ନା ଶୁଣୁଛି ଆମ୍ବୁଲାନ୍ସ, ନା ମିଳୁଛି ହସ୍ପିଟାଲ୍‌ ବେଡ୍‌,ଭୁଶୁଡ଼ି ପଡୁଛି ରାଜଧାନୀର ସ୍ୱାସ୍ଥ୍ୟସେବା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୯ ତାରିଖ ଦିନ ଶୀତଲ ମିଶ୍ର ଯେଉଁ ଟୁଇଟ୍‌ କରିଛନ୍ତି, ତାହା ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ବହୁତ କିଛି ବଖାଣି ଦେଉଛି । ସେ ଲେଖିଛନ୍ତି- ‘ଗତକାଲି ବାପାଙ୍କୁ ହରାଇଲି । ସେ ହୃଦ୍‌ଘାତର ଶିକାର ହୋଇଥିଲେ । କୌଣସି ଆମ୍ବୁଲାନ୍ସ ତାଙ୍କୁ ହସ୍ପିଟାଲ୍‌ ନେବା ପାଇଁ ପ୍ରସ୍ତୁତ ନଥିଲେ । କୌଣସି ହସ୍ପିଟାଲ୍‌ ତାଙ୍କୁ ଭର୍ତ୍ତି କଲେ ନାହିଁ । ମୋ’ ଭାଇ ସହର ସାରା ଘୁରି ବୁଲୁଥିଲେ ବାପାଙ୍କୁ କୌଣସି ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପାଇଁ । କିନ୍ତୁ କିଛି ହେଲା ନାହିଁ । କେବଳ କଦର୍ଯ୍ୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କାରଣରୁ ମୁଁ ମୋ’ ବାପାଙ୍କୁ ହରାଇଲି ।’
ଶୀତଲଙ୍କ ଏହି ଟୁଇଟ୍‌ଟି ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ନଜରରେ ପଡ଼ିଛି କି ନାହିଁ ଜଣାନାହିଁ । ପଡ଼ିଥିଲେ ବି ଏମାନଙ୍କ ଠାରୁ ସହୃଦୟତା ଆଶା କରିବା ବି ମୁର୍ଖାମୀ । କିଛିଦିନ ତଳେ ଦୁଇଜଣ ବନ୍ଧୁଙ୍କ କୋଭିଡ୍‌ ହସ୍ପିଟାଲ୍‌ ସଂକ୍ରାନ୍ତ ଅଡିଓ ବାର୍ତ୍ତାଳାପକୁ ନେଇ ଭୁବନେଶ୍ୱର ମହାନଗର ନିଗମର କମିଶନରଙ୍କ ପ୍ରତିକି୍ରୟା ଏବଂ ପଦକ୍ଷେପ ସମସ୍ତେ ଦେଖିଛନ୍ତି । ଏଭଳି ଅଡିଓ ପ୍ରସାର ଯୋଗୁଁ ଲୋକେ ହସ୍ପିଟାଲ୍‌କୁ ଯିବା ପାଇଁ ଡରିବେ ବୋଲି ଆକ୍ଷେପ କରି ବିଏମ୍‌ସି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଦୁଇ ବନ୍ଧୁ ଗିରଫ ମଧ୍ୟ ହୋଇଥିଲେ । ଏହାଦ୍ୱାରା ବାସ୍ତବତାକୁ ଏଡ଼ାଇ ଦେଇପାରିବେ କି ସରକାର । କ୍ରମଶଃ ଅଧିକରୁ ଅଧିକ ଜନ ପ୍ରତିକି୍ରୟା ସୃଷ୍ଟି ହେଉଛି ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ।
ବୁଧବାର ଦିନ ବିଜୁ ଜନତା ଦଳର ଜଣେ ବିଧାୟକଙ୍କ ସମ୍ପର୍କୀୟା ଅସୁସ୍ଥ ହୋଇପଡ଼ିଥିଲେ । କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିଥିଲା । ତାଙ୍କୁ କୌଣସି ହସ୍ପିଟାଲ୍‌କୁ ନେବା ପାଇଁ ପ୍ରଭାବଶାଳୀ ବିଧାୟକ ଜଣଙ୍କ ଆମ୍ବୁଲାନ୍ସ ଡାକିଥିଲେ ମଧ୍ୟ କେହି ଶୁଣି ନଥିଲେ । ଏପରି କି କୌଣସି ହସ୍ପିଟାଲ୍‌ ମଧ୍ୟ ବିଧାୟକଙ୍କ ଫୋନ୍‌ର ପ୍ରତିଜବାବ ଦେଇ ନଥିଲା । ନାକେଦମ ହୋଇଯାଇଥିଲେ । ପରିଶେଷରେ କଷ୍ଟେମଷ୍ଟେ ନିଜ ସମ୍ପର୍କୀୟାଙ୍କୁ ଏକ ଘରୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ସମର୍ଥ ହୋଇଥିଲେ ସେ ।
