ତି୍ରପୁରାରେ ଯଦି ଉଡ଼ିଲା ଭାଜପା ପତାକା, ଦିଦି ଯଦି ଦୋହଲି ଗଲେ ବଙ୍ଗରେ, ଓଡ଼ିଶାରେ ହେଉନି କାହିଁକି?. ଜଟିଳ ପ୍ରଶ୍ନର ଉତ୍ତର କାହା ପାଖରେ ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଜେପୁରରେ ଭାରତୀୟ ଜନତା ପାର୍ଟିର ପ୍ରଦର୍ଶନକୁ ନେଇ ବଡ଼ ଆକ୍ଷେପ କରିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ସର୍ବକାଳୀନ ରେକର୍ଡ଼ ଭୋଟ୍‌ରେ ବିଜେପୁର ଉପନିର୍ବାଚନରେ ବିଜୟୀ ହୋଇଥିବାରୁ ଭାଜପାକୁ ଆକ୍ଷେପ କରି ବିଜଦର ତୃତୀୟ ଧାଡ଼ିର ନେତା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ କହିଛନ୍ତି, ଏହି ଦଳର ସ୍ଥିତି ଓ ଅସ୍ଥିତ୍ୱ କ’ଣ ତାହା ବୁଥ୍‌ୱାରୀ ଭୋଟ୍‌ରୁ ଜାଣିପାରୁଥିବ ଦଳ । ଏହାକୁ ଭାଜପା ନେତାମାନେ କେଉଁ ଦୃଷ୍ଟିରୁ ନେବେ, ସେମାନେ ଜାଣନ୍ତି । କିନ୍ତୁ ଉପନିର୍ବାଚନ ଫଳ ଯେ ଭାଜପାର ବିଶ୍ୱାସ ଏବଂ ଆସ୍ଥାକୁ ଦୋହଲାଇ ଦେଇଛି, ଏଥିରେ ସନେ୍ଦହ ନାହିଁ ।
ସାମାଜିକ ଗଣମାଧ୍ୟମରେ ରାଜନୀତିରେ ରୁଚି ରଖୁଥିବା ଯୁବ ସାହିତି୍ୟକ ଅମିତାଭ ଖିଲାର ଲେଖିଛନ୍ତି, ଯଦି ତ୍ରିପୁରାରେ ବାମଦଳର ଗଡ଼କୁ ଧ୍ୱସ୍ତ ବିଧ୍ୱସ୍ତ କରି ଭାଜପା ସେଠାରେ ନିଜ ପତାକା ଉଡ଼ାଇ ପାରୁଛି, ପଶ୍ଚିମବଙ୍ଗରେ ମମତା ଦିଦିଙ୍କୁ ଦୋହଲାଇ ସାରିଲାଣି ଭାଜପା, ତେବେ ଓଡ଼ିଶାରେ ନବୀନଙ୍କ ଶାସନକୁ କାହିଁକି ଦୋହଲାଇ ପାରୁନାହିଁ ଏହି ଦଳ? ପ୍ରତିପକ୍ଷର ସ୍ୱାଭାବିକ ସମାପ୍ତିକୁ ଅପେକ୍ଷା କରି ରହିଛି କି ଭାରତୀୟ ଜନତା ପାର୍ଟି ।
