ଧୁମ ବିରୋଧ ପରେ ନିଦରୁ ଉଠିଲେ ଭାଦବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ସାରସକଣା
୨୦୧୯ ନିର୍ବାଚନକୁ ନେଇ ସାରସକଣା ନିର୍ବାଚନମନ୍ଦଳୀରେ ବିଜଦର ଦଳୀୟ ଗୋଷ୍ଠୀ କନ୍ଦଳ ଜୋର ଧରିଲାଣି । ବହୁ କଷ୍ଟସାଧ୍ୟରେ ୨୦୧୪ ବିଧାନସଭା ନିର୍ବାଚନରେ ବିଜଦ ସଫଳତା ପାଇଥିବା ବେଳେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ସାରସକଣାରେ ବିଜଦ ଜିଲ୍ଲାପରିଷଦ ପଦକୁ ହରାଇଥିଲା । କାରଣ ଥିଲା ଦଳର ବିଭାଜନ ଓ ବିଭେଦତା ଯାହାକି ଅଦ୍ୟାବଧି ଲାଗିରହିଛି । ଯାହାକୁ ନେଇ ବିଜଦର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି ।
ସାରସକଣାରେ ବିଜଦ ଦୁଇ ଭାଗରେ ବିଭକ୍ତ ହୋଇଥିଲା ବେଳେ ଗୋଟିଏ ଗୋଷ୍ଠୀ ବିଧାୟକଙ୍କର ଏବଂ ଅନ୍ୟ ଏକ ଗୋଷ୍ଠୀ ରହିଛି ବିଜଦ କିଙ୍ଗମେକର କୁହାଯାଉଥିବା ବର୍ତ୍ତମାନର ମୟୂରଭଞ୍ଜ ସାଧାରଣ ସମ୍ପାଦକ ଅମରେନ୍ଦ୍ର କର ଓରଫ ଜୁଲୁ କରଙ୍କ । ଯାହାଙ୍କ ସହିତ ଏବେ ମିଶି ଯାଇଛନ୍ତି ନିର୍ବାଚନମନ୍ଦଳୀର ଅନ୍ୟ ୩ଟି ବ୍ଲକର ସରପଞ୍ଚ, ଜିଲ୍ଲାପରିଷଦ ଏବଂ ସେମାନଙ୍କର କର୍ମୀମାନେ । ଯାହାକି ଗୋଷ୍ଠୀ ବିବାଦ ସହିତ ବିଧାୟକଙ୍କ ଅପାରଗତା ଓ ଦଳୀୟ ସାଙ୍ଗଠନିକ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଗତ କିଛି ବର୍ଷକୁ ଯଦି ଦେଖାଯାଏ ତେବେ ସାରସକଣା ନିର୍ବାଚନମନ୍ଦଳୀରେ ଦ୍ୱିତୀୟ ଗୋଷ୍ଠୀଟି ସବୁ ସମୟରେ ସାଙ୍ଗଠନିକ ଦୃଷ୍ଟିକୋଣରୁ ନିଜର ଦବଦବା ରଖିଆସୁଥିବା ବେଳେ ନିଜର ଅପାରଗତା ଏବଂ ବ୍ୟକ୍ତିକୈନ୍ଦ୍ରିକ ନୀତି ଯୋଗୁଁ ବିଧାୟକ ଭାଦବ ହାଁସଦା ବିବାଦୀୟ ହୋଇ ଆସିଛନ୍ତି,ଯାହାକି କାହାକୁ ଅଛପା ନାହିଁ । ଯେହେତୁ ସେ ନିର୍ବାଚନମନ୍ଦଳୀରୁ ନୁହଁନ୍ତି ଓ ବାରିପଦାରେ ରହୁଛନ୍ତି, ତେଣୁ ଅଞ୍ଚଳବାସୀଙ୍କ ମୌଳିକ ଅସୁବିଧାକୁ ଗତ ୫ବର୍ଷ ମଧ୍ୟରେ ବୁଝିପାରିନାହାନ୍ତି । ଫଳ ସ୍ୱରୁପ ବର୍ତ୍ତମାନ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ସାରସକଣା ନିର୍ବାଚନମନ୍ଦଳୀର ୪ଟି ବ୍ଲକର ସରପଞ୍ଚ, ଜିଲ୍ଲାପରିଷଦ, ୱାର୍ଡମେମ୍ବର ତଥା ଦଳୀୟ କର୍ମୀମାନେ ଏକଜୁଟ ହୋଇ ଭାଦବଙ୍କୁ ବିରୋଧ କରି ନିଜ ନିର୍ବାଚନମନ୍ଦଳୀର ପ୍ରାର୍ଥୀକୁ ଦଳୀୟ ଟିକେଟ ଦେବା ନିମନ୍ତେ ଦୁଇ ଦୁଇଥର ଦାବିପତ୍ର ସାରସକଣା ମନ୍ଦଳୀର ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ଦିଆଯାଇଛି । ଅନ୍ୟପଟେ ବିଧାୟକ ନିଜର ଦବଦବା ଦେଖାଇବା ସହିତ ୨୦୧୯ ନିର୍ବାଚନରେ ଟିକେଟ ଖନ୍ଦିକ ପାଇବା ନିମନ୍ତେ କିଛି ସରପଞ୍ଚଙ୍କୁ ନେଇ ସାରସକଣା ପର୍ଯ୍ୟବେକ୍ଷକ ପୁଲକ ମହାନ୍ତି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଫଟୋ ଉଠାଇ ବିଜଦରେ ସାମିଲ ହେବା ନାଟକ ଏବେ ହାସ୍ୟାସ୍ପଦ ପାଲଟିଛି । ଯେଉଁ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କୁ ନେଇ ବିଜଦରେ ସାମିଲ ହେବାର ଫଟୋ ସୋସିଆଲ ମିଡିଆରେ ବିଧାୟକ ଏବଂ ତାଙ୍କର