ଥାନାଧିକାରୀଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା- ଲାଠିଚାର୍ଜ : ୨ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ଭଦ୍ରକ ସହରରେ ଉତ୍ତେଜନା ପରିସ୍ଥିତି । ସୋମବାର ସନ୍ଧ୍ୟାରେ ପୁଲିସର ଦାଦାଗିରିକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିମାଡ଼ କରିଥିଲା ବେଳେ ଏଥିରେ ଦୁଇଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସହରର ପୁରୁଣା ବଜାର ଅଞ୍ଚଳରେ ଏହି ଘଟଣା ଘଟିଥିଲା ବେଳେ ସମସ୍ତ ଦୋକାନ ବଜାର ସନ୍ଧ୍ୟାରୁ ବନ୍ଦ ରହିଥିଲା । ଆଇଜି ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖାହେଲା ବେଳକୁ ବିଳମ୍ବିତ ରାତି ସୁଦ୍ଧା ଉତ୍ତେଜନା ଥମିନଥିଲା ।
ପୂର୍ବରୁ ପୁରୁଣା ବଜାର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ଦବଙ୍ଗଗିରି ନୀତିକୁ ନେଇ ସ୍ଥାନୀୟ ଲୋକେ ଅତିଷ୍ଠ ଥିଲେ । ସୋମବାର ପୁରୁଣାବଜାରର ସଙ୍କୁଚିତ ରାସ୍ତାରେ ଜଣେ ବ୍ୟବସାୟୀ ନିଜ ଦୋକାନ ଆଗରେ ନୂଆ ଲୁଗା ଓ ଅନ୍ୟ ପୋଷାକ ଡିସ୍‌ପ୍ଲେ ପାଇଁ ଝୁଲାଇଥିଲେ । ଏହାକୁ ଦେଖି ଆଇଆଇସି କାହିଁକି ଲୁଗା ବାହାରେ ଝୁଲାଇଛ କହି ବିରକ୍ତ ପ୍ରକାଶ କରିଥିଲେ ଏବଂ ଲୁଗାକୁ ଭିଡ଼ି ଫିଙ୍ଗି ଦେଇଥିଲେ । ଏହାକୁ ନେଇ ଦୋକାନୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପୁଲିସ ପୋଷାକର ପାୱାର କ’ଣ ଜାଣିଛ ବୋଲି ଓଲଟା ପ୍ରଶ୍ନ କରିଥିଲେ । ପରେ ସ୍ଥାନୀୟ ଲୋକେ ଓ ଅନ୍ୟ ଦୋକାନୀମାନେ ଏହାକୁ ବିରୋଧ କରିଥିଲେ । ଥାନାଧିକାରୀଙ୍କ ଏହି ବ୍ୟବହାରକୁ ସେମାନେ ନିନ୍ଦା କରିଥିଲା ବେଳେ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ଏଥିରେ ଦୁଇଜଣ ଲୋକ ଗୁରୁତର ଆହତ ହୋଇଥିଲା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ଘଟଣାକୁ ବିରୋଧ କରି ଦୋକାନୀମାନେ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ପୁଲିସର ଦୁର୍ବ୍ୟବହାରକୁ ନିନ୍ଦା କରି ସମର୍ଥନରେ ବାହାରକୁ ଆସିଥିଲେ । ପରିସ୍ଥିତି ଜଟିଳ ହେବା ଦେଖି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଜି ଏବଂ ଏସ୍‌ପି । ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ଶାନ୍ତ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନେ୍ଦାଳନ ବ୍ୟାପକ ହେବ ବୋଲି ଲୋକେ ଧମକ ଦେଇଥିଲେ । ଆଇଜି ଘଟଣାର ତଦନ୍ତ କରାଯାଇ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଖବର ଲେଖାହେଲା ବେଳକୁ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିଲା । ଦୁଇ ପ୍ଳାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*