ନିରଞ୍ଜନଙ୍କ ଯୋଗାଯୋଗରେ ବିଜଦର ୧୮ ବିଧାୟକ ଓ ୨ ସାଂସଦ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ କହିଥିଲେ ଯେ, ଶାସକ ବିଜୁ ଜନତା ଦଳର ବହୁ ନେତା ଓ ବିଧାୟକ ତାଙ୍କ ଦଳ ସଂସ୍ପର୍ଶରେ ଅଛନ୍ତି । ଭାଜପା ପ୍ରଭାରୀ ଅରୁଣ ସିଂହ ମଧ୍ୟ ସମାନ କଥା କହିଥିଲେ ପୂର୍ବରୁ । କିନ୍ତୁ ପିସିସି ସଭାପତି ନିରଞ୍ଜନ ପଟନାୟକ ସଂଖ୍ୟା ସହ ଚମକେଇ ଦେଲା ଭଳି କଥା କହିଛନ୍ତି, ଯାହା ଶାସକ ଦଳ ଭିତରେ ବଡ଼ ହଇଚଇ ସୃଷ୍ଟି କରିଛି । ଏହି ପ୍ରତିନିଧିଙ୍କୁ ପିସିସି ସଭାପତି କହିଛନ୍ତି ଯେ, ବିଜୁ ଜନତା ଦଳର ୧୮ଜଣ ବିଧାୟକ ଏବଂ ଦୁଇଜଣ ସାଂସଦ ତାଙ୍କ ସହ ଲଗାତାର ସମ୍ପର୍କରେ ଅଛନ୍ତି । ‘ଆମେ ଅପେକ୍ଷା କରୁଛୁ, ବିଜଦ ପ୍ରାର୍ଥୀ ତାଲିକା ଘୋଷଣା କରିସାରୁ’ ।
କେଉଁକେଉଁ ବିଧାୟକ ବା ସାଂସଦ ତାଙ୍କ ଯୋଗାଯୋଗରେ ଅଛନ୍ତି ଏକଥା ପଚାରିଲେ ଉତ୍ତର ଆଶା କରିବା ମଧ୍ୟ ଠିକ୍‌ ନୁହେଁ । ବର୍ତ୍ତମାନ ସ୍ଥିତି ତରଳ ଥିବାରୁ ପିସିସି ସଭାପତି ହୁଏତ ନାମ କହିବାକୁ ଉଚିତ ମଣି ନାହାନ୍ତି । କିନ୍ତୁ ଶାସକ ବିଜୁ ଜନତା ଦଳ ଭିତରେ ଯେଉଁ ସନେ୍ଦହର ବାତାବରଣ ସୃଷ୍ଟି ହୋଇଯାଇଛି, ତାହା ଯଥେଷ୍ଟ ଯେ, ଟିକଟ କଟିବ ବୋଲି ଯେଉଁ ବିଧାୟକଙ୍କ ମନରେ ଆଶଙ୍କା ଦେଖାଦେଲାଣି, ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସକାଶେ ସେମାନେ ଚୁପ୍‌ ହୋଇ ବସି ନଥିଲେ । ସେମାନଙ୍କ ଭିତରୁ ଅନେକ ଉଭୟ ଭାଜପା ଏବଂ କଂଗ୍ରେସ ନେତୃତ୍ୱ ସହ ଯେ ଯୋଗାଯୋଗରେ ନଥିବେ, ସେ କଥା କିଏ କହିପାରିବ?
