ଦିଲ୍ଲୀ ପ୍ରଦୂଷଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା ଏନସିଆରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ, ଉଲଂଘନ ହେଲେ ୧ଲକ୍ଷ ଜରିମାନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

“ବହୁତ ହୋଇଗଲା, ଦିଲ୍ଲୀରେ ଲୋକେ ପ୍ରଦୂଷଣ କାରଣରୁ ନିଜର ବହୂମୂଲ୍ୟ ଜୀବନ ହରାଇବାରେ ଲାଗିଛନ୍ତି । କ’ଣ ଆମେ ଏପରି ପରିବେଶ ମଧ୍ୟରେ ଜୀବିତ ରହିପାରିବା? ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଭୟାନକ ସ୍ଥିତିରେ ରହିଛି ଏବଂ କେହି ନିଜ ଘରେ ମଧ୍ୟ ସୁରକ୍ଷିତ ନାହାନ୍ତି । ଏଥିପାଇଁ ଦାୟୀ କିଏ ହେବ?” ବୋଲି ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷଭରା ଏବଂ ଭର୍ତ୍ସନାପୂର୍ଣ୍ଣ ସ୍ୱରରେ ପ୍ରଶ୍ନ କରିଥିଲେ । ଏଥିସହିତ ସୁପ୍ରିମକୋର୍ଟ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚôବାକୁ ଦୃଷ୍ଟିରେ ରଖି ଏନସିଆର ଅଞ୍ଚଳରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଏବଂ ଅଳତଆ ପୋଡା କାର୍ଯ୍ୟକୁ ନିଷିଦ୍ଧ ଘୋଷଣା କରିଥିଲେ । ଏହାସତ୍ତ୍ୱେ ଯିଏ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ହେବ, ତାଙ୍କ ଉପରେ ୧ଲକ୍ଷ ଟଙ୍କା ଜରିମାନା ଏବଂ ପୋଡାଜଳା କାର୍ଯ୍ୟରେ ନିୟୋଜିତ ଲୋକ ଉପରେ ୫ହଜାର ଟଙ୍କା ଜରିମାନା ଲଗାଇବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଆକ୍ଷେପ କରିବା ଛାଡି ଏହାକୁ କିପରି ରୋକାଯାଇପାରିବ, ସେନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏହି ଅବସରରେ ସୁପ୍ରିମକୋର୍ଟ କହିଥିଲେ । ଅଦାଲତ ଆସନ୍ତା ନଭେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣିବେଳେ ଉତ୍ତରପ୍ରଦେଶ, ହରିୟାନା ଏବଂ ପଞ୍ଜାବର ମୁଖ୍ୟ ସଚିବଙ୍କୁ ତଲବ କରିଥିବା ଜଣାପଡିଛି ।
ପ୍ରକାଶ ଥାଉ କି, ସୋମବାର ମଧ୍ୟ ଦିଲ୍ଲୀରେ ଏୟାର କ୍ୱାଲିଟୀ ଇନେ୍ଦକ୍ସ (ଏକୁ୍ୟଆଇ) ଅତ୍ୟନ୍ତ ଭୟାବହ ସ୍ତରରେ ରହିଛି । ଗୁଡଗାଓଁରେ ସର୍ବାଧିକ ଏକୁ୍ୟଆଇ ୮୦୦ ଥିବା ରେକର୍ଡ କରାଯାଇଛି, ଯାହାକି ଚଳିତ ବର୍ଷର ସର୍ବାଧିକ ପ୍ରଦୂଷିତ ସ୍ତର । ଅପରପକ୍ଷରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ କରିବା ସକାଶେ କେଜ୍ରିୱାଲ ସରକାର ସୋମବାରଠାରୁ ଦିଲ୍ଲୀରେ ଅଡ୍‌-ଇଭିନ୍‌ ଯୋଜନା ଲାଗୁ କରିଛନ୍ତି, ଯାହାକୁ ନେଇ ଆଜି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ।
