ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି:୧ରୁ ଅନଶନରେ ବସିବେ କେଜ୍ରିୱାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବିରେ ଆସନ୍ତା ମାର୍ଚ୍ଚ ୧ରୁ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି । ବିଧାନସଭାରେ କେଜ୍ରିୱାଲ, ତାଙ୍କର ଏହି ଅନଶନ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବା ଯାଏ ଚାଲିବ ଏବଂ ସେ ଏଥିପାଇଁ ମୃତୁ୍ୟର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଦିଲ୍ଲୀ ଦେଖାଦେଇଥିବା ସଙ୍କଟ ପରିସ୍ଥିତିର ସମାଧାନ କେବଳ ଏପ୍ରକାର ପଦକ୍ଷେପ ଦ୍ୱାରା ହୋଇପାରିବ ବୋଲି କହିବା ସହ ଦିଲ୍ଲୀବାସୀ ମଧ୍ୟ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଁ ରାସ୍ତାକୁ ଓହ୍ଲାଇବା ଦରକାର ବୋଲି ସେ ଆହ୍ୱାନ ଦେଇଥିଲେ । ପରେ ସେ ଟ୍ୱିଟ୍‌ କରି ମୋ ଜୀବନରେ ଦିଲ୍ଲୀବାସୀ ମୋତେ ଯାହା ଦେଇଛନ୍ତି, ସେଥିପାଇଁ ମୁଁ ଦିଲ୍ଲୀ ନିକଟରେ ଚିର ଋଣୀ ହୋଇ ରହିବି । ଆଉ ଯଦି ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ମୁଁ ମରିବି ଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ । ଦିଲ୍ଲୀ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବାକୁ ହକ୍‌ଦାର, ତେଣୁ ଯେକୌଣସି ସ୍ଥିତିରେ ଏହାକୁ ହାସଲ କରାଯିବ ବୋଲି କହିଥିଲେ । ଉପରୋକ୍ତ ଘୋଷଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ମଧ୍ୟ ଏବାବଦ ସୂଚନା ଦେଇ ପୁରା ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗୁ ହୋଇଥିଲାବେଳେ ଦିଲ୍ଲୀରେ ଏପରି ହୋଇନାହିଁ । ଏଠାରେ ଜନତା ଭୋଟ କରି ସରକାର ମନୋନୟନ କରିଥାନ୍ତି । ହେଲେ ଏହି ସରକାରଙ୍କ ପାଖରେ କୌଣସି କ୍ଷମତା ନଥାଏ, ସମସ୍ତ କ୍ଷମତା କେନ୍ଦ୍ର ନିକଟରେ ଥାଏ । ତେଣୁ ମୁଁ ଆସନ୍ତା ମାର୍ଚ୍ଚ ୧ରୁ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛି ବୋଲି କହିଥିଲେ ।
ଯଦି ଆଗାମୀ ଲୋକସଭା ନିର୍ବାଚନରେ ଆପ୍‌ ଦିଲ୍ଲୀରେ ସମସ୍ତ ୭ଟି ଲୋକସଭା ଆସନରେ ବିଜୟୀ ହୁଏ, ତେବେ ଆସନ୍ତା ୨ ବର୍ଷ ମଧ୍ୟରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଯେପରି ମିଳିବ ତାହା ଆମେ ନିଶ୍ଚିତ କରିବୁ ବୋଲି କେଜ୍ରିୱାଲ କହିବାର ଦିନକ ପରେ ସେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିକଟରେ ସୁପ୍ରିମକୋର୍ଟ ପରୋକ୍ଷଭାବେ ଉପ-ରାଜ୍ୟପାଳଙ୍କୁ ଦିଲ୍ଲୀର କ୍ଷମତାକେନ୍ଦ୍ରଭାବେ ଦର୍ଶାଇଥିଲେ । ଯଦି କୌଣସି କାରଣରୁ ଦିଲ୍ଲୀ ସରକାର ଏବଂ ଉପ-ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ହୁଏ, ତେବେ ଉପ-ରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ବୈଧ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*