ଧର୍ମପଦଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବ ଓଡ଼ିଶା ଶିଳ୍ପୀ ମହାସଂଘ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ଭୁବନେଶ୍ୱର
ଶିଳ୍ପୀ କୁଳର ମାନ ରକ୍ଷା ନିମନ୍ତେ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁନ୍ଦି ମାରି ସାରିବା ପରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବାର ବର୍ଷର ବାଳକ ଧର୍ମପଦଙ୍କ ପରମ ତ୍ୟାଗର କାହାଣୀ ଆଜିବି ଓଡ଼ିଶାର ଘରେ ଘରେ ଗୁଂଜରିତ । ଏହି ମହାନ ବାଳକ ଧର୍ମପଦଙ୍କ ବଳିଦାନର ଗାଥା ଆଜିବି ଅନେକଙ୍କୁ ମୁଁ ଓ ମୋରକୁ ଭୁଲି ସାମାଜସେବା ନିମନ୍ତେ ପ୍ରେରିତ କରେ । ଖାଲି ଶିଳ୍ପୀ କୁଳର ନୁହେଁ ସମଗ୍ର ଓଡିଆ ଜାତି ପାଇଁ ସେ ହେଉଛନ୍ତି ପ୍ରେରଣାର ଉତ୍ସ । ସେହି ମହାନ ବାଳକ ଧର୍ମପଦଙ୍କ ସ୍ମୃତି ରକ୍ଷା ନିମନ୍ତେ କୋଣାର୍କ ବଜାରରେ ତାଙ୍କର ଏକ ପରିକଳ୍ପିତ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ନିଜସ୍ୱ ସଂଗଠନ ଓଡ଼ିଶା ଶିଳ୍ପୀ ମହାସଂଘ ଉଦ୍ୟମ ଆରମ୍ଭ କରିଛି । ଏହି ଅବସରରେ ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଆନ୍ଦ କ୍ରାଫ୍ଟ ଭିଲେଜ ପରିସରରେ ମୂଳ ପ୍ରତିମୂର୍ତ୍ତିର ଏକ ପ୍ରତିକ ପ୍ରତିକୃତି ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମିଳିତ ଭାବେ ଏହି ପ୍ରତିକୃତିର ଉନ୍ମୋଚନ କରିଛନ୍ତି ।
ଶିଳ୍ପୀ କୁଳର ପ୍ରେରଣା ତଥା ପରମ ତ୍ୟାଗର ପ୍ରତୀକ ଧର୍ମପଦ । ଯାହାଙ୍କ କାହଣୀ ଆଜିବି ଅନେକଙ୍କୁ ଆମେ ରହୁଥିବା ସମାଜ ପ୍ରତି ଥିବା ଉତର ଦାୟିତ୍ୱକୁ ମନେ ପକାଇଦିଏ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ନିଜ ବକ୍ତବ୍ୟରେ କହିଛନ୍ତି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଆନ୍ଦ କ୍ରାଫ୍ଟ ଭିଲେଜ ପରିସରରେ ଧର୍ମପଦଙ୍କ ପ୍ରତୀକ ପ୍ରତିକୃତି ଉନ୍ମୋଚନ ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିବା ସହ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାରିଗରଙ୍କ ପାଇଁ ମାସିକ ସହାୟତା ଘୋଷଣା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅବିହିତ କରିଥିଲେ । ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥୀ ଭାବେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ କୋଣାର୍କରେ ଧର୍ମପଦଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଓଡିଶା ଶିଳ୍ପୀ ମହାସଂଘର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ । କୋଣାର୍କରେ ଧର୍ମପଦଙ୍କ ପ୍ରତିମୂର୍ତ୍ତିି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ନନ୍ଦ କହିଥିଲେ । ବରିଷ୍ଠ ଶିଳ୍ପୀ ବ୍ରଜ କିଶୋର ଜେନାଙ୍କ ମାର୍ଗ ଦର୍ଶନରେ ଏହି ମୂର୍ତ୍ତି ନିର୍ମାଣ କରାଯିବ । ଏହି ପଥର ନିର୍ମିତ ପ୍ରତିକୃତିର ଉଚ୍ଚତା ଅନୁ୍ୟନ ୧୨ ଫୁଟ ବିଶିଷ୍ଟ ହେବ । ରାଜ୍ୟର ବୟସ୍କ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାସିକ ସହାୟତା ରାଶି ଘୋଷଣା କରିଥିବାରୁ କାର୍ଯ୍ୟକ୍ରମର ଅନ୍ୟତମ ବକ୍ତା ପଦ୍ମଶ୍ରୀ ସୁଦର୍ଶନ ସାହୁ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା ଓ ବାଲେଶ୍ୱରର ବରିଷ୍ଠ ଶିଳ୍ପୀ ବ୍ରଜ କିଶୋର ଜେନା ଧର୍ମପଦଙ୍କ ସ୍ମୃତି ଚାରଣ କରିଥିଲେ । ଅହି ଅବସରରେ ବାଲେଶ୍ୱରର ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଶଙ୍କର୍ଷଣ ସେଠୀ ଓ ଭୁବନେଶ୍ୱରର ରତ୍ନାକର ମହାରଣାଙ୍କୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିକୃତି ଉନ୍ମୋଚନ କାର୍ଯ୍ୟକ୍ରମରେ ଦୁଇଶହରୁ ଊଦ୍ଧ୍ୱର୍ଶିଳ୍ପୀ ଓ ବୁଣାକାର ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*