ରାଜ୍ୟସରକାରଙ୍କୁ
ତୀବ୍ର ଭର୍ତ୍ସନା
ଦିଲ୍ଲୀରେ ବାୟୂ ପ୍ରଦୂଷଣ ପାଇଁ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖନ୍ଦପୀଠ ରାଜ୍ୟ ସରକାରମାନଙ୍କୁ ଦାୟୀ କରିଥିଲେ । କ୍ଷେତରେ ନଡା ପୋଡାକୁ ତୁରନ୍ତ ରୋକାଯାଉ । ରାଜ୍ୟସରକାରମାେନେ ଏଥିଲାଗି ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ । ରାଜ୍ୟ ସରକାରମାନେ କେବଳ ନିର୍ବାଚନରେ ଆଗ୍ରହ ଦେଖାନ୍ତି । ଅନ୍ୟ ସବୁ ଜିନିଷକୁ ଏମାନେ ମଜା ଭଳି ଦେଖିଥାନ୍ତି । ପ୍ରଶାସନ ଲୋକଙ୍କୁ ମରିବା ପାଇଁ ଛାଡି ଦେଇଛି । ଏହି ଅବସରରେ ଖନ୍ଦପୀଠ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ପ୍ରଦୂଷଣ ହ୍ରାସ ପାଇଁ ଲାଗୁ କରିଥିବା ଅଡ୍‌-ଇଭିନ୍‌ ଯୋଜନା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏଥିସହିତ ସୁପ୍ରିମକୋର୍ଟ ପଞ୍ଜାବ, ହରିୟାନା ଏବଂ ଉତ୍ତରପ୍ରଦେଶର ମୁଖ୍ୟ ସଚିବମାନଙ୍କୁ ବୁଧବାର କୋର୍ଟରେ ହାଜର ହେବାକୁ ସମନ୍‌ ଜାରି କରିଛନ୍ତି । ରାଜ୍ୟ ସରକାର କାହିିଁକି ନଡା ଜଳାକୁ ରୋକିବାରେ ବିଫଳ ହୋଇଛନ୍ତି ବୋଲି ପ୍ରଶ୍ନ କରିବା ସହ ରାଜ୍ୟ, ପୁଲିସ୍‌ ଏବଂ ସ୍ଥାନୀୟ ପ୍ରଶାସନକୁ ନଡା ଜଳା ଯେପରି ନହେବ ତାହା ସୁନିଶ୍ଚିତ କରିବା ସକାଶେ କହିଛନ୍ତି । ସେହିପରି ଆଗକୁ ଯଦି ଗୋଟିଏ ବି ନଡା ପୋଡା ଘଟଣା ସମାନାକୁ ଆସେ, ତେବେ ଏଥିପାଇଁ ଗ୍ରାମ ପ୍ରଧାନଙ୍କଠାରୁ ମୁଖ୍ୟ ସଚିବ ପର୍ଯ୍ୟନ୍ତ ଏଥିପାଇଁ ଉତ୍ତରଦାୟୀ ହେବେ । ସେମାନଙ୍କ ବିରୋଧରେ ଅଦାଲତ ଅବମାନନାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଥିବା ଜଣାପଡିଛି ।
ଜରୁରୀ ପରିସ୍ଥିତିରୁ
ବି ଖରାପ ସ୍ଥିତି
ଦିଲ୍ଲୀର ସ୍ଥିତି ଜରୁରୀ ସ୍ଥିତିଠାରୁ ବି ଅଧିକ ଖରାପ ହୋଇଯାଇଛି । ତେଣୁ ଧୂଳି କମ୍‌ କରିବା ସକାଶେ ଚାରିଆଡେ ଜଳ ସିଞ୍ଚନ କରାଯାଉ । ନିଦେ୍ର୍ଦଶର ଉଲଂଘନ କରି ନିର୍ମାଣ କାର୍ଯ୍ୟ କରୁଥିବା ଲୋକ ଏବଂ ଅଳିଆ ଆବର୍ଜନା ପୋଡୁଥିବା ଲୋକଙ୍କୁ ଯଥାକ୍ରମେ ୧ଲକ୍ଷ ଏବଂ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୋର୍ଟ କହିଥିଲେ । ପରବର୍ତ୍ତୀ ନିଦେ୍ର୍ଦଶ ଯାଏ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାନା ଏବଂ ୟୁପିରେ ପାୱାର କଟ୍‌ କରାନଯାଉ, ଏହାଦ୍ୱାରା ଡିଜେଲ ଜେନେରେଟର ଚଳାଯିବା ଉପରେ ରୋକ୍‌ ଲାଗିପାରିବ ବୋଲି କୋର୍ଟ କହିଥିଲେ ।
