ନାଗରିକତା ସଂଶୋଧନ ବିଲ୍‌,କ’ଣ ପ୍ରସ୍ତାବ, କାହିଁକି ବିବାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନାଗରିକତା ସଂଶୋଧନ ବିଧେୟକ ଏବେ ଚର୍ଚ୍ଚାରେ । ବୁଧବାର କ୍ୟାବିନେଟ୍‌ ବୈଠକରେ ଏହି ବିଧେୟକକୁ ମଞ୍ଜୁରୀ ମିଳିଛି । ଏବେ ଏହି ବିଧେୟକ ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାକୁ ଯିବ । ସଂସଦରେ ତିନି ତଲାକ୍‌ ଏବଂ ଧାରା -୩୭୦ ସମୟରେ ଯେଉଁ ଘମାସାନ ଦେଖିବାକୁ ମିଳିଥିଲା ଏହି ବିଧେୟକକୁ ନେଇ ସେଭଳି ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀ ଦଳ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି ଯେ, ସରକାରଙ୍କ ପାଇଁ ଏହି ବିଲ୍‌ ଅନୁମୋଦନ କରିବା ସେତେଟା ସହଜ ହେବ ନାହିଁ । ବିରୋଧୀ ଦଳ ବିଲ୍‌ରେ ହୋଇଥିବା କିଛି ସଂଶୋଧନକୁ ନେଇ କ୍ଷୁବ୍ଧ ଅଛନ୍ତି । ସେମାନେ ଏହାକୁ ଅଳ୍ପସଂଖ୍ୟକ ବିରୋଧୀ ବୋଲି କହୁଥିଲା ବେଳେ ଏହି ଅଭିଯୋଗକୁ ଖାରଜ କରିଛନ୍ତି ସରକାର ।
ଦେଶରେ ଅନୁପ୍ରବେଶକାରୀ ମାମଲା ଗତ କିଛିବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଛି । ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବା ଦିଗରେ ପ୍ରଥମେ ଆସାମରେ ଏନ୍‌ଆରସି ଅର୍ଥାତ୍‌ ନ୍ୟାସନାଲ ରେଜିଷ୍ଟାର ଅଫ୍‌ ସିଟିଜନ୍ସ ଉପରେ କାମ ହୋଇଥିଲା । ଏବେ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହେବା ସହ ବଡ଼ ସଂଖ୍ୟାରେ ଲୋକଙ୍କୁ ନାଗରିକତା ତାଲିକାରୁ ବାଦ୍‌ ରଖାଯାଇଛି । ଏହିମାନେ ବହୁବର୍ଷ ଧରି ଆସାମରେ ରହୁଥିବା ଏବଂ ସ୍ଥାନୀୟ ବାସିନ୍ଦା ବୋଲି କୁହାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଧେୟକ ଉପସ୍ଥାପିତ କରିବାକୁ ଯାଉଛନ୍ତି । ଏହି ବିଧେୟକକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।
ନାଗରିକତା ସଂଶୋଧନ ବିଧେୟକ କ’ଣ?
ନାଗରିକତା ସଂଶୋଧନ ବିଧେୟକରେ ନାଗରିକତା ଆଇନ୍‌ ୧୯୫୫ରେ କିଛି ସଂଶୋଧନର ପ୍ରସ୍ତାବ ରହିଛି । ଏଥିରେ ଆଫଗାନିସ୍ଥାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିଆନ୍‌ ଧର୍ମର ଶରଣାର୍ଥୀଙ୍କ ପାଇଁ ନାଗରିକତାର ନିୟମ ସରଳ କରିବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିଙ୍କୁ ଭାରତର ନାଗରିକତା ହାସଲ ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥା ଅନୁସାରେ ଉକ୍ତ ବ୍ୟକ୍ତି