ସହଯୋଗୀ ଭାଇରାଲ କରିଥିଲେ, ସେମାନେ ୩ଦିନ ପୂର୍ବରୁ ସମସ୍ତେ ଝାମୁମୋର ବୋଲି ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିଥିଲେ ଏବଂ ସେମାନଙ୍କୁ ବଦନାମ କରାଯାଇଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ନିଜର କାର୍ଯ୍ୟକଳାପ ସରିବାକୁ ବସିଥିବା ବେଳେ ବିଧାୟକଙ୍କ ହଠାତ ମନେ ପଡିଛି ନିର୍ବାଚନମନ୍ଦଳୀର ଯୁବକମାନଙ୍କ କଥା । ସାରସକଣା ନିର୍ବାଚନମନ୍ଦଳୀର ବିଧାୟକ ଭାଦବ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶୋଇଠାରେ ଅନୁଷ୍ଠିତ ଯୁବ ସମାବେଶ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସାଙ୍ଗଠନିକ ସମ୍ପାଦକ ଅମରେନ୍ଦ୍ର ବସା, ସାରସକଣା ବ୍ଲକ ବିଜଦ ସଭାପତି ସ୍ନେହାଶିଷ ହୋତା, ସଞ୍ଜୟ ମହାନ୍ତ, ନିଲୁ ମନ୍ଦଳ ପ୍ରମୁଖଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଏବଂ ଭଡାସୂତ୍ରରେ ଆସିଥିବା କିଛି ଲୋକ ଏକ ପଟୁଆରରେ ଯାଇ ବିଶୋଇ ପହଞ୍ଚôଥିଲେ । ପରିଶେଷରେ ଏକ ବିଶାଳ ସଭାର ଆୟୋଜନ କରାଯାଇ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜନସାଧାରଣକୁ ଅବଗତ କରାଇବା ସହିତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିଜ ବକ୍ତବ୍ୟ ରଖିଥିଲେ । ନିଜ ବକ୍ତବ୍ୟରେ ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ ଓ ଟଙ୍କିକିଆ ଚାଉଳ, ମା’କୁ ସମ୍ମାନ, ଜନ୍ମଠାରୁ ଆରମ୍ଭ କରି ମୃତୁ୍ୟ ପର୍ଯ୍ୟନ୍ତ ସରକାର ସବୁ ସମୟରେ ଲୋକଙ୍କ ସହିତ ରହିଛି ବୋଲି ମଞ୍ଚରେ ଗର୍ଜନ କରି କହୁଥିବା ସାରସକଣା ନିର୍ବାଚନମନ୍ଦଳୀର ନେତା ଓ କୁଜି ନେତାମାନେ ବୋଧହୁଏ ଏବେ ମଧ୍ୟ ଜାଣି ପାରିନାହାନ୍ତି ଯେ ଜିଲ୍ଲାରେ ୧୯ ବର୍ଷ ଧରି ଶାସନ କରିବା ପରେ ଦୈନନ୍ଦିନ ଗର୍ଭବତୀ ମା’ ମାନଙ୍କୁ ଖଟିଆ ଆମ୍ବୁଲାନ୍ସ ମାଧ୍ୟମରେ ବୁହା ହୋଇ ଡାକ୍ତରଖାନାକୁ ଅଣାଯାଉଛି । ଯାହାକି ବିଜଦ ଦଳର ମା’କୁ ସମ୍ମାନ କଥାରେ, କାମରେ ନୁହେଁ ବୋଲି ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଃଖର ବିଷୟ ଜିଲ୍ଲାର ପ୍ରମୁଖ ଏବେର ପର୍ଯ୍ୟବେକ୍ଷକ ତଥା ନୟାଗଡର କାଢୁଆ ନେତା ବହୁ ଚେଷ୍ଟା ପରେବି ଅସନ୍ତୁଷ୍ଟ ଗୋଷ୍ଠୀକୁ ଏକତ୍ରିତ କରାଇ ନପାରିବା ଓ ଏହି ଯୁବ ସମାବେଶରେ ସାମିଲ କରାଇବାକୁ ବିଫଳ ହୋଇଥିବା ନେଇ ଏବେବି ବିଜଦ ବିବାଦ ମଧ୍ୟରେ ରହିଥିବା ସ୍ପଷ୍ଟ ବାରି ହୋଇପଡିଛି । ଅନ୍ୟପଟେ ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ଅନେକ ଜନତା ବିଜଦରୁ ମୁହଁ ଫେରାଇବା ସହିତ ପଦ୍ମ ଧରିବା କଥା ଚିନ୍ତା କରୁଥିବାର ଖୋଲା ଆଲୋଚନା ହେଉଥିଲା ବେଳେ ଯଦି ବିଜଦର ଏହିଭଳି ଦଳୀୟ କନ୍ଦଳ ଲାଗି ରହେ ତା’ହେଲେ ଆଗାମୀ ନିର୍ବାଚନ ସମୟରେ ବିଜଦର ବିଜୟ ଆଶାରେ ଅଙ୍କୁଶ ଲାଗିବା ସୁନିଶ୍ଚିତ ବୋଲି ସ୍ଫଷ୍ଟ ହୋଇଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*