ନିର୍ଭୟର ଶୁକ୍ରବାର ସଂସ୍କରଣରେ ଭାଇରାଲ୍‌ ଅଡିଓ ବିଜଦରେ ଚିନ୍ତା ବଢ଼ାଉଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା । ପିସିସି ସଭାପତିଙ୍କର ଆଜିର ବୟାନ ଏହାକୁ ଅଧିକ ପ୍ରାଞ୍ଜଳ କରିଦେଉଛି । ଶାସକ ଦଳର ବହୁ ବିଧାୟକ ଅନୁମାନ କରୁଛନ୍ତି ଯେ, ଯେଉଁ ନୂଆ ଗୋଷ୍ଠୀ ଏଥର ମୋର୍ଚ୍ଚା ସମ୍ଭାଳୁଛନ୍ତି, ସେମାନେ ତାଙ୍କ ଇଚ୍ଛାରେ ଅନେକ ଟିକଟ କାଟିବାକୁ ଯାଉଛନ୍ତି । ଯେତେ ସଂଖ୍ୟାରେ ଅବସର ନେଇଥିବା ଅଧିକାରୀ ଦଳକୁ ଆସିଗଲେଣି ଏବଂ ନବୀନ ଓ ତୃତୀୟ ମହଲାର ଅଫିସର ପ୍ରୀତି ଯେଭଳି, ସେ ଦୃଷ୍ଟିରୁ ମୂଳ ନେତାମାନେ ବଳି ପଡ଼ିବାର ଆଶଙ୍କା ରହିଛି ।
ପୂର୍ବରୁ କହିସାରିଛୁ ଯେ, ଚିଟ୍‌ଫନ୍ଦ ଏବଂ ମହିଳା ଆରକ୍ଷଣ ବିଜଦ ନେତୃତ୍ୱର ମୁନ୍ଦବିନ୍ଧା ବଢ଼ାଇ ସାରିଛି । ଚିଟ୍‌ଫନ୍ଦ ଦୁର୍ନୀତିରେ ସାମିଲ ଥିବା ବିଧାୟକମାନଙ୍କୁ ପୁନର୍ବାର ଟିକଟ ମିଳିଲେ, ନିର୍ବାଚନ ପରେ ସିବିଆଇ ଜାଲ ନବୀନଙ୍କୁ ଆହୁରି ଅଧିକ ଅଡ଼ୁଆରେ ପକାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ମହିଳା ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ସମସ୍ତଙ୍କୁ ଥଇଥାନ କରିବା ସହଜ ହେବ ନାହିଁ । ଏହାଛଡ଼ା ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ଅଛନ୍ତି । ଏଣୁ ଆଶଙ୍କା କରାଯାଉଛି ଯେ, ବହୁ ବିଧାୟକଙ୍କର ଟିକଟ କାଟିଦେବେ ନବୀନ ବାବୁ ।
ନିରଞ୍ଜନ ଯାହା କହୁଛନ୍ତି, ତାହା ସତ ବୋଲି ମନେ ହେଉଛି । କାରଣ ଅନେକ ବିଧାୟକ ଟିକଟ କଟିବା ପରେ ଅନ୍ୟ କେଉଁ ଦଳ ସହ ଯୋଗାଯୋଗ କରିବାକୁ ସୁଯୋଗ ପାଇବେ ନାହିଁ । ଏଣୁ ବେଳ ଥାଉଥାଉ ସାବଧାନ ହେଲା ପରି ବହୁ ବିଧାୟକ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସହ ଯୋଗାଯୋଗ ରକ୍ଷା କରିବା ବିଚିତ୍ର ନୁହେଁ ।
ଏପର୍ଯ୍ୟନ୍ତ ଭାଇରାଲ୍‌ ଅଡିଓ ବାବଦରେ ସ୍ପଷ୍ଟ କରୁନାହାନ୍ତି ବିଜଦ ନେତୃତ୍ୱ । ଅନ୍ୟ ଆଡ଼କୁ ଆଙ୍ଗୁଳି ଦେଖାଇ ନିଜ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଦବାଇ ପାରିବେ ନାହିଁ । ଯେଉଁ ଆଶଙ୍କା ଅଧିକାଂଶ ବିଧାୟକଙ୍କ ମନରେ ସୃଷ୍ଟି ହୋଇଛି, ସମାନ ଧରଣର ଆଶା ବି ସୃଷ୍ଟି ହେଲାଣି ଆଶାୟୀଙ୍କ ମନରେ । ତେଣୁ ଆଶାୟୀ ମଧ୍ୟ ବିଜୁ ଜନତା ଦଳର ଖେଳ ବିଗିଡ଼ାଇ ଦେଇପାରନ୍ତି । ସେମାନେ ବିଜୁ ଜନତା ଦଳର ବିଦ୍ରୋହୀ ପ୍ରାର୍ଥୀ କିମ୍ବା ଅନ୍ୟ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଶାସକ ଦଳ ସକାଶେ ବିଚିତ୍ର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*