ନଦୀରେ ଅସୁରକ୍ଷିତ ଯାତ୍ରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନୟାହାଟ : ମାଟ୍ରିକ ପରୀକ୍ଷା ଦେବାକୁ ବିପଦ ସଙ୍କୁଳ ଅବସ୍ଥାରେ ଯାଉଛନ୍ତି ୪୦ ଛାତ୍ରଛାତ୍ରୀ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ତାଳଦା ଦ୍ୱିପାଞ୍ଚଳରେ । ଏଡବାଶଂ ସ୍ଥିତ ପଡ଼ିଆରୀ ବିଦ୍ୟାଳୟରୁ ୪୦ ଛାତ୍ରଛାତ୍ରୀ ଦେବୀ ନଦୀ ପାର ହୋଇ ପରୀକ୍ଷା ଦେବାକୁ ଅସ୍ତରଙ୍ଗ ବ୍ଲକ ସୁନ୍ଦର ଗାଁ ସ୍ଥିତ ଏସଏନ୍‌ ବିଦ୍ୟାପୀଠକୁ ଯାଉଛନ୍ତି ।
ସୂଚନାଥାଉ କି, ପଡ଼ିଆରୀ ବିଦ୍ୟାଳୟରୁ ଏସଏନ ବିଦ୍ୟାପୀଠକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ଅସ୍ତରଙ୍ଗଠାରେ ରହି ପରୀକ୍ଷା ଦେଉଥିଲେ । କିନ୍ତୁ ଚଳିତବର୍ଷ ଅଭିଭାବକମାନେ ରାଜି ନହେବାରୁ ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ପରୀକ୍ଷା ଦେବାକୁ ଯାଉଛନ୍ତି । ଏନେଇ ପ୍ରଧାନଶିକ୍ଷକ ଶରତ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପଡ଼ିଆରୀ ବିଦ୍ୟାପୀଠକୁ ପରୀକ୍ଷାକେନ୍ଦ୍ର କରାଯିବାକୁ ଅଞ୍ଚଳବାସୀ ଶିକ୍ଷାବିଭାଗ ନିକଟରେ ପ୍ରତିବର୍ଷ ଦାବି କରି ଆସୁଥିଲେ ମଧ୍ୟ ଶିକ୍ଷାବିଭାଗ ଏଦିଗରେ ଦୃଷ୍ଟି ଦେଉନାହାନ୍ତି । ପ୍ରତିବର୍ଷ ମାଟ୍ରିକ ପରୀକ୍ଷାର୍ଥୀମାନେ ନଦୀପାର ହେଉଥିବା ଦିନ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଲାଇଫ ଜ୍ୟାକେଟ ସହ ଉପସ୍ଥିତ ରହିଥାନ୍ତି । କିନ୍ତୁ ଚଳିତବର୍ଷ ସେମାନଙ୍କର ଦେଖାନାହିଁ । ଏସମ୍ପର୍କରେ ଅସ୍ତରଙ୍ଗ ତହସିଲଦାର ଅଶୋକ ସ୍ୱାଇଁ, ଆଇଆଇସି କୁଲୁ ମୁନ୍ଦା, ଅଗ୍ନିଶମ ବିଭାଗ ଅଧିକାରୀ କଳ୍ପତରୁ ନାୟକଙ୍କୁ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ସେମାନେ ସଫେଇ ଦେଇଥିଲେ ।
ରାଜନଗର : ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଦ୍ୱୀପାନ୍ତ ଅଞ୍ଚଳ ଏକମାଣିଆ, ନଳପାହି, ଦକ୍ଷୀଣଦିଆ ପ୍ରଭୃତି ଗ୍ରାମର ଛାତ୍ରଛାତ୍ରୀ ନଦୀ ପାରହୋଇ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ରାଜନଗର ବ୍ଲକ କେରଡାଗଡ ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ହୋଇଥିବା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି । ଉପାନ୍ତ ଅଞ୍ଚଳର ଏହି ଛାତ୍ର ଛାତ୍ରୀମାନେ ନଦୀପାର ହୋଇ ପରୀକ୍ଷା ଦେଇଛନ୍ତି । ଗାଁ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ କୁମ୍ଭୀର ପ୍ରବଣ । ଏହି ନଦୀରେ ହୁଲିଡଙ୍ଗାରେ ଛାତ୍ର ଛାତ୍ରୀମାନେ ବିପଦସଂକୁଳ ଅବସ୍ଥାରେ ନଦୀ ପାରହୋଇଥାନ୍ତି । ଶୁକ୍ରବାର ପରୀକ୍ଷା ଥିବାରୁ ସଅଳ ଛାତ୍ରଛାତ୍ରୀମାନେ ଘାଟ ନିକଟରେ ପହଁଚିଥିଲେ । ଜୁଆର ଆସିବା ପରେ ବିପଦସଂକୁଳ ଅବସ୍ଥାରେ ନଦୀ ପାରହୋଇ ପରୀକ୍ଷା ଦେଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସୁନୀଲ ମାହୁନ୍ତ, ରଶ୍ମିତା ପରିଡା, ଅର୍ଚ୍ଚନା ବେହେରା, ସୁଚିତ୍ରା ରାଉତ ପ୍ରମୁଖ ପରୀକ୍ଷାର୍ଥୀଙ୍କ କହିବା ଅନୁଯାୟୀ ନଦୀପାର ହେବା ପାଇଁ ପ୍ରାୟ ୨ଘଂଟାରୁ ଊଦ୍ଧ୍ୱର୍ ସମୟ ଲାଗେ । ଗାଁରୁ ପାଦଚଲା ରାସ୍ତାରେ ଆସି ଘାଟ ନିକଟରେ ଅପେକ୍ଷା କରୁ । ଅଧିକାଂଶ ସମୟରେ ଏହି ନଦୀଟି ଶୁଖି ଯାଉଥିବାରୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡେ । ଜୁଆର ଆସିବା ପରେ ଆମେ ନଦୀପାର ହୋଇଥାଉ । ଏହାପାଇଁ ଯନ୍ତ୍ରଣା, କାରଣ ଏଠି ଜୀବନ ପ୍ରତି ବିପଦ ଅଛି । ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳ ସହିତ ଏହି ନଦୀ ସଂଯୋଗ ଥିବାରୁ କୁମ୍ଭୀରଙ୍କର ଭୟ ଏଠାରେ ଅଧିକ । ଚଳିତବର୍ଷ ୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହି ଦ୍ୱୀପାନ୍ତ ଅଂଚଳଟି ଆଳି ବ୍ଲକରେ ହୋଇଥିଲେ ମଧ୍ୟ ସଂପୃକ୍ତ ବ୍ଲକର । ଏହି ୩ଟି ଗ୍ରାମର ଲୋକେ ସରକାରୀ କାର୍ଯ୍ୟକୁ ବାଦଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ ରାଜନଗର ବ୍ଲକ ଉପରେ ନିର୍ଭରଶୀଳ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*