ନବୀନଙ୍କ ଫୋକସ୍‌ରେ ଥାନା, ଡାକ୍ତରଖାନା ଓ ମନ୍ଦିର କାହା ପାଇଁ ଏତେ ସଜବାଜ, ଆୟୋଜନ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଏତେ ସଜବାଜ ଓ ଆୟୋଜନ କାହା ପାଇଁ?
ଏହା ପୂର୍ବରୁ ୪ଥର ସରକାର ଗଢ଼ିଛନ୍ତି ନବୀନ ପଟନାୟକ । ଏବେ ଚାଲିଛି ତାଙ୍କର ପଞ୍ଚମ ପାଳିର ଶାସନ । ଏଭଳି ରେକର୍ଡ଼ ଭବିଷ୍ୟତରେ କେହି କରିପାରିବେ କି ନାହିଁ, ସେନେଇ ଗଭୀର ସନେ୍ଦହ ଅଛି । କିନ୍ତୁ ହଠାତ୍‌ ପଞ୍ଚମ ପାଳିର ଏହି ୬ମାସ ଭିତରେ ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସରକାର । କିଛି ନା କିଛି ଘୋଷଣା ହେଉଛି । ଲାଗୁଛି ସତେ ଯେମିତି ମୁନ୍ଦ ଉପରେ ନିର୍ବାଚନ ।
ହଠାତ୍‌ ନବୀପ ପଟନାୟକଙ୍କ ଫୋକସ୍‌ରେ ମନ୍ଦିର, ହସ୍ପିଟାଲ ଏବଂ ସ୍କୁଲ । ଏହା ଆଗରୁ କେବେ ଦେଖାଯାଇ ନଥିଲା । କିନ୍ତୁ ନବୀନଙ୍କ ଏଭଳି ସ୍କିମ୍‌ରେ କୌଣସି ମନ୍ତ୍ରୀ ଓ ବିଧାୟକ ନାହାନ୍ତି । ସେମାନଙ୍କୁ ପାଟକୁରା ଏବଂ ବିଜେପୁର ଜିଣିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି । ମାତ୍ର ଯାହାକୁ ଫୋକସ କରି ନବୀନ ବାବୁ ଆଗାଉଛନ୍ତି, ସେଥିରେ କୌଣସି ମନ୍ତ୍ରୀ ଓ ବିଧାୟକ ନଥିବାରୁ ନବୀନଙ୍କ ଆଗାମୀ ଯୋଜନାରେ ଏମାନଙ୍କ ଭିତରୁ କେହି ବିନ୍ଦୁ ହେବାକୁ ଯାଉ ନାହାନ୍ତି । ତେବେ କାହା ପାଇଁ ଏତେ ଆୟୋଜନ ଓ ଯୋଜନା?
ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ସାଇଡ୍‌ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ଯୋଜନା ଘୂରୁଛି ସଚିବମାନଙ୍କୁ ନେଇ । କିନ୍ତୁ ସେମାନଙ୍କ ଭିତରୁ କେବଳ ଜଣେ ଏହି ନୂଆ ଯୋଜନାର ପ୍ରମୁଖ ସାଜିଛନ୍ତି । ସିଏ ହେଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ମନ୍ତ୍ରୀ ନଥାଇ ଗଢ଼ା ହୋଇଥିବା ୫-ଟି ବିଭାଗର ସଚିବ ଭିକେ ପାନ୍ଦିଆନ୍‌ । ତେବେ ନବୀନଙ୍କ ନୂଆ ସ୍କିମ୍‌ରେ ପାନ୍ଦିଆନ୍‌ ଏକ ବିଶେଷ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି କି? ନା ଅନ୍ୟ କାହା ସକାଶେ ଚାଲିଥିବା ଆୟୋଜନର ମଙ୍ଗ ଧରିଛନ୍ତି ପାନ୍ଦିଆନ୍‌? ଏହା ଶହେ କୋଟି ଟଙ୍କାର ପ୍ରଶ୍ନ ।
