ନକ୍ସଲଙ୍କ ହାତରେ ଡ୍ରୋନ୍‌ ହାଇଆଲର୍ଟରେ ସୁରକ୍ଷାବଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାୟପୁର

ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଦେଖିବା ମାତ୍ରେ ଗୁଳି କରିବାର ଆଦେଶ ସୁରକ୍ଷାବଳଙ୍କୁ ପ୍ରଦାନ କରାଯାଇଛି । ଅତ୍ୟନ୍ତ ଗମ୍ଭୀର ଓ ନୂଆ ଧରଣର ଆକ୍ରମଣ ସମ୍ଭାବନା ନକ୍ସଲଙ୍କ ପାଖରେ ଥିବା ବିଷୟ ଜଣାପଡିବା ପରେ ସୁରକ୍ଷାବଳଙ୍କୁ ହାଇଆଲର୍ଟରେ ରଖାଯାଇଛି । ଜଣେ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ ମାଓବାଦୀମାନଙ୍କ ଦ୍ୱାରା କିଛି ସିଆରପିଏଫ୍‌ ଶିବିର ଉପରେ ଡ୍ରୋନ ଉଡାଯିବା ଘଟଣା ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ଥିବା ସବୁଠାରୁ ଅଧିକ ପ୍ରଭାବିତ ସୁକମା ଜିଲ୍ଲାରେ ରହିଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ଫୋର୍ସର ଶିବିର ଉପରେ ଡ୍ରୋନ ଉଡୁଥିବାର ଦେଖାଯିବା ପରେ ସୁରକ୍ଷା ବିଶେଷଜ୍ଞ ଚକିତ ହୋଇପଡିଛନ୍ତି ।ମାଓବାଦୀମାନେ ଯବାନଙ୍କ ଗତିବିଧି ଠଉରାଇବା ପାଇଁ ତଥା ଆକ୍ରମଣ ରଣନୀତି ପ୍ରସ୍ତୁତି ସକାଶେ ଡ୍ରୋନର ବ୍ୟବହାର କରିବା ଆରମ୍ଭ କରିଥିବାରୁ ଏହା ସୁରକ୍ଷାବଳଙ୍କ ଲାଗି ବଡ ଚ୍ୟାଲେଞ୍ଜ ହୋଇପଡିଛି । ସୂଚନାନୁସାରେ ସୁକମ୍‌ା ଜିଲ୍ଲାର କିସ୍ତାରାମ୍‌ ଏବଂ ପାଲୋଡିଠାରେ ଥିବା ସିଆରପିଏଫ୍‌ କ୍ୟାମ୍ପ ଉପରେ ଗୋଟିଏ ନାଲି ଓ ଗୋଟିଏ ଧଳା ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ୩ଦିନ ମଧ୍ୟରେ ୪ଥର ଏହି ଡ୍ରୋନ ଉଡିଥିବାରୁ ସୁରକ୍ଷାବଳଙ୍କ ଲାଗି ବଡ ଚ୍ୟାଲେଞ୍ଜ ହୋଇପଡିଛି । ଶିବିର ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ ଗୁଳି କରିବା ଆଗରୁ ଦୁଇଟିଯାକ ଡ୍ରୋନ ଦୂରକୁ ଚାଲିଯାଇଥିଲେ । ସୁରକ୍ଷାବଳଙ୍କୁ ଏବଂ ସୁରକ୍ଷା ବିଶେଷଜ୍ଞମାନଙ୍କୁ ଅଧିକ ଚକିତ କରିଛି ଘଞ୍ଚ ଜଙ୍ଗଲ ଭିତରେ ଥିବା କ୍ୟାମ୍ପ ନିକଟରେ ଡ୍ରୋନ ଉଡାଯିବା । ଓଡ଼ିଶା ଓ ଆନ୍ଧ୍ର ସୀମାକୁ ଲାଗିଥିବା ଏହି ଅଞ୍ଚଳକୁ ଯିବା ସକାଶେ ଭଲ ରାସ୍ତା ନାହିଁ । ତେଣୁ ଏଭଳି ଏକ ସ୍ଥାନରେ ମାଓବାଦୀମାନେ ଡ୍ରୋନର ବ୍ୟବହାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରାୟତଃ ଏହି ଛୋଟ ଡ୍ରୋନ ଗୁଡ଼ିକ ବାହାଘର କିମ୍ବା ସଭାସମିତିର ଫଟୋ ଓ ଭିଡିଓ ଚିତ୍ର ନେବା ପାଇଁ ବ୍ୟବହାର କରାଯାଏ, ଯାହାକୁ ରିମୋଟ୍‌ କଣ୍ଟ୍ରୋଲ ଦ୍ୱାରା ତଳୁ ନିୟନ୍ତ୍ରଣ କରାଯାଇଥାଏ । ତେଣୁ ଅନୁମାନ କରାଯାଉଛି ଶିବିର ବାବଦରେ ତଥ୍ୟ ସଂଗ୍ରହ କରିବାକୁ ନକ୍ସଲମାନେ ଏହି ମିନି ଡ୍ରୋନର ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଗତ ମାସକ ଭିତରେ କେଇବାର ଏହି ଘଟଣା ଘଟିସାରିଥିବାରୁ ନକ୍ସଲମାନଙ୍କ ଦ୍ୱାର କିଛି ବଡ ଧରଣର ଅଘଟଣ ଘଟାଯିବାର ଯୋଜନା ହେଉଛି ବୋଲି ଅନୁମାନ ମଧ୍ୟ ଲଗାଗଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*