ଅତିକମ୍‌ରେ ବିଗତ ୧୧ବର୍ଷ ଧରି ଭାରତରେ ରହିଥିବା ବାଧ୍ୟତାମୂଳକ । ଏହି ନିୟମକୁ ସହଜ କରିବାକୁ ଯାଇ ସରକାର ନାଗରିକତା ହାସଲ ପାଇଁ ଅବଧିକୁ ଏକ ବର୍ଷରୁ ୬ ବର୍ଷ କରିବାର ପ୍ରସ୍ତାବ ରହିଛି । ଅର୍ଥାତ୍‌ ଏହି ତିନି ଦେଶର ୬ଟି ଧର୍ମର ଲୋକେ ଯେଉଁମାନେ ଏକ ବର୍ଷରୁ ୬ ବର୍ଷ ଧରି ଭାରତରେ ରହିଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ । ଅର୍ଥାତ୍‌ ତିନି ପଡୋଶୀ ମୁସଲିମ୍‌ ବହୁଳ ଦେଶରୁ ଆସିଥିବା ଅଣ ମୁସ୍‌ଲିମ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନର ନିୟମକୁ ସରଳ କରାଯିବ ।
କେଉଁମାନେ ଅବୈଧ ପ୍ରବାସୀ
ନାଗରିକତା ଆଇନ୍‌ ୧୯୫୫ ଅନୁସାରେ ଅବୈଧ ପ୍ରବାସୀଙ୍କୁ ଭାରତର ନାଗରିକତା ମିଳିପାରିବ ନାହିଁ । ଏହି ଆଇନ୍‌ ଅନ୍ତର୍ଗତ ସେହି ଲୋକଙ୍କୁ ଅବୈଧ ପ୍ରବାସୀ ଭାବେ ଗ୍ରହଣ କରାଯାଉଛି, ଯେଉଁମାନେ ଭାରତରେ ବୈଧ ଯାତ୍ରାର ଦସ୍ତାବିଜ୍‌ ଯଥା ପାସପୋର୍ଟ ଏବଂ ଭିସା ବିନା ଭାରତରେ ପ୍ରବେଶ କରିଛନ୍ତି ଏବଂ ରହୁଛନ୍ତି । ଏଥିସହ ଅନେକ ବୈଧ ଦସ୍ତାବିଜ ସହ ଭାରତକୁ ଆସିଥିଲା ବେଳେ ଏହି ସମୟସୀମା ଶେଷ ହେବା ପରେ ମଧ୍ୟ ଏଠାରେ ରହୁଛନ୍ତି ।
ଅବୈଧ ପ୍ରବାସୀଙ୍କ ପାଇଁ ପ୍ରାବଧାନ
ଅବୈଧ ପ୍ରବାସୀଙ୍କୁ ଜେଲରେ ରଖାଯାଇପାରେ ନଚେତ୍‌ ବିଦେଶୀ ଅଧିନିୟମ ୧୯୪୬ ଏବଂ ପାସ୍‌ପୋର୍ଟ (ଭାରତରେ ପ୍ରବେଶ) ଅଧିନିୟମ ୧୯୨୦ ଅନ୍ତର୍ଗତ ସେମାନଙ୍କ ଦେଶକୁ ପଠାଇ ଦିଆଯାଇପାରେ । ହେଲେ କେନ୍ଦ୍ର ସରକାର ୨୦୧୫ ଏବଂ ୨୦୧୬ରେ ଉପରୋକ୍ତ ୧୯୪୬ ଏବଂ ୧୯୨୦ର ଆଇନ୍‌ରେ ସଂଶୋଧନ କରି ଆଫଗାନିସ୍ଥାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ,ଶିଖ୍‌,ବୌଦ୍ଧ,ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନକୁ ରିହାତି ଦେଇଛନ୍ତି । ଏହାର ଅର୍ଥ ହେଉଛି ଯେ, ଏହି ଧର୍ମର ଲୋକେ ଯଦି ଭାରତରେ ବୈଧ ଦସ୍ତାବିଜ ବିନା ରହୁଛନ୍ତି ତେବେ ନାଁ ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ ନାଁ ସେମାନଙ୍କୁ ନିର୍ବାସିତ (ନିଜ ଦେଶକୁ ପଠାଇବା)କରାଯିବ । ଏହି ସୁବିଧା ସେହି ଧର୍ମାବଲମ୍ବିଙ୍କୁ ମିଳିବ ଯେଉଁମାନେ ଡିସେମ୍ବର ୩୧,୨୦୧୪ କିମ୍ବା ତା’ପୂର୍ବରୁ ଭାରତରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ନାଗରିକତା ପତ୍ର ହାସଲ କରିବା ପାଇଁ ଯୋଗ୍ୟ ବନାଇବା ନିମନ୍ତେ ନାଗରିତା ଆଇନ୍‌ ୧୯୫୫ରେ ସଂଶୋଧନ ନିମନ୍ତେ ନାଗରିକତା ସଂଶୋଧନ ବିଧେୟକ ୨୦୧୬ କୁ ସଂସଦରେ ଉପସ୍ଥାପିତ କରାଯାଇଥିଲା ।