୨୦୦୦ରେ ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଏକ ନିଜସ୍ୱ ଭାବମୂର୍ତ୍ତି ତିଆରି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିରେ ଅନେକଙ୍କର ଯୋଗଦାନ ଥିଲା । ନବୀନ ସ୍ୱଚ୍ଛ ।
ସେ ଦୁର୍ନୀତି ବରଦାସ୍ତ କରନ୍ତି ନାହିଁ । ସ୍ତ୍ରୀ ଓ ପିଲା ନଥିବାରୁ ତାଙ୍କର ଅର୍ଥ ଲୋଭ ନାହିଁ । ଯିଏ ବା ଦୁର୍ନୀତି କରୁ ନା କାହିଁକି, କାହାକୁ ଛାଡ଼ିବେ ନାହିଁ ନବୀନ । ଲୋକେ ଏହାକୁ ଗ୍ରହଣ କରିଥିଲେ । ଏଥିପାଇଁ ବହୁ ଲୋକଙ୍କୁ ଦୁର୍ନୀତିଗ୍ରସ୍ତ କହି ବଳି ପକାଇ ଥିଲେ ନବୀନ । ତାଙ୍କର ଏଭଳି ଭାବମୂର୍ତ୍ତି ବଢ଼ାଇବା ପାଇଁ ଭାଜପାର, ପ୍ୟାରୀ ବାବୁଙ୍କର ଏବଂ ଅନୁଗତ ସଚିବମାନଙ୍କର ମସ୍ତବଡ଼ ଭୂମିକା ଥିଲା ।
କିନ୍ତୁ ନବୀନଙ୍କ ଫୋକସ୍‌ରେ କେବେ ହସ୍ପିଟାଲ, ସ୍କୁଲ ଓ ମନ୍ଦିର ନଥିଲା । ନିର୍ବାଚନ ଜିଣିବା ପରେ ସେ କେବେ ପୂର୍ବରୁ ହାତ ଖୋଲି ଯୋଜନା ପାଇଁ ଅର୍ଥ ମଞ୍ଜୁର କରୁ ନଥିଲେ । ଏବେ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ କୌଶଳ ଗ୍ରହଣ କରିଛନ୍ତି ନବୀନ । ୨୦୧୭ ପଞ୍ଚାୟତ ନିର୍ବାଚନ ଧକ୍କା ପରେ ବିକାଶମୂଳକ କାର୍ଯ୍ୟକୁ ପ୍ରଚାରର ମାଧ୍ୟମ କରାଗଲା । ୧୦୦ଟି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ, ୧୦୦ଟି ଗୋଦାମ ଘର, ୧୦୦ଟି ଏଲ୍‌ଆଇ ପଏଣ୍ଟ ଉଦ୍‌ଘାଟନ କରିବା ଆରମ୍ଭ କରିଦେଇଥିଲେ ସେ । ପିଠା, ବିଜୁ ସ୍ୱାସ୍ଥ୍ୟବୀମା ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ଆହାର, ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି’ଠୁ ଆରମ୍ଭ କରି କାଳିଆ ଯାଏଁ ଏହିସବୁ ଯୋଜନା ମୂଳରେ ଥିଲା ୨୦୧୯ ନିର୍ବାଚନ ଯେନତେନ ପ୍ରକାରେଣ ଜିତିବା । ନବୀନଙ୍କ ଏଭଳି ଯୋଜନାରୁ ସଙ୍କେତ ମିଳୁଥିଲା ଯେ, ଆସୁଛି ନିର୍ବାଚନ ।
କିନ୍ତୁ ଏବେ ନିର୍ବାଚନ ନାହିଁ । ଆହୁରି ସାଢ଼େ ଚାରି ବର୍ଷ ପରେ ଭୋଟ । ଆଗରୁ ହସ୍ପିଟାଲ ଥିଲା । ରୋଗୀ ଦହଗଞ୍ଜ ହେଉଥିଲେ । ସ୍କୁଲରେ ମଧ୍ୟାହ୍ନଭୋଜନ ସତ୍ତ୍ୱେ ଛାତ୍ର ଉପସ୍ଥାନ ବଢ଼ୁ ନଥିଲା । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ବଳଦେବ ଜୀଉ ମନ୍ଦିର ଥିଲା । କିନ୍ତୁ ହଠାତ୍‌ ନବୀନଙ୍କର ହସ୍ପିଟାଲ, ଥାନା, ମନ୍ଦିର ଏବଂ ସ୍କୁଲ ଚିନ୍ତା ପଶିଲା କାହିଁକି?
