ନିଜ ପିଠି ନିଜେ ଥାପୁଡ଼େଇଲେ ନବୀନ ସବୁ ପ୍ରତିଶ୍ରୁତି କରିଛୁ ପୂରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମନ୍ତ୍ରୀ ପରିଷଦର ଶେଷ ବୈଠକ ମଙ୍ଗଳବାର ଦିନ ବସିଥିଲା ସଚିବାଳୟରେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଯୋଗ ଦେଇଥିଲେ ସବୁ ମନ୍ତ୍ରୀ । ପ୍ରଥମଥର ପାଇଁ ମନ୍ତ୍ରୀ ପରିଷଦର ବୈଠକର ସିଧା ପ୍ରସାରଣ କରାଯାଇଥିଲା । ଏହା କରିବା ପଛରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଉଦେ୍ଦଶ୍ୟ ଥିଲା । ମୁଖ୍ୟମନ୍ତ୍ରୀ ନିଜ ସରକାରଙ୍କ ପିଠି ନିଜେ ଥାପୁଡେଇ ଥିଲେ । ୫ବର୍ଷ ଶାସନ କାଳ ଭିତରେ ସରକାର ଶତ ପ୍ରତିଶତ ସଫଳ ହୋଇଛନ୍ତି ବୋଲି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ମନ୍ତ୍ରୀ ପରିଷଦର ଶେଷ ବୈଠକର ସିଧା ପ୍ରସାରଣ କରାଇଥିଲେ ।
ମୁଖ୍ୟମନ୍ତ୍ରୀ ସବୁ ପରିବାରକୁ ନିଜ ସରକାରଙ୍କ ସହ ଯୋଡ଼ିବା ପାଇଁ ଚେଷ୍ଟା କରିଥିଲେ ଏହି ଶେଷ ବୈଠକରେ । କହିଥିଲେ, ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର । ଜଗନ୍ନାଥଙ୍କ ଆଶୀର୍ବାଦ ସହ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଯୋଗୁଁ “ମୋ’ ପରିବାର ପାଖରେ ମୁଁ ଯାହା କଥା ଦେଇଥିଲି, ତାକୁ ପୂରଣ କରିଛି । ପରିବାର ପାଖରେ ଯାହା କଥା ଦେବି ତାକୁ ପୂରଣ କରି ନୂଆ ଓଡ଼ିଶା ଗଠନ ପାଇଁ କାମ କରିଚାଲିବି ।”
ମୁଖ୍ୟମନ୍ତ୍ରୀ ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜୁ ଜନତା ଦଳ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି କହିଥିଲେ । ଏହି ସରକାର ତାଙ୍କ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ବିଜଦ ଇସ୍ତାହାରକୁ ନୀତି ଭାବରେ ଗ୍ରହଣ କରିଥିଲା । ଏହି ୫ବର୍ଷ ଭିତରେ ଏଇ ସମସ୍ତ ପ୍ରତିଶ୍ରୁତି ପୂରଣ ହୋଇଛି ଏବଂ ସରକାର ଏଥିରେ ସଫଳ ହୋଇଛନ୍ତି ବୋଲି ଦୃଢ଼ୋକ୍ତି କରିଥିଲେ ନବୀନ ପଟନାୟକ । ଲିଖିତ ଭାଷଣରେ କିଛି ଉଦାହରଣ ମଧ୍ୟ ଦେଇଥିଲେ ସେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ବର୍ଷ ଭିତରେ ୧୦ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ପାଇଁ ଦିଆଯାଇଥିଲା ପ୍ରତିଶ୍ରୁତି । ୯ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଛି । ବାକି ଲକ୍ଷେ ଆସନ୍ତା ମେ’ ମାସ ସୁଦ୍ଧା ପୂରଣ ହେବ । ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଫସଲ ଋଣ ଦିଆଯାଉଥିଲା । ଏବେ କାଳିଆ ଯୋଜନାରେ ଶୂନ ପ୍ରତିଶତ ସୁଧ ହାରରେ ଋଣ ଦିଆଯାଉଛି । ସବୁ କଚାଘରକୁ ପକ୍କାଘର କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ୨୦ଲକ୍ଷ ପକ୍କାଘର ନିର୍ମାଣ ହୋଇଯାଇଛି । ତେବେ ରାଜ୍ୟରେ ଆଉ କଚାଘର ଅଛି କି ନାହିଁ, ସବୁ ଘର ପକ୍କା ହୋଇସାରିଛି କି ନାହିଁ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି କହିନଥିଲେ । ସବୁ କଚାଘର ପକ୍କାଘର ହେବ ବୋଲି ବିଜୁ ଜନତା ଦଳର ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି କହିନଥିଲେ ନବୀନ ପଟନାୟକ ।
ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କଥା ଉଠାଇଥିଲେ । ଏପିଏଲ୍‌ ଓ ବିପିଏଲ୍‌ ସମସ୍ତେ ଏହାର ସୁଯୋଗ ପାଉଛନ୍ତି । ସମସ୍ତଙ୍କୁ ମାଗଣା ଔଷଧ ମିଳୁଛି ବୋଲି କହିଥିଲେ ସେ । କିନ୍ତୁ ବାସ୍ତବତା ଏହାଠାରୁ ଯଥେଷ୍ଟ ଭିନ୍ନ ହେଲେ ମଧ୍ୟ ଆସନ୍ତା ନିର୍ବାଚନରେ ଏହାକୁ ଏକ ପ୍ରସଙ୍ଗ ଭାବେ ବିଜୁ ଜନତା ଦଳ ଭୋଟରଙ୍କ ପାଖକୁ ନେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ସୂଚନା ମିଳିଥିଲା ।
ମୁଖ୍ୟମନ୍ତ୍ରୀ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କଥା ଉଠାଇଥିଲେ । ଗୁଣାତ୍ମକ ଶିକ୍ଷା ପାଇଁ ଦଳ ଦେଇଥିôା ସବୁ ପ୍ରତିଶ୍ରୁତି ପାଳିତ ହୋଇଛି, ୧୯୦ ମଡେଲ ସ୍କୁଲ୍‌ ପ୍ରତିଷ୍ଠା ହୋଇସାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସବୁ ବ୍ଲକ୍‌ ଖୁବ୍‌ଶୀଘ୍ର ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉକ୍ତିରୁ ଏହି ପ୍ରତିଶ୍ରୁତି କେତେଦୂର ପୂରଣ ହୋଇଛି ସେଥିନେଇ ସନେ୍ଦହର ଅବକାଶ ସୃଷ୍ଟି ହୋଇଛି ।
ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ମହିଳା କାର୍ଡ ଖେଳିବା ସୁସ୍ପଷ୍ଟ । ଏକଥା ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । କହିଥିଲେ, ମିଶନ ଶକ୍ତି ମା’ମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଓ ୭୦ଲକ୍ଷ ମହିଳାଙ୍କୁ ବିନା ସୁଧରେ ଋଣ ଦିଆଯାଉଛି ।
ମେକ୍‌ ଇନ୍‌ ଓଡ଼ିଶାରୁ ଅଭୂତପୂର୍ବ ସଫଳତା ମିଳିଛି ବୋଲି କହିଥିଲେ ନବୀନ । ଏହାଦ୍ୱାରା ୩୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ସେ ଦୃଢ଼ୋକ୍ତି କରିଥିଲେ । ଏହାଛଡ଼ା ନବୀନ ମେଡିକାଲ କଲେଜ, ବିଜୁ ଏକ୍ସପ୍ରେସ୍‌ ୱେ ଏବଂ କାଳିଆ ଯୋଜନା କଥା ମଧ୍ୟ ଉଠାଇଥିଲେ ।
ଆଉ ଦିନେ ଦୁଇଦିନ ପରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ନବୀନ ପଟନାୟକ ଯେଉଁସବୁ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ତାହାକୁ ବିଜୁ ଜନତା ଦଳ ପ୍ରଚାରର ମାଧ୍ୟମ କରିବ । ତେବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସୂଚନା ସ୍ପଷ୍ଟ କରୁଛି ଯେ କେବଳ କାଳିଆ ହିଁ ବିଜୁ ଜନତା ଦଳର ବୋଇତକୁ କୂଳରେ ଲଗାଇପାରିବ ବୋଲି ନେତୃତ୍ୱ ଆଶା ରଖିଛି । ମନ୍ତ୍ରୀ ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ୧୬ଶହ କୋଟି ଟଙ୍କା କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଚାଲିଗଲାଣି ଓ ଆହୁରି ସାଢ଼େ ୪ଲକ୍ଷ ଚାଷୀଙ୍କୁ ଏଥିରେ ସାମିଲ କରାଯାଇଥିବା ସୂଚନା ଦେଇଥିଲେ ।
ସବୁ ପ୍ରତିଶ୍ରୁତି ପୂରଣ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ୧୯ବର୍ଷ ପରେ ନିର୍ବାଚନ ମୁନ୍ଦ ଉପରେ ଥିବାବେଳେ ଇସ୍ତାହାର ପ୍ରସ୍ତୁତି ପାଇଁ ଏଥର ବିଜଦ ଶଙ୍ଖ ବଣ୍ଟା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡ଼ିବା ପାଇଁ ଯେଉଁ ଅଭିଯାନ ଆଜିଠୁ ଆରମ୍ଭ କରିଛି, ତାହା ସୂଚାଇ ଦେଉଛି ଯେ ଭାଜପା ଓ କଂଗ୍ରେସକୁ ନକଲ କରିବାକୁ ଯାଇ ବଡ଼ ଚାପରେ ଅଛି ବିଜୁ ଜନତା ଦଳ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*