ଧନ୍ୟରେ ସ୍ୱାସ୍ଥ୍ୟସେବା ! ଆମ୍ବୁଲାନ୍ସରୁ ତେଲ ସରିଲା, ଗର୍ଭବତୀ ମହିଳାଙ୍କ ମୃତ୍ୟୁ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା

ରାଜ୍ୟରେ ସ୍ୱାସ୍ଥ୍ୟସେବା କେତେ ଯେ ବିପର୍ଯ୍ୟସ୍ତ ତାହା ଆମେ ସମସ୍ତେ ଜାଣିଛେ । କେତେବେଳେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଯୋଗୁଁ ରୋଗୀ ମୃତୁ୍ୟ ତ ଆଉ କେତେବେଳେ ଆମ୍ବୁଲାନ୍ସ ନ ଆସିବାରୁ ରୋଗୀ ମୃତୁ୍ୟ ଘଟଣା ଦେଖିବାକୁ ମିଳିଛି । ହେଲେ ପ୍ରଥମଥର ପାଇଁ ଆମ୍ବୁଲାନ୍ସରୁ ଅଧାବାଟରେ ତେଲ ସରିଯିବା ନେଇ ଜଣେ ଗର୍ଭବତୀ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ଖାମଖିଆଲ ମନୋଭାବ ଯୋଗୁଁ ଏହି ଘଟଣା ଘଟିଥିବାରୁ ସାଧାରଣରେ ବଡ଼ ଅସନ୍ତୋଷ ସୃଷ୍ଟି ହୋଇଛି । ଆଉ କୁହାଯାଉଛି ଯେ ସରକାର ଯେଉଁ ଜନନୀ ସୁରକ୍ଷା ଯୋଜନା ପ୍ରଚଳନ କରିଛନ୍ତି ତାହା ଜନନୀଙ୍କୁ ସୁରକ୍ଷା ନୁହେଁ ବରଂ ମାରିବା ପାଇଁ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦାରେ ।
ବାଙ୍ଗିରୀପୋଷି ବ୍ଲକ୍‌ର ହାଣଦା ଗ୍ରାମର ଚିତ୍ତରଂଜନ ମୁନ୍ଦାଙ୍କ ପତ୍ନୀ ତୁଳସୀ ମୁନ୍ଦା ଦ୍ୱିତୀୟ ସନ୍ତାନ ପ୍ରସବ ନିମନ୍ତେ ଗର୍ଭ ଯନ୍ତ୍ରଣା କାରଣରୁ ଶୁକ୍ରବାର ରାତିରେ ବାଙ୍ଗିରୀପୋଷି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଦିବାସୀ ମହିଳା ତୁଳସୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପନ୍ଦିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେବା ପାଇଁ ଡାକ୍ତର ରେଫର କରିଥିଲେ । ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା ବେଳେ ସେମାନେ ଆସିନଥିଲେ । ପରେ ବାଙ୍ଗିରୀପୋଷି ଡାକ୍ତରଖାନାର ଆମ୍ବୁଲାନ୍ସରେ ତୁଳସୀଙ୍କୁ ବାରିପଦା ଅଣାଯାଉଥିଲା ।ହେଲେ ଅଧବାଟରେ ଆମ୍ବୁଲାନ୍ସର ଡିଜେଲ ସରିଯାଇଥିଲା । ଏପଟେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ ତୁଳସୀ । ଦେଢ଼ଘଣ୍ଟା ଧରି ସେମାନଙ୍କୁ ରାସ୍ତା ମଝିରେ ରହିବାକୁ ପଡ଼ିଥିଲା । ଏହା ମଧ୍ୟରେ ଆଶାଦିଦି ଆଉ ଏକ ଆମ୍ବୁଲାନ୍ସକୁ ଡାକିଥିଲା ବେଳେ ସେ ମଧ୍ୟ ଏକଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ପ୍ରସବ ବେଦନାରେ ଛଟପଟ ହେଉଥିବା ତୁଳସୀଙ୍କ ସହ ଗର୍ଭସ୍ଥ ଶିଶୁର ମୃତୁ୍ୟ ହୋଇସାରିଥିଲା । ପରେ ଆମ୍ବୁଲାନ୍ସରେ ତାଙ୍କୁ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ଡାକ୍ତର ସେଠାରେ ତୁଳସୀଙ୍କୁ ମୃତ ଘୋଷିତ କରିଥିଲେ । ଏହି ଖବର ଜଣାପଡ଼ିବା ପରେ ସାଧାରଣରେ ବଡ଼ ଅସନ୍ତୋଷ ସୃଷ୍ଟି ହୋଇଛି । ଜିଲାରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି । ବାଙ୍ଗିରୀପୋଷି ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାନ୍ଦି ମୃତ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ସହାୟତା ପ୍ରଦାନ ସହ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ମୟୂରଭଞ୍ଜ ଜିଲା ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଆମ୍ବୁଲାନ୍ସରେ ତେଲ ଥିଲା ହେଲେ ତେଲ ପାଇପ୍‌ ଫାଟିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*