ସବୁ ବର୍ଷ ହେଉଛି, ହେଲେ କିଛି କରାଯାଉନାହିଁ
ପଞ୍ଜାବ, ହରିୟାନା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଯେଉଁଭଳିଭାବେ ନଡା ପୋଡା ଯାଇଥାଏ, ତାହା ଅତ୍ୟନ୍ତ ଚିନ୍ତାର ବିଷୟ । ଆମେ ସବୁ ବର୍ଷ ଏହାକୁ ଦେଖି ଅଣଦେଖା କରିପାରିବା ନାହିଁ । କିପରି ନିର୍ବୋଧଭାବେ ଲୋକେ ଏପରି କରି ଚାଲିଛନ୍ତି । ସବୁ ବର୍ଷ ଏନେଇ ସ୍ୱର ଉଠୁଛି । ତଥାପି ଏହା ଜାରି ରହିଛି । ରାଜ୍ୟ ସରକାର ସବୁ ଜାଣୁଛନ୍ତି, ହେଲେ କିଛି କରୁନାହାନ୍ତି ବୋଲି ସୁପ୍ରିମକୋର୍ଟ ଏହି ଅବସରରେ କହିଥିଲେ । ସେହିପରି କୃଷକମାନେ ଅନ୍ୟର ଜୀବନ ସହ ଖେଳ ଖେଳିପାରିବେ ନାହିଁ । ନିଜ ଜୀବିକା ପାଇଁ କୃଷକ ଅନ୍ୟର ଜୀବନ ନେଇପାରିବେ ନାହିଁ । ଯେଉଁଠାରେ ନଡା ଜଳା ନିୟନ୍ତ୍ରଣ ହେବନାହିଁ, ସେଠାକାର ମୁଖ୍ୟ ସଚିବଙ୍କୁ ଆମେ ସମନ୍‌ କରିବୁ । ଏଥିରେ ସଂପୃକ୍ତ ଥିବା ଲୋକେ ନିଜ ପଦ ମଧ୍ୟ ହରାଇପାରନ୍ତି ବୋଲି ଖନ୍ଦପୀଠ କହିଥିଲେ ।
ଅଡ୍‌-ଇଭିନ୍‌ ନେଇ ଉଠାଇଲେ ପ୍ରଶ୍ନ
ଦିଲ୍ଲୀ ସରକାରଙ୍କ ଅଡ୍‌-ଇଭିନ୍‌ ଯୋଜନା ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । ଏହି ଯୋଜନା ପ୍ରଦୂଷଣ ରୋକିବାରେ କିପରି ସହାୟକ ହେଉଛି, ତାହା ଦର୍ଶାଇବାକୁ କୋର୍ଟ କେଜ୍ରିୱାଲ ସରକାରଙ୍କୁ କହିଥିଲେ । ଯଦି ଅଡ-ଇଭିନ୍‌ ଲାଗୁ ସମୟରେ ଲୋକେ ନିଜ ଗାଡି ବ୍ୟବହାର ନକରି ଅଟୋ ଅବା ଟ୍ୟାକ୍ସି ବ୍ୟବହାର କରନ୍ତି, ତେବେ ଏହି ଯୋଜନାର ଫାଇଦା କ’ଣ ହେବ । ଟ୍ୟାକ୍ସି ଏବଂ ଅଟୋରେ ଅଧିକ ପ୍ରଦୂଷଣ ହୋଇଥାଏ । ତେଣୁ ଦିଲ୍ଲୀ ସରକାର ପରବର୍ତ୍ତୀ ଶୁଣାଣିବେଳେ ଏହି ଯୋଜନା ଦ୍ୱାରା କ’ଣ ଲାଭ ମିଳିଛି ତାହା ପ୍ରମାଣ ସହ ଲିଖିତ ଆକାରରେ ବତାନ୍ତୁ ବୋଲି ଖନ୍ଦପୀଠ କହିଥିଲେ ।
ସୂଚନାଯୋଗ୍ୟ ଯେ, ସୋମବାର ଦିଲ୍ଲୀ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣିବେଳେ କେନ୍ଦ୍ର ସରକାର ପକ୍ଷରୁ ବରିଷ୍ଠ ଓକିଲ ଅପରାଜିତା ସିଂହ ଏକ ସତ୍ୟପାଠ ଦାଖଲ କରି ପଞ୍ଜାବରେ ନଡା ପୋଡା ୭ ପ୍ରତିଶତ ହ୍ରାସ ପାଇଥିବାବେଳେ ହରିୟାନାରେ ଏଥିରେ ୧୭% ହ୍ରାସ ପାଇଛି ବୋଲି ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*