ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ଜାମ୍ମୁ ଓ କାଶ୍ମୀର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର

ଗୁରୁବାର ନୂଆ ଇତିହାସ ରଚନା ହେବାକୁ ଯାଉଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟ ଆନୁଷ୍ଠାନିକ ଭାବରେ ଗୁରୁବାରଠାରୁ ଦୁଇଟି ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ ହେବାକୁ ଯାଉଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ ଓ କାଶ୍ମୀର ଏବଂ ପୂର୍ବତନ ଆଇଏଏସ୍‌ ଅଧିକାରୀ ଆର୍‌ କେ ମାଥୁର ଲଦାଖର ଉପ-ରାଜ୍ୟପାଳ ଭାବେ ଗୁରୁବାର ଦିନ ହିଁ ଶପଥ ନେବେ । ଶ୍ରୀନଗର ଏବଂ ଲେହଠାରେ ଏହି ଦୁଇ ଉପ-ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ପ୍ରଥମେ ଲେହଠାରେ ଆର୍‌ କେ ମାଥୁରଙ୍କୁ ଲଦାଖର ଉପ-ରାଜ୍ୟପାଳ ଭାବେ ଶପଥପାଠ କରାଇବେ । ପରେ ଶ୍ରୀନଗରଠାରେ ସେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳ ଭାବେ ଶପଥପାଠ କରାଇବେ । ୨୦୧୯ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ୍‌ ଅନୁସାରେ ଅକ୍ଟୋବର ୩୧ ମଧ୍ୟରାତ୍ରରୁ ଅର୍ଥାତ୍‌ ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଜାମ୍ମୁ ଓ କାଶ୍ମୀର ଦୁଇଭାଗରେ ବିଭକ୍ତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣିତ ହେବ । ସ୍ୱାଧୀନ ଭାରତ ଇତିହାସରେ ପ୍ରାୟତଃ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ରାଜ୍ୟର ମର୍ଯ୍ୟାଦା ପାଇଆସିଥିଲା ବେଳେ ପ୍ରଥମଥର ପାଇଁ ଏକ ରାଜ୍ୟ ଭାଗ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି । ଏହି ଭାଗ ପରେ ଦେଶରେ ରାଜ୍ୟ ସଂଖ୍ୟା ୨୮ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୭ ହେବ । ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯାହାଙ୍କ ଉଦ୍ୟମରେ ୫୬୦ରୁ ବେଶୀ ରାଜା ଶାସନ ଅଞ୍ଚଳଗୁଡ଼ିକୁ ମିଶାଇ ବିଶାଳ ଭାରତ ଗଠିତ ହୋଇଥିଲା ତାଙ୍କର ଜନ୍ମଦିବସରେ ଜାମ୍ମୁ ଓ କାଶ୍ମୀର ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ସହ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ୍‌ ପାରିତ ହେବା ନରେନ୍ଦ୍ର ମୋଦୀ ସରକାର ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଏହି ପୁନର୍ଗଠନ ଆଇନ୍‌ ଅଧୀନରେ କେନ୍ଦ୍ରଶାସିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବାକୁ ଥିଲାବେଳେ ଲଦାଖରେ କିନ୍ତୁ କୌଣସି ବିଧାନସଭା ରହିବ ନାହିଁ । ଦୁଇ ଉପ-ରାଜ୍ୟପାଳ ପ୍ରଶାସନିକ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । ଗୁରୁବାରଠାରୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଯିବା ମାତ୍ରକେ ଉଭୟ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀରର ପୁଲିସ ତଥା ଆଇନ୍‌ଶୃଙ୍ଖଳା ବ୍ୟବସ୍ଥା ସିଧାସଳଖ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯିବ । ଜାମ୍ମୁ ଓ କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଭାବରେ ଦାୟିତ୍ୱ ତୁଲାଇଥିବା ସତ୍ୟପାଲ ମଲିକଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି । ତାଙ୍କୁ ଗୋଆର ରାଜ୍ୟପାଳ ଭାବେ କରାଯାଇଛି ବଦଳି । ସେହିପରି ଜାମ୍ମୁ ଓ କାଶ୍ମୀର ରାଜ୍ୟର ଶେଷ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବାର ରେକର୍ଡ ମେହେବୁବା ମୁଫ୍‌ତିଙ୍କ ନାଁରେ ଲିପିବଦ୍ଧ ହୋଇ ରହିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*