ଦୁଇ ହାଁସଦା ମୁହାଁମୁହିଁ : ରୋଚକ ମୋଡ଼ରେ ସାରସକଣା ବିଜଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ବାରିପଦା

ବିଜଦରୁ ନିଲମ୍ବିତ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଓ ସାରସକଣା ବିଜଦ ବିଧାୟକ ଭାଦବ ହାଁସଦା ମୁହାଁମୁହିଁ ହୋଇଛନ୍ତି । ରାମଚନ୍ଦ୍ର ନିଖିଳ ଝାଡଖନ୍ଦ ଛାତ୍ର ସଂଘରୁ ରାଜନୀତି ଆରମ୍ଭ କରି ଝାମୁମୋରେ ଯୋଗ ଦେଇଥିଲେ । ଏହା ପରେ ୨୦୦୯ମସିହାରେ ବିଜଦ ସମର୍ଥିତ ରାକପା ପ୍ରାର୍ଥୀ ହୋଇ ସରସକଣା ନିର୍ବାଚନମନ୍ଦଳୀରୁ ନିଜ ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ରାକପା ବିଧାୟକ ରାମଚନ୍ଦ୍ର ବିଜଦରେ ଯୋଗ ଦେଇଥିଲେ । ୨୦୧୪ ମସିହାରେ ମୟୂରଭଞ୍ଜ ଲୋକସଭା ଆସନରୁ ବିଜଦ ପ୍ରାର୍ଥୀ ହୋଇ ସେ ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ସଂସଦ ହେବାର ଗୌରବ ଅର୍ଜନ କରିଥିଲେ । ନବ ଦିଗନ୍ତ ଚିଟ୍‌ଫନ୍ଦ କମ୍ପାନୀର ପ୍ରତିଷ୍ଠାତା ନିଦେ୍ର୍ଦଶକ ହୋଇଥିବା ବିଜଦ ସାଂସଦ ହାଁସଦା ସିବିଆଇ ଦ୍ୱାରା ଗରିଫ ହୋଇ ପ୍ରାୟ ୪ବର୍ଷ ଝାରପଡ଼ା ଜେଲରେ ରହିଥିଲେ । ସିବିଆଇ ଦ୍ୱାରା ଗରିଫ ହେବା ପରେ ବିଜଦ ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଁ ସାଂସଦ ରାମ ଜେଲରୁ ଖଲାସ ହୋଇଛନ୍ତି । ବିଜଦ ସୁପ୍ରିମ ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନଥିବାରୁ ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ସାଂସଦ ରାମଙ୍କୁ ବିଜଦ ଟିକଟ ମିଳିବାର ସମ୍ଭାବନା ନାହିଁ । ବିଜଦ ରାମଚନ୍ଦ୍ର ହାଁସଦାଙ୍କୁ ପ୍ରାର୍ଥୀ କରିଲେ ଚିଟ୍ ଫନ୍ଦ ଠକେଇ ପ୍ରସଙ୍ଗ ବିଜଦକୁ ନିର୍ବାଚନରେ ମହଙ୍ଗା ପଡ଼ିବ । ମୟୂରଭଞ୍ଜ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭାବେ ରାମଚନ୍ଦ୍ର ହାଁସଦା ସିବିଆଇ ଦ୍ୱାରା ଗରିଫ ହୋଇ ଜେଲ ଯାଇଥିଲେ । ଆସନ୍ତା ମାସ ନିର୍ବାଚନରେ ବିଜଦ ଟିକଟ ମିଳିବାର ସମ୍ଭାବନା ନଥିବାରୁ ସାଂସଦ ରାମଚନ୍ଦ୍ର ହାଁସଦା ତାଙ୍କର ପୂର୍ବ ବିଧାନସଭା ନିର୍ବାଚନମନ୍ଦଳୀରେ ସକ୍ରିୟ ହୋଇପଡ଼ିଛନ୍ତି । ଏହାହିଁ ହୋଇଛି ଦୁଇ ହାଁସଦାଙ୍କ ମଧ୍ୟରେ ବିବାଦର କେନ୍ଦ୍ରବିନ୍ଦୁ । ବର୍ତ୍ତମାନ ଭାଦବ ହାଁସଦା ହେଉଛନ୍ତି ସାରସକଣା ବିଧାୟକ । ସାରସକଣା ବିଜଦ ବିଧାୟକ ଭାଦବ ହାଁସଦାଙ୍କ ବିରୁଦ୍ଧରେ ସାଂସଦ ରାମ ମୋର୍ଚ୍ଚା ଖୋଲିଛନ୍ତି । ସାଂସଦ ରାମଙ୍କ ସମର୍ଥକମାନେ ବିଜଦ ବିଧାୟକ ଭାଦବ ହାଁସଦାଙ୍କୁ ଖୋଲା ବିରୋଧ କରୁଛନ୍ତି । ଦୁଇ ହାଁସଦାଙ୍କୁ ନେଇ ଜମିଗଲାଣି ସାରସକଣା ରାଜନୀତି ।