ହସ୍ପିଟାଲ, ଥାନା ଏବଂ ମନ୍ଦିରକୁ ସବୁଠୁ ଅଧିକ ଲୋକ ଆସିଥାନ୍ତି । ଏଠାରୁ ହିଁ ଭଲ କି ମନ୍ଦ ସଙ୍କେତ ଗାଁକୁ ଯାଇଥାଏ । ଅନେକ ନେତା ହସ୍ପିଟାଲଗୁଡ଼ିକରେ ସେମାନଙ୍କ ପ୍ରତିନିଧି ରଖି ଅଞ୍ଚଳରୁ ଆସୁଥିବା ରୋଗୀମାନଙ୍କ ଦେଖାଶୁଣା କରନ୍ତି । ଏହା ମଧ୍ୟ ଭୋଟରମାନଙ୍କ ଉପରେ ଭଲ ପ୍ରଭାବ ପକାଏ । ପଞ୍ଚମ ପାଳିରେ ହସ୍ପିଟାଲକୁ ନବୀନ ଫୋକାଲ୍‌ ପଏଣ୍ଟ କରିଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ କି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଭରସା କରୁନାହାନ୍ତି ନବୀନ । ମୋ ସରକାର ନାମରେ ଦାୟିତ୍ୱ ଦିଆଯାଇଛି ପାନ୍ଦିଆନ୍‌ଙ୍କୁ । ପାନ୍ଦିଆନ୍‌ ଗସ୍ତ କରିବା ପରଦିନ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଘୋଷଣା କରୁଛନ୍ତି । ବୁଧବାର ସକାଳେ ପାନ୍ଦିଆନ ଗଲେ କଟକ ବଡ଼ ମେଡିକାଲ । ରୋଗୀଙ୍କୁ ଭେଟିବା ବା ଅଭାବ ଅସୁବିଧା ପଚାରି ନାହାନ୍ତି ସେ । ବାହାରୁ ବାହାରୁ ବାହୁଡ଼ିଲେ । କିନ୍ତୁ ସଞ୍ଜ ବେଳେ କଟକ ବଡ଼ ଡାକ୍ତରଖାନା ସକାଶେ ୧୦୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ମାଲ୍‌କାନାଗିରି, କୋରାପୁଟ ଏବଂ କନ୍ଧମାଳ ହସ୍ପିଟାଲ ପାଇଁ ମଧ୍ୟ ପ୍ରକଳ୍ପ ଘୋଷଣା କରିଛନ୍ତି ସେ । ଏହା ଏକ ଭଲ ସଙ୍କେତ ନିଶ୍ଚିତ ଭାବରେ ଲୋକଙ୍କ ପାଖକୁ ଯିବ ।
ଥାନା ଡ୍ରାମା ସରିଯାଇଛି । ଲୋକଙ୍କୁ ଫୋନ୍‌ କରିବା ଏବଂ ଫିଡ୍‌ବ୍ୟାକ୍‌ ନେବା ନାଟକରେ କେଉଁକେଉଁମାନେ ଚରିତ୍ର ଭୂମିକାରେ ଥିଲେ, ତାହା କାହାକୁ ଜଣାନାହିଁ । କିନ୍ତୁ ଲୋକଙ୍କ ପାଖକୁ ଏହି ବାର୍ତ୍ତା ଗଲା ଯେ, ନବୀନ ବାବୁ ହାନିଲାଭ ବୁଝୁଛନ୍ତି ।
ସବୁଠାରୁ ମଜାଦାର୍‌ ପ୍ରସଙ୍ଗ ହେଉଛି ନବୀନଙ୍କ ମନ୍ଦିର ପ୍ରୀତି । ୧୯ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କେବେ ମନ୍ଦିର ପାଇଁ ଏତେ ଉଦାର ହୃଦୟ ହୋଇ ନଥିଲେ । ଚର୍ଚ୍ଚ ଏବଂ ମସ୍‌ଜିଦ୍‌ ପାଇଁ ତାଙ୍କର ଦରଦ ପ୍ରତିଫଳିତ ହେଉଥିଲା । କିନ୍ତୁ ସଂଖ୍ୟାଗରିଷ୍ଠ ହିନ୍ଦୁଙ୍କ ପାଇଁ ବିଶେଷ ଆଗ୍ରହୀ ନଥିଲେ ନବୀନ । ମାତ୍ର ପୁରୀରେ ବିଜଦର ପରାଜୟ ଏବଂ ଲୋକସଭା ଆସନରେ ଅଳ୍ପକେ ଦଳୀୟ ପ୍ରାର୍ଥୀ ରକ୍ଷା ପାଇଯିବା କାରଣରୁ ଧର୍ମକ୍ଷେତ୍ରଗୁଡ଼ିକରେ ବିଜଦ ପ୍ରତି ଏକ ଭିନ୍ନ ବାତାବରଣ ଅଛି ବୋଲି ବୋଧହୁଏ ନବୀନ ଅନୁଭବ କରିଛନ୍ତି । ସେଥିପାଇଁ ପୁରୀକୁ ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡ଼ି ଦେଇଛନ୍ତି । ଶ୍ରୀମନ୍ଦିର ପାଇଁ ପ୍ରାଚୀନତମ ମଠକୁ ଭାଙ୍ଗିଦେଇ ଲୋକଙ୍କ ସୁରକ୍ଷିତ ଦର୍ଶନ କଥା ଉଠାଇଛନ୍ତି ସେ । କେବଳ ସେଠି ନୁହେଁ, କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କ ଲାଗି ସାଢ଼େ ୮କୋଟି ମଞ୍ଜୁର କରିଛନ୍ତି । ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଭାଜପାକୁ ମାତ୍‌ ଦେବା ପାଇଁ ଏହା ଏକ ବିରାଟ ଯୋଜନା ବୋଲି ଅନୁମାନ କରାଯାଉଛି । ଏକଥା ସତ, ନବୀନ ପରବର୍ତ୍ତୀ ନିର୍ବାଚନ ପାଇଁ ଆରମ୍ଭରୁ ଦଳକୁ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ପଞ୍ଚମ ପାଳିରେ ବିଜୟ ପରେ ୨୦୨୪ ନିର୍ବାଚନ ସକାଶେ ସ୍ୱାସ୍ଥ୍ୟଗତ କାରଣରୁ ସେ ଯେ ନିଜ ପାଇଁ ପୁଣି ସଜବାଜ ହେଉଛନ୍ତି, ତାହା ହେଉ ନାହିଁ । ନବୀନଙ୍କ ରଣକୌଶଳ ଆଗରେ ମୋଦୀ-ଶାହାଙ୍କ ଷ୍ଟ୍ରାଟେଜୀ ଯେ କାମ ଦିଏ ନାହିଁ, ତାହା ଗତ ନିର୍ବାଚନରେ ସ୍ପଷ୍ଟ ହୋଇସାରିଛି । ଏବେ ଯେଉଁ ଢଙ୍ଗରେ ଏବଂ ଦିଗରେ ନବୀନ ଗତି କରୁଛନ୍ତି, ଭାଜପା କିମ୍ବା କଂଗ୍ରେସ ତାହାର ଟେର୍‌ ପାଇପାରିବେ ନାହିଁ ।
ନବୀନ କ’ଣ ନିଜର ଷଷ୍ଠ ପାଳି ଶାସନ ପାଇଁ ଏବେଠୁ ଡାକ୍ତରଖାନା, ଥାନା, ସ୍କୁଲ ଏବଂ ମନ୍ଦିରକୁ ଫୋକସ୍‌ କରିଛନ୍ତି? ଏତେ ଆଗରୁ ଏଭଳି ପ୍ରସ୍ତୁତି ନିଶ୍ଚିତ ଭାବରେ ରାଜନୀତି ପ୍ରେରିତ । କୌଣସି ମନ୍ତ୍ରୀ ବା ବିଧାୟକଙ୍କୁ ଆଗରେ ରଖି ଏଭଳି ପ୍ରସ୍ତୁତି କରାଯାଉଥିଲେ, ତାହା ଜଣାପଡ଼ିସାରିନ୍ତାଣି । ଯେହେତୁ ତାଙ୍କ ବ୍ୟକ୍ତିଗତ ସଚିବ ପାନ୍ଦିଆନ୍‌ ନୂଆ ଯୋଜନାର ସୂତ୍ରଧର ପାଲଟିଛନ୍ତି, ସେହେତୁ ଦୁଇଟି ବିଷୟ ଚର୍ଚ୍ଚାର ବିନ୍ଦୁ ପାଲଟିଛି ।
ନବୀନ ବାବୁ କାହାକୁ ଉତ୍ତରାଧିକାରୀ ବାଛିବାକୁ ମନସ୍ଥ କରି ନାହାନ୍ତି ତ? ତାଙ୍କ ପୁତୁରା ଅରୁଣ ପଟନାୟକ ଆସିବେ କି ରାଜନୀତିକୁ? ନା ଭରତଙ୍କ ପରି ରାମଚନ୍ଦ୍ରଙ୍କ ପାଦୁକା ରଖି ଓଡ଼ିଶା ଶାସନ କରିବେ ଖୋଦ୍‌ ପାନ୍ଦିଆନ୍‌? ନବୀନଙ୍କ ପାଇଁ ଏବଂ ଦଳ ସକାଶେ ଯାହା କରିବା କଥା, ପାନ୍ଦିଆନ୍‌ଙ୍କ ନେତୃତ୍ୱରେ ଅଫିସରମାନେ କରିସାରିଛନ୍ତି । ତେଣୁ ବିଶ୍ୱାସ ଓ ନିଷ୍ଠାର ପୁରସ୍କାର ଦେବା ପାଇଁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । କେଉଁ ଅଜଣା ଉତ୍ତରାଧିକାରୀ ପାଇଁ ଏତେ ଯୋଜନା ଓ ଆୟୋଜନ ନୁହେଁ ତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*