଇ ନିର୍ବାଚନ ଜିତୁଛନ୍ତି ।
ଓଡ଼ିଶାର ଭୋଟରମାନେ ଏଭଳି ସାମୟିକ ପ୍ରଲୋଭନରୁ ଦୁରେଇ ଉଚିତ ପ୍ରତିନିଧିଙ୍କୁ ବାଛିବା ପାଇଁ ସେ ନିବେଦନ କରିଥିଲେ । ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଇଂ.ଜଗବନ୍ଧୁ ଷଡ଼ଙ୍ଗୀ ରାଜ୍ୟରେ ଆଗାମୀ ନିର୍ବାଚନକୁ ଦୁର୍ନୀତିମୁକ୍ତ କରାଯିବା ପାଇଁ ସବୁ ମଞ୍ଚରେ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରାଯିବା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନ ସଚେତନତା କର୍ମଶାଳାର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ଆବାହିକା ବନଜାବାସିନୀ ତ୍ରପାଠୀ, ଉପସଭାପତି ବଂଶୀଧର ପାଢୀ, ସହ ସମ୍ପାଦକ କ୍ଷିତିଶ ପାଲଟା ସିଂ, ପ୍ରଭାତ ସାହୁ, ଜ୍ୟୋତ୍ସ୍ନା ଦାସ, ସୁଷମା ଦାଶ, ସୀମନ୍ତିନୀ ଜେନା, ଦୀନବନ୍ଧୁ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଅମୀର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*