ନବୀନଙ୍କ ମୁଖା ଖୋଲିଲେ ଧର୍ମେନ୍ଦ୍ର: ୧,୩୬,୪୧୭ କୋଟି ଟଙ୍କାର ପ୍ରକଳ୍ପ ଅଟକାଇଛି ରାଜ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମୋଦୀ ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ୍‌ ୨୦୧୪ ପରଠାରୁ ପୂର୍ବ ଭାରତ ବିଶେଷକରି ଓଡ଼ିଶାର ବିକାଶ ଉପରେ ଜୋର୍‌ ଦେଉଛନ୍ତି । ହେଲେ ବିଭିନ୍ନ ସମୟରେ ରାଜ୍ୟ ସରକାର କେନ୍ଦ୍ର ଅବହେଳା, ଅସହଯୋଗର ଉଦାହରଣ ଦେଇ ଦୋଷ ଲଦୁଛନ୍ତି କେନ୍ଦ୍ର ସରକାରଙ୍କ ଉପରେ । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏହି ଦୋଷ ଲଦାଲଦିର ପର୍ବ ଗତ ୪ବର୍ଷ ଧରି ଦେଖିବାକୁ ମିଳିଛି । ହେଲେ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କେନ୍ଦ୍ର ଅବହେଳାର ମୁଖା ଖୋଲି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିôବା ଉଦ୍ୟମ, ପୁଞ୍ଜି ନିବେଶ, ସହଯୋଗ କରିବା ପାଇଁ ପତ୍ର, ବିବାଦର ସମାଧାନ ପାଇଁ ହୋଇଥିବା ପ୍ରଚେଷ୍ଟା ଆଦି ସବୁକୁ ଖୋଲି ଦେଇଛନ୍ତି ସାମ୍ବାଦିକ ସମ୍ମିଳନୀରେ । ରାଜ୍ୟ ସରକାର ନିଜ ଅପାରଗତା ବିଶେଷକରି ମୁଖ୍ୟମନ୍ତ୍ରୀ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏବଂ ରାଜ୍ୟବାସୀଙ୍କୁ ଭକୁଆ ବନାଇବା ନିମନ୍ତେ କେନ୍ଦ୍ର ଉପରେ ଦୋଷ ଦେଇ ଖସିବାର ଉଦ୍ୟମ କରୁଛନ୍ତି ବୋଲି ସେ ତଥ୍ୟ ପ୍ରମାଣ ସହ ସୂଚନା ଦେଇଛନ୍ତି । ଆଉ କହିଛନ୍ତି, ରାଜ୍ୟ ସରକାରଙ୍କ ଓଡ଼ିଶାର ବିକାଶ ଦିଗରେ ସାମାନ୍ୟ ଆନ୍ତରିକତା ନାହିଁ ।
“ଜବାବ୍‌ ମାଗୁଛି ଓଡ଼ିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇ କହିଛନ୍ତି ଯେ, ମୋଦୀ ସରକାର ଓଡ଼ିଶାର ବିକାଶ ପାଇଁ ଉଦ୍ୟମ କରୁଥିଲା ବେଳେ କାଳେ ପ୍ରଧାନମନ୍ତ୍ରୀ ନାଁ ନେଇଯିବେ, ସେଥିପାଇଁ ବାହାନା ଖୋଜୁଛନ୍ତି ନବୀନ ପଟନାୟକ ।