ଶାସକ ଦଳର ବିଧାୟକ ଯଦି ଅସହାୟ, ତେବେ ସାଧାରଣ ଲୋକଙ୍କ କଥା ନକହିବା ଭଲ । ଯଦି ରାଜଧାନୀରେ ସ୍ୱାସ୍ଥ୍ୟସେବା କରୋନା ଚାପରେ ଏମିତି ଭୁଶୁଡ଼ି ପଡ଼େ, ତେବେ ଅନ୍ୟ ଜିଲାଗୁଡ଼ିକରେ ଅବସ୍ଥା କିଭଳି ଥିବ, ତାହା ଭଲ ଭାବେ ଅନୁମାନ କରିହେଉଛି ।କୋଭିଡ ହସ୍ପିଟାଲ୍‌ ଏବଂ କୋଭିଡ୍‌ ପରିଚାଳନାକୁ ନେଇ ୬ମାସ ତଳେ କେତେ ଗର୍ବ କରୁ ନଥିଲେ ସରକାର? ଏପରି କି ପ୍ରଚାର କରାଗଲା ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାନ୍ଦିଆନ୍‌ ଜାନୁଆରୀ ପ୍ରାରମ୍ଭରୁ ଆନ୍ଦାଜ କରିପାରି ଥିଲେ ଯେ, ଏମିତି କିଛି ସମସ୍ୟା ଆଗକୁ ଆସିବାକୁ ଯାଉଛି । ସେଥିପାଇଁ ସେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସଜାଡ଼ିବାକୁ ଆଗଭର ହୋଇପଡ଼ିଲେ ।
ଦେଶର ପ୍ରଥମ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣରେ ଓଡ଼ିଶା ପ୍ରଥମ ବୋଲି ଡାକିହାକି ପ୍ରଚାର କଲେ ସରକାର । ଏସଂକ୍ରାନ୍ତ ଭିଡିଓ ପ୍ରସାରିତ ହେଲା । ଏଥିରେ ମନ୍ତ୍ରୀ ନଥାଇ ସଚିବ ଥିଲେ । ନିଜେ ପାନ୍ଦିଆନ୍‌ ବିଭିନ୍ନ ଜିଲା ଗସ୍ତ କରି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠାରେ ଲାଗିପଡ଼ିଲେ । ଏବେ ଏମିତି ଅବସ୍ଥା ଯେ, ଅନ୍ୟ କୌଣସି ରୋଗୀଙ୍କୁ ତକ୍ରାଳ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୌଣସି ହସ୍ପିଟାଲ୍‌ ପ୍ରସ୍ତୁତ ନୁହଁନ୍ତି କିମ୍ବା ରାଜି ହେଉ ନାହାନ୍ତି ।
ଗତ ମେ’ ମାସରେ ସରକାର ଅନ୍ୟ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ଅବହେଳା କଲେ ବା ଯୋଗାଇ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । କିନ୍ତୁ ସରକାରଙ୍କ କଥା ଶୁଣୁଛି କିଏ? ନିକଟରେ ଯାଜପୁରର ଜଣେ ସାମ୍ବାଦିକ ନିଜ ରୋଗର ଚିକିତ୍ସା ପାଇଁ ରାଜଧାନୀର ସବୁ ହସ୍ପିଟାଲ୍‌ରେ ଚକ୍କର ଲଗାଇ ସାରିଲେଣି । କେଉଁଠି ବେଡ୍‌ ନାହିଁ, କେଉଁଠି କୋଭିଡ ପରୀକ୍ଷା ରିପୋର୍ଟ ପରେ ଦେଖାଯିବ ଏବଂ କେଉଁଠି ଆପଣ ଅନ୍ୟ ହସ୍ପିଟାଲ୍‌ ଦେଖନ୍ତୁ ବୋଲି ତାଙ୍କୁ କୁହାଯାଇଛି । ଭାରି ଭାଙ୍ଗି ପଡ଼ିଛନ୍ତି ଏହି ସାମ୍ବାଦିକଙ୍କ ପରିବାର । ଯାହାଙ୍କୁ କରୋନା ଯୋଦ୍ଧା କୁହାଯାଏ, ସିଏ ଏବେ ଚିକିତ୍ସା ପାଇଁ ବାରଦୁଆର ଶୁଣ୍ଢିପିନ୍ଦା ହେଉଛନ୍ତି ।
ପ୍ରତି ଜିଲାର ଅବସ୍ଥା ଆହୁରି ଖରାପ । ରାଜଧାନୀରେ ଭିଭିଆଇପି ନହେଲେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଅସମ୍ଭବ । ଅଥଚ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଅଜସ୍ର ପଇସା ଦେଇଛନ୍ତି କରୋନା ପାଇଁ । ୨୦ ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ନବୀନ ସରକାର ସ୍ୱାସ୍ଥ୍ୟ ସେବା ସୁଧାରି ପାରିଲେ ନାହିଁ । ଏବେ କମର କଷିଛନ୍ତି କଟକ ବଡ଼ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିବା ପାଇଁ । ଅଥଚ ଅନେକ ହସ୍ପିଟାଲ୍‌ରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ । ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । କେବଳ ରୋଗୀଙ୍କ ନାମରେ ଅର୍ଥ ଲୁଟ୍‌ ପାଇଁ ବିରାଟ ଷଡ଼ଯନ୍ତ୍ର ହେଉଥିବା ସନେ୍ଦହ କ୍ରମଶଃ ଦୃଢ଼ୀଭୂତ ହେଉଛି । କିଛିଦିନ ତଳେ ନିର୍ଭୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବାବଦରେ ଏକ ବିଶଦ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏବେ ସରକାରଙ୍କ ନିଦ ଭାଙ୍ଗିଛି ଯେ, ରାଜଧାନୀର କୋଭିଡ୍‌ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା ବଢ଼ାଯିବ ।
ଭୁବନେଶ୍ୱର ଅବସ୍ଥା ଗଞ୍ଜାମକୁ ବଳିଗଲାଣି । ଦୈନିକ ସରକାରୀ ତଥ୍ୟ ଅନୁସାରେ ୫୦୦ରୁ ଅଧିକ ଆକ୍ରାନ୍ତ ହେଉଛନ୍ତି କରୋନାରେ । ସେପ୍ଟେମ୍ବର ଶେଷ ବେଳକୁ ଅତି ଉଦ୍‌ବେଗଜନକ ହୋଇପଡ଼ିବ ଭୁବନେଶ୍ୱରର ସ୍ଥିତି । କରୋନା ବାହାରେ ଅନ୍ୟ ରୋଗ ଅଛି, ଅନ୍ୟ ରୋଗୀ ଅଛନ୍ତି, ଏକଥା ନବୀନ ସରକାର ଭୁଲି ଯାଉଛନ୍ତି କେମିତି? କରୋନା ପାଇଁ ଅନ୍ୟ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଭିତରେ କିମ୍ବା ଘରେ ମରିବା ପାଇଁ ଛାଡ଼ି ଦିଆଯାଇ ପାରିବ କି?
ଯଦି ଜାନୁଆରୀରୁ ସରକାର କରୋନା ଆନ୍ଦାଜ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଲାଗି ପଡ଼ିଥିଲେ, ତେବେ ସେପ୍ଟେମ୍ବର ମଧ୍ୟାନ୍ତରରେ ଅବସ୍ଥା ଏମିତି ଅସମ୍ଭାଳ ହେଲା କେମିତି? ଯୁଦ୍ଧକାଳୀନ ଭିତ୍ତିରେ ଯଦି ସରକାର ଏ ଦିଗରେ ପଦକ୍ଷେପ ନନିଅନ୍ତି, ତେବେ ରାଜଧାନୀର ସ୍ୱାସ୍ଥ୍ୟସେବା ଆଉ ନିୟନ୍ତ୍ରଣ ଭିତରେ ରହିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

2 Comments

  1. 100 percentage true fact. Odissa govt failed in health facilities in Bhubaneswar. I have tested rapid antigen test on 8.9.2020at Hi-tech college bbsr and found positive. After two days out of 7, five family members including one baby 10 months tested and found positive. Iam a COPD Patient of 63 years. On hard efforts today one doctor of BMC came and hive some medicine and advised accordingly. Yesterday night due to severe condition of the baby I have contacted 104 And 1929 for ambulance for medical but not supplied and told me there is no vacant bed in any covid hospital. Just we are living in home isolation with mercy of God.

Leave a Reply

Your email address will not be published.


*