ଦେଶରେ ଏନଆରସି ଲାଗୁ ପାଇଁ ଶାହା ଦେଲେ ଡେଡ୍‌ଲାଇନ୍‌: ‘୨୦୨୪ ଲୋକସଭା ନିର୍ବାଚନ ସୁଦ୍ଧା ବେଆଇନ ଅନୁପ୍ରବେଶକାରୀଙ୍କୁ ବିତାଡିତ କରାଯିବ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଆସାମ ପରେ ପୁରା ଦେଶରେ ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନଆରସି) ଲାଗୁ କରିବାକୁ ଗତ କିଛି ଦିନ ଧରି ଗୃହ ମନ୍ତ୍ରୀ ଅମିତ୍‌ ଶାହା କହିଆସୁଛନ୍ତି । ହେଲେ ସୋମବାର ପ୍ରଥମ ଥର ପାଇଁ ସେ ଦେଶରେ ଏନଆରସି ଲାଗୁ ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି । ଏହି ଡେଡ୍‌ଲାଇନ୍‌ ହେଉଛି ୨୦୨୪ ଲୋକସଭା ନିର୍ବାଚନ । “ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ଏନଆରସି ଲାଗୁ ହେବ । ଏହାସହିତ ସମସ୍ତ ବେଆଇନ୍‌ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବିତାଡିତ କରାଯିବ” ବୋଲି ଶାହା ଝାଡଖନ୍ଦରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ ଆୟୋଜିତ ଏକ ରାଲିରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସେ ଏନଆରସିକୁ ବିରୋଧ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ରାହୁଲ ବାବା, ସବୁବେଳେ ପ୍ରଶ୍ନ କରୁଛନ୍ତି- ଏନଆରସି କାହିଁକି ଲାଗୁ ହେବ? ଅନୁପ୍ରବେଶକାରୀଙ୍କୁ କାହିଁକି ବାହାର କରାଯିବ?, ସେମାନେ କୁଆଡେ ଯିବେ, କ’ଣ ଖାଇବେ? ଇତ୍ୟାଦି । ହେଲେ ମୁଁ ତାଙ୍କୁ ପଚାରୁଛି, ବେଆଇନ୍‌ ଅନୁପ୍ରବେଶକାରୀମାନେ କ’ଣ ଆପଣଙ୍କ ଦାଦା ପୁଅ ଭାଇ ଲାଗନ୍ତି କି? ବୋଲି ଶାହା ପ୍ରଶ୍ନ କରିଥିଲେ । ଏଠାରେ ମୁଁ ଆପଣମାନଙ୍କୁ କହୁଛି, ୨୦୨୪ ସୁଦ୍ଧା ଭାଜପା ସରକାର ବେଆଇନ୍‌ ଅନୁପ୍ରବେଶକାରୀଙ୍କୁ ଗୋଟିଏ ଗୋଟିଏ କରି ଚିହ୍ନଟ କରି ଦେଶରୁ ବାହାର କରିବାର କାର୍ଯ୍ୟ କରିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୩୧ରେ ଆସାମରେ ଏନଆରସି ତାଲିକା ଜାରି ହୋଇଥିଲା । ଏଥିରୁ ୧୯ ଲକ୍ଷ ଲୋକ ବାଦ୍‌ ପଡିଥିଲେ । ହେଲେ ଗତ ସପ୍ତାହରେ ଆସାମ ସରକାର ଏନଆରସିକୁ ଗ୍ରହଣ କରିବାକୁ ମନା କରିବା ପରେ ଶାହା ଆସାମରେ ନୂଆ ଏନଆରସି ଲାଗୁ କରାଯିବ ବୋଲି ରାଜ୍ୟସଭାରେ ଘୋଷଣା କରିବା ସହ ଏହା କ୍ରମଶଃ ପୁରା ଦେଶରେ ଲାଗୁ କରାଯିବ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*