ଦେବାଶିଷଙ୍କ ତଣ୍ଟିଆମରା ଘଟଣା:ମଉସାଙ୍କ କ୍ଳିନ୍‌ଚିଟ୍‌ ବଢାଇଲା ବିବାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ କଟକ ଏବଂ ଭୁବନେଶ୍ୱର ଥାନାରେ ମାମଲା ରୁଜୁ ହୋଇସାରିଛି । କଟକରେ କଂଗ୍ରେସ ଆନେ୍ଦାଳନ ଆରମ୍ଭ କରିଛି ଦେବାଶିଷଙ୍କ ଗିରଫ ଦାବିରେ । ଭୁବନେଶ୍ୱର ଏବଂ ଅନ୍ୟ କେତେକ ସ୍ଥାନରେ ଅସମ୍ଭବ ନିରବତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଭାରତୀୟ ଜନତା ପାର୍ଟି । ଶହୀଦ ମନୋଜ ବେହେରାଙ୍କ ଶବାଧାର ପାଖରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷଙ୍କ ତଣ୍ଟିଆ ସାରା ଭାରତରେ ହୁଲ୍‌ସ୍ତୁଲ୍‌ ପକାଇ ଦେବା ପରେ ପାକିସ୍ତାନ ଏହାକୁ ପ୍ରସାର କରି ଭାରତକୁ ଛିଗୁଲାଇଛି । ବିଦେଶରେ ଭାରତର ସମ୍ମାନ ହାନୀ ପରେ ବିଧାୟକ ନିଜକୁ ବଞ୍ଚାଇବା ପାଇଁ ଯାହା ତ କହିଥିଲେ କହିଥିଲେ, ଏବେ ତାଙ୍କ ସପକ୍ଷରେ ତଣ୍ଟିଆ ଖାଇଥିବା ଦାଦା ବାହାରିବା ଘଟଣାଟିକୁ ଆହୁରି ରୋଚକ ଏବଂ ମଜାଦାର୍‌ କରିଦେଇଛି ।
ବିଧାୟକ ୧୬ ତାରିଖ ରାତିରେ ନିଆଳି ରତନପୁରର ବୀର ଯୁବକ ମନୋଜ ବେହେରାଙ୍କ ଶବ ନିକଟରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିବା ଏବଂ ପରେ ତଣ୍ଟିଆ ଦେଇ ବସାଇ ଦେବା ଭିଡିଓଟି ଭାଇରାଲ୍‌ ହୋଇଯାଇଥିଲା ୧୭ ତାରିଖ ଦିନ ।

ଦୁଇଦିନ ବିତିଗଲା ପରେ ମଧ୍ୟ ବିଧାୟକ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲେ । ତଣ୍ଟିଆ ଖାଇଥିବା ବ୍ୟକ୍ତି ଚୈତନ୍ୟ ବେହେରା ମଧ୍ୟ ଆଗକୁ ଆସି ନଥିଲେ କିମ୍ବା କିଛି କହି ନଥିଲେ । ୧୯ ତାରିଖ ଦିନ ଅବସ୍ଥା ଅସମ୍ଭାଳ ହେବାରୁ ସାମ୍ନାକୁ ଆସିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ । ସେ ସାମ୍ନାକୁ ଆସିବାର କିଛିଘଣ୍ଟା ଆଗରୁ ଶାସକ ଦଳର ମୁଖପାତ୍ର ସସ୍ମିତ୍‌ ପାତ୍ର ଘଟଣାର ଦମ୍‌ ନାହିଁ, ଭିତ୍ତିହୀନ ଇତ୍ୟାଦି କହି ସତେ ଯେମିତି କିଛି ଘଟି ନାହିଁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ନାକୁ ଆସି ଦେବାଶିଷ କ୍ଷମା ପ୍ରାର୍ଥନା କରିଥିଲେ ।
ପ୍ରଥମ କ୍ଷମା ପ୍ରାର୍ଥନା ବେଳେ ଦେବାଶିଷଙ୍କ ଉତ୍ତର ଥିଲା ଯେ, ମୁଁ ଜାଣି ନଥିଲି, ସେ ଶହୀଦ୍‌ଙ୍କ ସମ୍ପର୍କୀୟ ବୋଲି । ଯଦି ମୋର ଆଚରଣରେ କାହାକୁ କଷ୍ଟ ହୋଇଥିବ, ତେବେ ମୁଁ କ୍ଷମା ମାଗୁଛି । ଅନ୍ୟମାନେ ଏହାକୁ ରାଜନୀତି ନକରିବାକୁ ବିଧାୟକ ସେମାନଙ୍କୁ ଯୋଡ଼ହସ୍ତରେ ନିବେଦନ କରିଥିଲେ । ଅର୍ଥାତ୍‌ ଘଟଣାର ତିନିଦିନ ପରେ ବିଧାୟକ କ୍ଷମା ମାଗିବାକୁ ବାଧ୍ୟ ହେଲେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ କାରଣରୁ ।
