ନବୀନଙ୍କ ସରଳ ଜୀବନ ଉପଦେଶ ଓ ବିଧାୟକଙ୍କ ପ୍ରାଡୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପଞ୍ଚମ ପାଳିରେ ବାଜିମାତ୍‌ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନବନିର୍ବାଚିତ ବିଧାୟକମାନଙ୍କୁ କିଛି ଗୁରୁମନ୍ତ୍ର ଦେଇଥିଲେ । ଏହି ଗୁରୁମନ୍ତ୍ର ଭିତରେ ଥିଲା ସେମାନେ ସରଳ ଜୀବନଯାପନ କରିବେ, ଲୋକଙ୍କ ସାଙ୍ଗରେ ମିଶିବେ, ସେମାନଙ୍କ ହାନିଲାଭ ବୁଝିବେ ଏବଂ ବାହ୍ୟ ଆଡମ୍ବର ବର୍ଜନ କରିବେ । ବିଧାୟକମାନେ କ’ଣ ବୁଝିଥିବେ, ସେକଥା ନାରାୟଣଙ୍କୁ ମାଲୁମ୍‌ ।
ନିର୍ବାଚନ ଆଗରୁ ଏକ ଇଂରାଜୀ ପତି୍ରକାରେ ନବୀନଙ୍କ ଉପରେ ଏକ ପ୍ରଚ୍ଛଦ ପ୍ରସଙ୍ଗ ଛପା ଯାଇଥିଲା । କାହାଣୀର ମୁଖ୍ୟ ଫୋକସ୍‌ ଥିଲା ଯେ, ନବୀନ ବାବୁ ଭାରି ସରଳିଆ ଜୀବନଯାପନ କରନ୍ତି । ଦଦରା ଚେୟାର । ପୁରୁଣା ସ୍ଲିପର । ବେଶି ଦେଖାଇଲା ଭଳି କିଛି ନାହିଁ । ନିଜେ ଗୋଇଠି ଉପରକୁ ପିନ୍ଧନ୍ତି ପାଇଜାମା । ଉପର ପଞ୍ଜାବି ବି ଧଳା । ଏହି ଭାବମୂର୍ତ୍ତି ୨୦ ବର୍ଷ ହେଲା ଲୋକଙ୍କୁ ମୋହାଚ୍ଛନ୍ନ କରିରଖିଛି । ବୋଧହୁଏ ସେଥିପାଇଁ ନବନିର୍ବାଚିତ ବିଧାୟକମାନଙ୍କୁ ସରଳ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ ସେ ।
କିନ୍ତୁ ତାଙ୍କ କଥା ମାନୁଚି କିଏ? ଜଣେ ବିଧାୟକଙ୍କ କୋଠି ତିଆରିରେ କୋଟିକୋଟି ଟଙ୍କା ଖର୍ଚ୍ଚ ହଉଚି । ତିନିଟି ବିଭାଗର ଏକଜିକୁ୍ୟଟିଭି ଇଞ୍ଜିନିୟର ଲାଗିପଡିଚନ୍ତି । ବାବୁ ମନ୍ତ୍ରୀ ବି ନୁହଁନ୍ତି । କିନ୍ତୁ ସରଳ ଜୀବନଯାପନ କରିବା ପାଇଁ ଚାକଚକ୍ୟ ଭରା କୋଠିଟିଏ ତ ନିହାତି ଦରକାର? ନହେଲେ ସୁଖନିଦ୍ରା ହବ କେମିତି?
ବାବୁ ଟୟୋଟା ପ୍ରାଡୋ ଗାଡ଼ି ଚଢନ୍ତି । ଏହାର ମୂଲ୍ୟ ପାଖାପାଖି ଦେଢକୋଟି । ବାବୁଙ୍କର ଏମିତି ଆଉ ଏକ ଦେଢକୋଟି ବାଲା ଗାଡି ଅଛି । ଦାମିକା ଗାଡ଼ିରେ ବସିଲେ ନିଜକୁ ସରଳ ସରଳ ଲାଗେ । ଛୋଟମୋଟ ଗାଡ଼ିରେ ଚଢିଲେ ସାଧାରଣ ଲୋକଙ୍କ ସହ ମିଶିବାକୁ ଭାରି କଷ୍ଟ ଲାଗିପାରେ । ତେଣୁ ନବୀନ ବାବୁଙ୍କ ସରଳ ଜୀବନ ଫର୍ମୁଲା ବହୁ ବିଧାୟକ ଅକ୍ଷରେ ଅକ୍ଷରେ ପାଳନ କରୁଚନ୍ତି । ପାଟକୁରା ନିର୍ବାଚନ ବେଳେ ବିଧାୟକମାନଙ୍କ ଗାଡ଼ି ଦେଖିଲେ ଜଣାପଡିଯାଉଥିଲା ଯେ, ସବୁଯାକ ସରଳ ଲୋକ ବାଛିବୁଛା ହେଇ ବିଧାୟକ ହେଇଚନ୍ତି । ବିଜେପୁରରେ ବି ଏମିତି ସରଳ ନେତା ଓ ବିଧାୟକମାନଙ୍କୁ ମାଳମାଳ ଦେଖିବାକୁ ପଡିଲା ।
ଦ୍ୱିତୀୟ କଥାଟି ହେଲା ଯେ, ଲୋକଙ୍କ ସହିତ ମିଶିବେ ଓ ହାନିଲାଭ ବୁଝିବେ । କିନ୍ତୁ ବିଧାୟକଙ୍କ ଉପରେ ଭରସା ପାଉନି ବୋଧେ, ଏଥର ଅଫିସରମାନେ ଲୋକଙ୍କ ସହିତ ମିଶି ଡାଇରେକ୍ଟ ଟଚ୍‌ରେ ରହିବେ । ଆମ ବିଧାୟକମାନେ ଏତେ ସରଳ ହେଇପଡିଚନ୍ତି ଯେ, ଲୋକଙ୍କ ସହ ମିଶିବା ପାଇଁ ସେମାନଙ୍କୁ ସୁଯୋଗ ମିଳୁନାହିଁ । ଜଣେ ଶଙ୍ଖ ବିଧାୟକଙ୍କୁ ସମସ୍ୟା ନେଇ ଜଣେ କଲେଜ ଛାତ୍ର ନିକଟରେ ଫୋନ୍‌ କରିଥିଲେ । ସମସ୍ୟା କହିବା ବେଳେ ସରଳ ବିଧାୟକ ଉତ୍ତର ଦେଲେ ଯେ, ମୋ ପାଖରେ ସମୟ ନାହିଁ । ପରେ କେତେବେଳେ ଫୋନ୍‌ କରିବେ । ଏସବୁ ହେଉଚି ନବୀନ ବାବୁଙ୍କ ଉପଦେଶର ଫଳ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*