ଏହି ବିଧେୟକକୁ ଜୁଲାଇ ୧୯,୨୦୧୬ରେ ଲୋକସଭାରେ ଉପସ୍ଥାପିତ କରାଯାଇଥିଲା ଏବଂ ଅଗଷ୍ଟ ୧୨,୨୦୧୬ରେ ଏହାକୁ ସଂଯୁକ୍ତ ସଂସଦୀୟ କମିଟିକୁ ପଠାଯାଇଥିଲା । କମିଟି ଜାନୁଆରୀ ୭, ୨୦୧୯ରେ ନିଜ ରିପୋର୍ଟ ଉପସ୍ଥାପିତ କରିଥିଲା । ଏହାର ପରଦିନ ଅର୍ଥାତ୍‌ ଜାନୁଆରୀ ୮, ୨୦୧୯ରେ ଏହି ବିଧେୟକକୁ ଲୋକସଭାରେ ମଞ୍ଜୁର କରାଯାଇଥିଲା । ତେବେ ସେହି ସମୟରେ ରାଜ୍ୟସଭାରେ ଏହା ଉପସ୍ଥାପିତ ହୋଇପାରିନଥିଲା । ବର୍ତ୍ତମାନ ସରକାର ଶୀତକାଳୀନ ଅଧିବେଶନରେ ନୂଆ ରୂପରେ ଏହି ବିଧେୟକକୁ ଉପସ୍ଥାପିତ କରିବାକୁ ଯାଉଛନ୍ତି । ଏହା ସଂସଦର ଉଭୟ ସଦନରେ ପାରିତ ହେବା ପରେ ଆଇନରେ ପରିଣତ ହେବ ।
ସଂସଦୀୟ ବ୍ୟବସ୍ଥାର ନିୟମ ଅନୁସାରେ ଯଦି କୌଣସି ବିଧେୟକ ଲୋକସଭାରେ ଅନୁମୋଦିତ ହୋଇଥାଏ ଏବଂ ରାଜ୍ୟସଭାରେ ଏହା ପାରିତ ହୋଇପାରିନଥାଏ, ପରେ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଯାଏ ତେବେ ଏହି ବିଧେୟକ ନିଷ୍କି୍ରୟ ହୋଇଯାଇଥାଏ । ଅର୍ଥାତ୍‌ ଏହାକୁ ପୁଣି ଥରେ ସଦନର ଉଭୟ ଗୃହରେ ମଞ୍ଜୁରୀ କରିବାର ଆବଶ୍ୟକତା ରହିବ । ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ଏହି ନିୟମ ଭିନ୍ନ ଅଟେ । ଯଦି କୌଣସି ବିଧେୟକ ରାଜ୍ୟସଭାରେ ଲମ୍ବିତ ହୋଇରହିଛି ଏବଂ ଲୋକସଭାରେ ପାସ୍‌ ହୋଇପାରିନାହିଁ ଏବଂ ଲୋକସଭା ଭଙ୍ଗ ହୋଇଯାଇଛି ସେତେବେଳେ ଏହି ବିଧେୟକ ନିଷ୍କି୍ରୟ ହୋଇନଥାଏ । ଯେହେତୁ ପୂର୍ବରୁ ଏହି ବିଧେୟକ ରାଜ୍ୟସଭାରେ ପାରିତ ହୋଇପାରିନଥିଲା ଏବଂ ଏହା ମଧ୍ୟରେ ୧୬ତମ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ସେହି କାରଣରୁ ଏହି ବିଧେୟକକୁ ପୁଣି ଥରେ ଉଭୟ ଗୃହରେ ପାରିତ କରିବାର ଆବଶ୍ୟକତା ଅଛି ।
ବିବାଦ କାହିଁକି?
ବିରୋଧୀ ଦଳର ସବୁଠୁ ବଡ଼ ବିରୋଧ ହେଉଛି ଯେ, ଏହି ସଂଶୋଧିତ ବିଧେୟକ ମୁସଲିମ୍‌ ସମୁଦାୟକୁ ଟାର୍ଗେଟ କରି ବନାଯାଇଛି । ସେମାନଙ୍କ ଯୁକ୍ତି ହେଉଛି ଏହା ସମ୍ବିଧାନର ଅନୁଚ୍ଛେଦ-୧୪ର ଉଲ୍ଲଂଘନ ଅଟେ । ଯାହା ସମାନତାର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ସୂଚନାଯୋଗ୍ୟ ଯେ, ପୂର୍ବୋତର ରାଜ୍ୟର ଅଧିକାଂଶ ଲୋକଙ୍କ ଯୁକ୍ତି ହେଉଛି ଯେ, ଯଦି ନାଗରିକତା ସଂଶୋଧନ ବିଧେୟକକୁ ଲାଗୁ କରାଯାଏ ତେବେ ପୂର୍ବୋତର ରାଜ୍ୟର ମୂଳବାସିନ୍ଦାଙ୍କ ଆଗରେ ନିଜ ପରିଚୟର ସଂକଟ ଓ ପେଟପାଟଣାର ସଂକଟ ସୃଷ୍ଟି ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*