ସେପର୍ଯ୍ୟନ୍ତ ଶହୀଦ୍‌ଙ୍କ ଦାଦା ଚୈତନ୍ୟଙ୍କର ଦେଖାଦର୍ଶନ ନଥିଲା । କିଛି ପ୍ରତିକି୍ରୟା ଦେଇ ନଥିଲେ ।
୨୦ ତାରିଖ ରାତିରେ ପାକ୍‌ ଚ୍ୟାନେଲ୍‌ରେ ଦେବାଶିଷଙ୍କ ତଣ୍ଟିଆମରା ଭିଡ଼ିଓ ବାଜିଲା । ଏହି ଭିଡିଓକୁ ଦେଖାଇ ଶହୀଦ୍‌ଙ୍କ ପାଇଁ ଭାରତ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପାକିସ୍ତାନ ଦେଖାଇବାକୁ ଚେଷ୍ଟା କରିଥିଲା । ଏହା ପୂର୍ବରୁ ଭାରତର ଜାତୀୟ ଗଣମାଧ୍ୟମର ୱେବ୍‌ ସାଇଟ୍‌ରେ ଏହି ଭିଡିଓଟି ଚର୍ଚ୍ଚାର ବିନ୍ଦୁ ପାଲଟି ସାରିଥିଲା । ବୋଧହୁଏ ପାକିସ୍ତାନ ମିଡିଆ ଭାରତର ଜାତୀୟ ଗଣମାଧ୍ୟମ ୱେବ୍‌ ସାଇଟ୍‌ରୁ ଏହାକୁ ଉଠାଇ ଥିଲା ।
ପାକିସ୍ତାନ ଦେବାଶିଷଙ୍କ ଏହି ତଣ୍ଟିଆମରା ଭିଡିଓଟି ବାରମ୍ବାର ପ୍ରଚାର କରିବା ଫଳରେ ଏହାକୁ ନେଇ ଓଡ଼ିଶାରେ ପ୍ରବଳ ଆଲୋଡ଼ନ ସୃଷ୍ଟି ହେଲା । ୨୧ ତାରିଖ ଦିନ ଅର୍ଥାତ୍‌ ଘଟଣାର ପଞ୍ଚମ ଦିନରେ ବିଧାୟକ ଦେବାଶିଷ ଦ୍ୱିତୀୟ ଥର ପାଇଁ କ୍ଷମା ମାଗିବା ଅବସରରେ ଆଉ ତିନିଟି କଥା ଯୋଡ଼ିଲେ । ଯେଉଁ ଭଦ୍ରବ୍ୟକ୍ତିଙ୍କୁ ସେ ତଣ୍ଟିଆ ମାରୁଥିବା ଦୃଶ୍ୟ ପ୍ରସାରିତ ହୋଇଥିଲା, ସେ ଶହୀଦ୍‌ଙ୍କର ଦାଦା ନୁହଁନ୍ତି । ବହୁ ଦୂର ସମ୍ପର୍କୀୟ ଦାଦା । ଏହି ଦୂର ସମ୍ପର୍କୀୟ ଦାଦା ଜଣଙ୍କ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କୁ ଧକ୍କା ମାରିଥିଲେ । ତେଣୁ ସେ ତାଙ୍କ ହାତ ଧରି ଶବାଧାର ପାଖରେ ବସାଇ ଦେଇଥିଲେ । ସେ ଏହା ପୂର୍ବରୁ ଶହୀଦଙ୍କ ପରିବାରକୁ ଯାଇ ବୁଝାସୁଝା କରିଥିଲେ ବୋଲି ସଫେଇ ଦେଇଥିଲେ ଦେବାଶିଷ ।
ଘଟଣାର ଷଷ୍ଠ ଦିନରେ ଅର୍ଥାତ୍‌ ଶୁକ୍ରବାର ଦିନ ରାଜନୀତି ଅତି ଗରମ ହୋଇପଡ଼ିଥିଲା । ଦେବାଶିଷଙ୍କ ଆଚରଣକୁ ନେଇ ନବୀନଙ୍କୁ ଟାର୍ଗେଟ୍‌ କରିଥିଲେ ବିରୋଧୀ ଦଳ । ଏହି ସମୟରେ ଆତ୍ମପ୍ରକାଶ କଲେ ଦେବାଶିଷ କହୁଥିବା ଶହୀଦ୍‌ଙ୍କର ସେହି ଦୂର ସମ୍ପର୍କୀୟ ଦାଦା । ଦେବାଶିଷଙ୍କୁ କ୍ଲିନ୍‌ଚିଟ୍‌ ଦେବାପାଇଁ ବାହାରି ଆସିବାକୁ ଏହି ଦୂର ସମ୍ପର୍କୀୟ ଦାଦା ଚୈତନ୍ୟଙ୍କୁ ଲାଗିଗଲା ୬ ଦିନ । ସେ କହିଲେ ଯେ, ଦେବାଶିଷଙ୍କର କିଛି ଭୁଲ୍‌ ନାହିଁ କି ତାଙ୍କର ବି ଭୁଲ୍‌ ନାହିଁ । ଦେବାଶିଷଙ୍କ ନାଁକୁ ନେଇ ରାଜନୀତି ନକରିବାକୁ ଏହି ଭଦ୍ରବ୍ୟକ୍ତି ଅନୁରୋଧ କରିଛନ୍ତି । ‘ସେ ଆମ ଘରେ ୫ଘଣ୍ଟା ପୂର୍ବରୁ ପହଞ୍ଚô ଥିଲେ । ନିଜେ ଶବକୁ କାନ୍ଧ ଦେଇଛନ୍ତି । ଠେଲାପେଲା ଭିତରେ ସେ ମୋତେ କହିଲେ ମଉସା ତୁମେ ସେଠି ବସିଯାଅ । ମୁଁ ବସିଗଲି । ଯାହା ପ୍ରଚାର ହେଉଛି, ତାହା ଦେଖି ମୋତେ ଦୁଃଖ ଲାଗୁଛି ।’
