‘ଦିବ୍ୟାଙ୍ଗ ମହୋତ୍ସବ ୨୦୧୯’: କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କୁନି କୁନି ପିଲା । କଅଁଳିଆ ମନ । କାହା ପାଇଁ ଦୁନିଆ ଅନ୍ଧାର ତ ଆଉ କାହା ପାଇଁ ଜଡ଼ । କିଏ ଦୁନିଆକୁ ଦେଖି ଶୁଣି ପାରୁଥିଲେ ବି ଭାବ ପ୍ରକାଶ କରିବାରୁ ବଞ୍ଚିତ । ଶାରୀରିକ ଦୃଷ୍ଟିରୁ ଏହି ନିଷ୍ଫାପ ଜୀବନଗୁଡ଼ିକ ଦିବ୍ୟାଙ୍ଗ ହୋଇପାରନ୍ତି ହେଲେ ଦୁନିଆର ଭିନ୍ନ ମଣିଷ ନୁହଁନ୍ତି । ଏଠାରେ ଆୟୋଜିତ ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ୨୦୧୯ର ନିଚ୍ଛକ ଦୃଶ୍ୟପଟରୁ ଏହାର ଝଲକ ବାରି ହୋଇପଡ଼ିଥିଲା । ଦୀର୍ଘ ୫ ଘଣ୍ଟା ଧରି ସେମାନଙ୍କ ନାଚ, ଗୀତ ଏବଂ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେମାନଙ୍କ ସୃଜନଶୀଳତାର ମହକ ଦର୍ଶକଙ୍କ ଆଖିରୁ ଲୁହ ବୁହାଇ ଦେଇଥିଲା । ମହୋତ୍ସବର ମୁଖ୍ୟ ଅତିଥି ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଏହି ଦିବ୍ୟାଙ୍ଗ ପିଲାଙ୍କ ପ୍ରତିଭାରେ ଭାବପ୍ରବଣ ହୋଇଯାଇଥିଲେ । ତାଙ୍କ ଭାଷଣରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଏଭଳି ମହୋତ୍ସବ ଜରିଆରେ ସେମାନଙ୍କ ମୁହଁରେ ହସ ଫୁଟାଉଥିବା ଆୟୋଜକ ‘ବ୍ରିଙ୍ଗ୍ ସ୍ମାଇଲ୍’ ଏବଂ ‘ନନ୍ଦିନୀ’ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଦିବ୍ୟାଙ୍ଗ ମଣିଷ ସମାଜ ପାଇଁ ବୋଝ ନୁହଁନ୍ତି କି କାହା ଦୟାର ପାତ୍ର ନୁହଁନ୍ତି । ସାଧାରଣ ମଣିଷଙ୍କ ଭଳି ସେମାନେ ନିଜର ସୃଜନଶୀଳତା, ନିଷ୍ଠା ଓ ଅଧ୍ୟବସାୟ ବଳରେ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ । ଶାରୀରିକ ଅସହାୟତାକୁ ନେଇ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରାଯାଇପାରିବନି ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ ।“ଉତ୍ସବର ଅନ୍ୟତମ ଅତିଥି ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ କହିଥିଲେ, ଦିବ୍ୟାଙ୍ଗ ମଣିଷ ଭିନ୍ନ ଜାତିର ମଣିଷ ନୁହଁନ୍ତି । କୁନି କୁନି ଏହି ଦିବ୍ୟାଙ୍ଗ ପିଲାଙ୍କ ପ୍ରତିଭା ଆମ ସମସ୍ତଙ୍କୁ ଗର୍ବିତ କରୁଛି । ସେମାନଙ୍କୁ ଅବହେଳିତ ନ କରି ପ୍ରେରଣା ଦେବା ସମସ୍ତଙ୍କର କର୍ତ୍ତବ୍ୟ । ସେମାନଙ୍କ ମୁହଁର ହସ ଦୁନିଆ ମୁହଁରେ ଆନନ୍ଦ ଭରିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ବିପିନ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ “ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ-୨୦୧୯” ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ସେମାନଙ୍କ ନାଚ, ଗୀତ ଓ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ।
ମହୋତ୍ସବରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଯାଜ୍ଞସିନୀ ବିଶ୍ୱାଳ, ଇନ୍ଦୁଭୂଷଣ ଦାସ, ସୁଶାନ୍ତ କୁମାର ସାହୁ, ସଂପନ୍ନା ସାମଲ, ଜ୍ୟୋତ୍ସ୍ନା ଦାସ, ତ୍ରିଲୋଚନ ସାହୁ, ତ୍ରିନାଥ ଲେଙ୍କା, ହେମନ୍ତ ସିଂ, ସ୍ୱରାଜ ଷଡ଼ଙ୍ଗୀ ପ୍ରମୁଖଙ୍କୁ ଆନ୍ଧ୍ର ରାଜ୍ୟପାଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*