‘ସ୍ୱାମୀ ପଛେ ମରୁ, ସଉତୁଣୀ ବିଧବା ହେଉ’ ନୀତିରେ ମୋଦୀଙ୍କୁ ବିରୋଧ କରିବାକୁ ଯାଇ ଓଡ଼ିଶାର ବିକାଶକୁ ବାଧାପ୍ରାପ୍ତ କରୁଛନ୍ତି ନବୀନ । ବିକାଶର ଶୁଖିଲା ଡିନ୍ଦିମ ପିଟି ସେ ଲୋକଙ୍କୁ ଭକୁଆ ବନାଇବାର ଚେଷ୍ଟା କରୁଛନ୍ତି । ଯେଉଁ କାରଣରୁ ଓଡ଼ିଶା ଆଜି ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡ଼ିଛି । ସ୍ୱାମୀ ପଛେ ମରୁ… ନୀତି କାରଣରୁ ବର୍ତ୍ତମାନ ରାଜ୍ୟରେ ମୋଟ ୧ଲକ୍ଷ ୩୬ହଜାର ୪୧୭ କୋଟି ଟଙ୍କାର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି । କେଉଁକେଉଁ କ୍ଷେତ୍ରରେ କେତେ କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି ଏବଂ ଏହା ପଛର କାରଣ କ’ଣ, ତା’ର ପୁରା ଚିଠା ଖୋଲି ଦେଇଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ୬୨ଟି ଚିଠି ଲେଖିଛି । ୨୦୧୭ ମସିହା ପରଠାରୁ ୪୪ଟି ଚିଠି ଲେଖିଛି । ହେଲେ ଏହି ଚିଠି ମଧ୍ୟରୁ ମାତ୍ର ଗୋଟିଏ ଚିଠି ଅର୍ଥାତ୍‌ ଏପି୍ରଲ୍‌ ୨୪,୨୦୧୭ରେ ଲେଖିଥିବା ଚିଠି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଠାରୁ ପ୍ରାପ୍ତିପତ୍ର ସ୍ୱୀକାର ମିଳିଛି ।
ପାରାଦୀପ ବିଶୋଧନାଗାର ସମ୍ପ୍ରସାରଣ ଯୋଜନା ନେଇ ରାଜ୍ୟ ସରକାରଙ୍କ ଅସହଯୋଗର ଉଦାହରଣ ଦେଇ ଧର୍ମେନ୍ଦ୍ର କହିଥିଲେ ଯେ, ଏହି ବିଶୋଧନାଗାରର କ୍ଷମତାକୁ ୧୫ ମିଲିଅନ୍‌ ମେଟି୍ରକ୍‌ ଟନ୍‌ରୁ ୨୫ ମିଲିଅନ୍‌ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ଏହି ପ୍ରକଳ୍ପରେ ୩୪,୫୫ କୋଟି ଟଙ୍କା ନିବେଶ ହୋଇଥିଲା ବେଳେ ଆଉ ୨୨ ହଜାର କୋଟି ଟଙ୍କା ନିବେଶ ହେବ । ମାତ୍ର ଆବଶ୍ୟକ ଥିବା ୨୨୯୦ ଏକର ଜମି ଓଡ଼ିଶା ସରକାର ଯୋଗାଇ ଦେଉ ନାହାନ୍ତି । ଏହି ସମ୍ପ୍ରସାରଣ ଯୋଜନା କାର୍ଯ୍ୟକାରୀ ହେଲେ ସିପିସି ତାଇୱାନ୍‌ ୪୩ ହଜାର କୋଟି ଟଙ୍କା ପେଟ୍ରୋଲିୟମ୍‌ କ୍ଷେତ୍ରରେ ନିବେଶ କରିବାର ପ୍ରସ୍ତାବ ଦେଇଛି । ହେଲେ ଜମି, ପାଣି, ବିଜୁଳି କ୍ଷେତ୍ରରେ ସହଯୋଗ ନିମିଳିବାରୁ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ଟେକ୍ସଟାଇଲ୍‌ କ୍ଷେତ୍ରର ଅଭିବୃଦ୍ଧି ବାଧାପ୍ରାପ୍ତ ହେଉଛି । ସେହିପରି ଭଦ୍ରକ ଟେକ୍ସଟାଇଲ୍‌ ପାର୍କ ପାଇଁ ଆବଶ୍ୟକ ୭୫ ଏକର ଜମି ସରକାର ଯୋଗାଉ ନଥିବାରୁ ୧୯୭୦ କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି ।