ଦେବାଶିଷଙ୍କ କ୍ଷମା ପ୍ରାର୍ଥନା ଠାରୁ ଆହୁରି ଭୟଙ୍କର ଦୂର ସମ୍ପର୍କୀୟ ଦାଦାଙ୍କ କ୍ଲିନ୍‌ଚିଟ । ଗୁରୁବାର ଦିନ ଦ୍ୱିତୀୟ କ୍ଷମା ପ୍ରାର୍ଥନା ବେଳେ ବିଧାୟକ ସାମନ୍ତରାୟ କହିଥିଲେ, ସେହି ଲୋକ କେନ୍ଦ୍ରମନ୍ତ୍ରୀଙ୍କୁ ଧକ୍କା ମାରିଥିଲା । ମୁଁ ତାଙ୍କୁ ହାତ ଧରି ବସାଇ ଦେଇଥିଲି । ଶୁକ୍ରବାର ଦିନ ଏହି ତଥାକଥିତ ଦାଦା ସ୍ପଷ୍ଟୀକରଣ ଦେଲେ ଯେ, ତାଙ୍କର କିଛି ଭୁଲ୍‌ ନାହିଁ । ମୋତେ ବିଧାୟକ କହିଲେ ବସିଯାଅ, ମୁଁ ବସିଗଲି ।
ବିଧାୟକ କହିଥିଲେ, ଆଗରୁ ଶୁଣୁଥିଲି ସେ ଶହୀଦଙ୍କର ଦାଦା ବୋଲି । ପରେ ଜାଣିଲି ଯେ, ସେ ଅତି ଦୂର ସମ୍ପର୍କୀୟ ଦାଦା । ଏହି ଦୂର ସମ୍ପର୍କୀୟ ଦାଦା କହୁଛନ୍ତି ଯେ, ବିଧାୟକ ଆମ ଘରେ ୫ଘଣ୍ଟା ପୂର୍ବରୁ ପହଞ୍ଚô ଥିଲେ । କାହା ଘର? ଶହୀଦ୍‌ଙ୍କ ଘରେ ନା ଏହି ଦୂର ସମ୍ପର୍କୀୟ ଦାଦାଙ୍କ ଘରେ?
ସବୁ ବିବାଦର ବିନ୍ଦୁ ହେଉଛି ପ୍ରସାରିତ ଭିଡିଓଟି । ଭିଡିଓଟିରେ ପ୍ରଥମେ ବିଧାୟକ ଏହି ଦୂର ସମ୍ପର୍କୀୟ ଦାଦାଙ୍କୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି । ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ଭିଡ଼ି ଆଣୁଛନ୍ତି । ତୃତୀୟରେ ତଣ୍ଟିଆ ମାରି ବସାଇ ଦେଉଛନ୍ତି । ତେବେ ବିଧାୟକ ଏବଂ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଉଥିବା ମଉସା କହିବେ କି ଯେ, ଭିଡିଓଟି ଜାଲି । ତାଙ୍କ ବେକରେ ହାତ ଦେଇ ନାହାନ୍ତି ବିଧାୟକ । ୬ଦିନ ପରେ ବିଧାୟକଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବା ଚୈତନ୍ୟ ସ୍ପଷ୍ଟ କରିବା ଉଚିତ୍‌ ଯେ, ସେ ଶହୀଦ୍‌ ମନୋଜଙ୍କ ନିଜ ଦାଦା ନା ଅତି ଦୂର ସମ୍ପର୍କୀୟ ଦାଦା? ବିଧାୟକ ଯାହା କହିଛନ୍ତି, ତାହା ଠିକ୍‌ ବୋଲି ଅନ୍ତତଃ ସ୍ୱୀକାର କରନ୍ତୁ ।
ଭିଡିଓଟି ନଥିଲେ ବିବାଦ ଉଠି ନଥାନ୍ତା । ଭିଡିଓଟି ଥିବାରୁ ପାକିସ୍ତାନ ଭାରତକୁ ବଦନାମ କରିବା ପାଇଁ ସୁଯୋଗ ପାଇଲା । ଏବେ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଶହୀଦ୍‌ଙ୍କ ଦୂର ସମ୍ପର୍କୀୟ ଦାଦା ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଏହି ଭିଡିଓ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ନିତାନ୍ତ ଜରୁରୀ ହୋଇପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*