ଦିଲ୍ଲୀ କଂଗ୍ରେସର ନୂଆ ଅଧ୍ୟକ୍ଷ :ସସ୍‌ପେନ୍ସ ଜାରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ନୂଆଦିଲ୍ଲୀ

ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେ ନେଇ ଏବେ ବି ଜାରି ରହିଛି ସସ୍‌ପେନ୍ସ । ନୂଆ ଅଧ୍ୟକ୍ଷ ଘୋଷଣା ଶୁକ୍ରବାର ହେବାକୁ ଥିବା ବେଳେ ଏହାକୁ ଆଉ କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ସୂଚନା ଅନୁସାରେ, ନୂଆ ଅଧ୍ୟକ୍ଷ ପାଇଁ ପୂର୍ବ କ୍ରିକେଟର୍‌ କୀର୍ତ୍ତି ଆଜାଦ୍‌ଙ୍କ ନାମ ଉପରେ ସହମତି ବନିସାରିଛି । ହେଲେ ଔପଚାରିକ ଘୋଷଣାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଛିଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ଶୁକ୍ରବାର ସନ୍ଦୀପ ଦୀକ୍ଷିତ ପିସି ଚାକୋଙ୍କ ନାମରେ ଲେଖିଥିବା ଚିଠି ପରେ ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦ ଆଶଙ୍କାକୁ ନେଇ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ପିସି ଚାକୋ ଏକ ନୋଟ୍‌ ପ୍ରସ୍ତୁତ କରି ସୋନିଆଙ୍କ ଦସ୍ତଖତ ନିମନ୍ତେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ନିକଟକୁ ପଠାଇ ଥିଲେ । ଏହି ନୋଟ୍‌ରେ ଦୁଇଟି ନାମ ଥିଲା । ଗୋଟିଏ ହେଉଛି କୀର୍ତ୍ତିଙ୍କର ଏବଂ ଅନ୍ୟ ନାମଟି ହେଉଛି ସୁବାସ ଚୋପ୍ରାଙ୍କର । ସୋନିଆ କୀର୍ତ୍ତିଙ୍କ ନାମ ଉପରେ ମୋହର ମାରିଥିବା କୁହାଯାଉଛି । ତେବେ କୀର୍ତ୍ତିଙ୍କୁ ନେଇ ଦିଲ୍ଲୀ କଂଗ୍ରେସର କିଛି ନେତା ଖୋଲାଖୋଲି ମୁହଁ ଖୋଲିଲେଣି । ଏ ସମ୍ପର୍କରେ ଚାକୋ ଏବଂ ବେଣୁ ଗୋପାଳଙ୍କୁ ମଧ୍ୟ ଅବଗତ କରାଇ ସାରିଛନ୍ତି । ଦିଲ୍ଲୀର ସ୍ଥାନୀୟ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ବାହାରର କୌଣସି ନେତାଙ୍କ ନେତୃତ୍ୱକୁ ସ୍ୱୀକାର କରାଯିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*