କେନ୍ଦ୍ର ସରକାରଙ୍କ ଆଉ ଏକ ପ୍ରକଳ୍ପ ମେଗା ଯୋଜନା କୋଷ୍ଟାଲ୍‌ ହାଇୱେକୁ ନେଇ ଧର୍ମେନ୍ଦ୍ର ମଧ୍ୟ ବର୍ଷିଛନ୍ତି ନବୀନ ସରକାରଙ୍କ ଉପରେ । ସେ କହିଛନ୍ତି ଯେ, ଗୋପାଳପୁର-ଦିଘା ୪୧୫ କିମି ଏହି ଉପକୂଳ ରାଜପଥ ପାଇଁ ୧୦ହଜାର କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ଉପକୂଳ ଓଡ଼ିଶାରେ ଗମନାଗମନର ବିକାଶ ଘଟିବ । ଅଣସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ିବ । ଏନେଇ ବାରମ୍ବାର ବୈଠକ ବସିଛି, ଆଲୋଚନା ମଧ୍ୟ ହେଉଛି । ରାଜ୍ୟ ସରକାର କିଛି ପରିବର୍ତ୍ତନର ପ୍ରସ୍ତାବ ଦେଇଛନ୍ତି । ହେଲେ ଏଥିରେ ଦଳୀୟ ନେତାଙ୍କ ସ୍ୱାର୍ଥ ଥିବା ଜଳଜଳ ଦିଶୁଛି । ପୁରୀ-ସାତପଡ଼ା (୫୦କିମି) ଏବଂ କୋଣାର୍କ-ଅସ୍ତରଙ୍ଗ (୨୮) କୋଷ୍ଟାଲ୍‌ ହାଇୱେ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି, ତା’ପଛର କାରଣ ହେଉଛି, ଏହି ସ୍ଥାନରେ ରହିଛି କିଛି ସରକାରୀ ନେତାଙ୍କ ଜମି । ସେହିପରି ପରିବେଶ ଏବଂ ସିଆର୍‌ଜେଡ୍‌ ମଞ୍ଜୁରୀରେ ବିଳମ୍ବ କରାଯାଉଛି । ୫ହଜାର କିମି ଜାତୀୟ ରାଜମାର୍ଗ ସମ୍ପ୍ରସାରଣ ଯୋଜନାକୁ ମଧ୍ୟ ଓଡ଼ିଶା ସରକାର କରାଇ ଦେବାକୁ ଚାହୁଁ ନାହାନ୍ତି । ୧୨,୨୮୬ କୋଟି ଟଙ୍କା ମୂଲ୍ୟର ୧୦୬୦ କିମିର ରେଳବାଇ ପ୍ରକଳ୍ପ ଏଥିପାଇଁ ସ୍ଥଗିତ ରହିଛି ଯେ, ରାଜ୍ୟ ସରକାର ଜମି ଓ ଜଙ୍ଗଲ ମଞ୍ଜୁରୀ ଦେଇ ନାହାନ୍ତି । ଆମେରିକୀୟ କମ୍ପାନୀଠାରୁ ଚଢ଼ା ଦରରେ ବିଦୁ୍ୟତ୍‌ କିଣିବାକୁ ସରକାର ଆଗ୍ରହ ଦେଖାଉଥିଲା ବେଳେ ତାଳଚେର ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ମୁହଁ ପଛକୁ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ଭାଷଣରେ ବରୁଣ ଠାରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମୁଁ ମାଗଣାରେ ଜମି ଦେବି ବୋଲି ଘୋଷଣା କରିଥିଲା ବେଳେ, ଏବେ ଜମି ପ୍ରଦାନ କରୁ ନଥିବାରୁ ଅଟକି ରହିଛି ୨୦୦ କୋଟିର ପ୍ରକଳ୍ପ । ଶ୍ରୀ ପ୍ରଧାନ ଏହିପରି ଅନେକ ପ୍ରକଳ୍ପ କିପରି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ବାଧାପ୍ରାପ୍ତ ହୋଇଛି, ତାହାର ଚିଠା ସମସ୍ତଙ୍କ ଆଗରେ ଖୋଲି ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*