ଅପରପକ୍ଷରେ ସାରସକଣାର ବିଜଦ ବିଧାୟକ ଭାଦବ ନିଜ ନିର୍ବାଚନମନ୍ଦଳୀରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ବିଧାୟକ ଭାଦବ ସୁଦାମ ମାରାନ୍ଦିଙ୍କ ଅନ୍ତରଙ୍ଗ ସାଥି । ବିଧାୟକ ଭାଦବ ସୁଦାମଙ୍କ ସହିତ ନିଖିଳ ଝାଡ଼ଖନ୍ଦ ଛାତ୍ର ସଂଘରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଭାଦବ ହାଁସଦା ଓ ସୁଦାମ ମାରାନ୍ଦି ନିଖିଳ ଝାଡଖନ୍ଦ ଛାତ୍ର ସଂଘ ତ୍ୟାଗ କରି ଝାମୁମୋରେ ଯୋଗ ଦେଇଥିଲେ । ଭାଦବ ବାରିପଦା ପଞ୍ଚାୟତ ସମିତିର ଦୁଇଥର ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ଥରେ ଅଧ୍ୟକ୍ଷ ହୋଇଥିଲେ । ୨୦୧୪ ମସିହା ନିର୍ବାଚନ ପୂର୍ବରୁ ସୁଦାମ ମାରାନ୍ଦିଙ୍କ ସାଥିରେ ଭାଦବ ହାଁସଦା ଝାମୁମୋ ସହିତ ଦୀର୍ଘ ବର୍ଷର ରାଜନୈତିକ ସମ୍ପର୍କ ତ୍ୟାଗ କରି ବିଜଦରେ ଯୋଗ ଦେଇଥିଲେ । ବିଜଦ ପ୍ରାର୍ଥୀ ହୋଇ ସାରସକଣା ନିର୍ବାଚନମନ୍ଦଳୀରୁ ଭାଦବ ହାଁସଦା ନିଜ ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ସାରସକଣାର ପୂର୍ବତନ ବିଧାୟକ ତଥା ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସମର୍ଥକ ଗୋଷ୍ଠୀ ୨୦୧୪ ମସିହା ନିର୍ବାଚନଠାରୁ ଭାଦବ ହାଁସଦାଙ୍କୁ ଖୋଲା ବିରୋଧ କରି ଆସୁଛନ୍ତି । ଆଗକୁ ମଧ୍ୟ ବିରୋଧ ଆହୁରି ଉକ୍ରଟ ହେବ ।
ସାଂସଦ ହାଁସଦାଙ୍କ ସମର୍ଥକ ଗୋଷ୍ଠୀଙ୍କୁ ମୁକାବିଲା କରିବା ପାଇଁ ବିଧାୟକ ହାଁସଦା ନିଜର ୫ବର୍ଷ କାର୍ଯ୍ୟକାଳରେ ସାରସକଣା ନିର୍ବାଚନମନ୍ଦଳୀରେ କରିଥିବା ବିଭିନ୍ନ ସଫଳତାର ରିପୋର୍ଟ କାର୍ଡ ଜନସାଧାରଣଙ୍କୁ ଦେଖାଉଛନ୍ତି । ସାରସକଣା ନିର୍ବାଚନମନ୍ଦଳୀରେ ନିଜର ଲୋକ ସମ୍ପର୍କ ରହିଥିବା ଏବଂ ବିକାଶ କାର୍ଯ୍ୟ କରିଥିବାରୁ ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ପୁନର୍ବାର ବିଜଦ ଟିକଟ ପାଇବାକୁ ଆଶାବାଦୀ ବୋଲି ‘ନିର୍ଭୟ’କୁ କହିଛନ୍ତି । ଅପରପକ୍ଷରେ ବିଧାୟକ ହାଁସଦାଙ୍କୁ ପରିବର୍ତ୍ତନ ପାଇଁ ବିଜଦର ଏକ ଗୋଷ୍ଠୀ ଲବି କରୁଛନ୍ତି ।
ସାଂସଦ ହାଁସଦା ଆସନ୍ତା ନିର୍ବାଚନରେ ସାରସକଣା ନିର୍ବାଚନମନ୍ଦଳୀରେ ବିଜଦର ବିଦ୍ରୋହୀ ପ୍ରାର୍ଥୀ ହେବେ ବୋଲି ‘ନିର୍ଭୟ’କୁ ସୂଚନା ମିଳିଛି । ସାଂସଦ ବିଦ୍ରୋହୀ ପ୍ରାର୍ଥୀ ହେଲେ ବିଜଦର କ୍ଷତି ହେବା ସୁନିଶ୍ଚିତ । ସାଂସଦ ରାମଚନ୍ଦ୍ର ହାଁସଦା ଓ ତାଙ୍କ ସମର୍ଥକ ଗୋଷ୍ଠୀଙ୍କୁ ମୁକାବିଲା କରି ବିଜଦ ବିଧାୟକ ଭାଦବ ହାଁସଦା ସଫଳ ହେବେ କି ନାହିଁ ତାହା ଆସନ୍ତା ନିର୍ବାଚନରେ ଜଣାପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*