ବଡ଼ ଗହନ ପ୍ରଶ୍ନ ଏବଂ ମନ୍ତବ୍ୟ ରହିଛି ଏହା ଭିତରେ । ନବୀନ ପଟନାୟକ ୧୯୯୭ରେ ରାଜନୀତିକୁ ଆସିବା ବେଳେ ସମ୍ପୂର୍ଣ୍ଣ ରାଜନୀତି ଅନଭିଜ୍ଞ ଥିଲେ । ନା ନେତାମାନଙ୍କୁ ଜାଣିଥିଲେ, ନା ଓଡ଼ିଶା ବାବଦରେ ଥିଲା ରୁଚି । ୨୨ ବର୍ଷ ପରେ ମଧ୍ୟ ସେ ଓଡ଼ିଶାକୁ ଭଲ ଭାବେ ଚିହ୍ନିପାରି ନାହାନ୍ତି । ନା ଭାଷା, ନା ସଂସ୍କୃତି । ଅଥଚ ଭୋଟରଙ୍କ ନାଡ଼ି ଭଲ ଭାବେ ଚିପି ଜାଣିଛନ୍ତି ନବୀନ । ଏହି କାରଣରୁ ୨୦୦୦ ମସିହା ଠାରୁ ଅବଧି ସେ ଅଛନ୍ତି ମୁଖ୍ୟମନ୍ତ୍ରୀ ଗାଦିରେ । ଏକ ପ୍ରକାର ଅପରାଜେୟ ସେ । ୨୦୧୪ର ମୋଦୀ ହାୱାକୁ ରୋକିଦେଲେ ଓଡ଼ିଶାରେ । ୨୦୧୯ରେ ମୋଦୀଙ୍କୁ ସାରା ଭାରତର ସମର୍ଥନ ମିଳିବା ସତ୍ତ୍ୱେ ଓଡ଼ିଶା ତାଙ୍କୁ ନିରାଶ କରିଥିଲା । ଯଦିଓ ଲୋକସଭା ଆସନଗୁଡ଼ିକରେ ଅନେକ ମାତ୍ରାରେ ସଫଳ ହୋଇଥିଲା ଭାଜପା, ମାତ୍ର ନବୀନ ଶାସନକୁ ଚ୍ୟାଲେଞ୍ଜ ଦେଲା ଭଳି ସଂଖ୍ୟା ଜୁଟାଇ ପାରିଲା ନାହିଁ ଏହି ଦଳ । ବିଜେପୁର ଉପନିର୍ବାଚନ ହେଉଛି ଆଉ ଏକ ବଡ଼ ସଙ୍କେତ । ୨୦ ବର୍ଷ ଭିତରେ କୌଣସି ଗୋଟିଏ ହେଲେ ଉପନିର୍ବାଚନ ହାରିନାହିଁ ବିଜୁ ଜନତା ଦଳ । ଏହା ମଧ୍ୟ ଭିନ୍ନ ଏକ ରେକର୍ଡ଼ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ ସ୍ଲୋଗାନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା କୈନ୍ଦ୍ରୀକ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ କାର୍ଯ୍ୟକ୍ରମ ସତ୍ତ୍ୱେ ଓଡ଼ିଶାରେ ଭାଜପା ଏକ ସମ୍ଭାବନା ସୃଷ୍ଟି କରିବାରେ ବିଫଳ ହେଲା କାହିଁକି? ଜଣେ ତଳ ସ୍ତରର ବିଜଦ ନେତା ଭାଜପାକୁ ସ୍ଥିତି ଓ ଅସ୍ଥିତ୍ୱ ମନେ ପକାଇବାକୁ ସାହସ କଲେ କେମିତି?
ନବୀନଙ୍କୁ ସିଧାସଳଖ ପରାଜିତ କରିବାର ସାମର୍ଥ୍ୟ ଓ ସାହସର ଅଭାବ ଅଛି କି ଭାରତୀୟ ଜନତା ପାର୍ଟି ପାଖରେ? ନବୀନ ଯୁଗର ଶେଷ ପରେ କ୍ଷମତା ଦଖଲ କରିବାର ଅଭିପ୍ରାୟରେ ଅଛି କି ଭାଜପା? ଏକଥା ସତ, କଂଗ୍ରେସର ପତନ ପରେ ଭାଜପାର ଭୋଟ୍‌ ହାର ବଢ଼ିଛି । ଗତ ଲୋକସଭାରେ ଭାଜପା ଏବଂ ବିଜଦ ମଧ୍ୟରେ ଭୋଟ ହାର ଯଥେଷ୍ଟ କମିଯାଇଥିଲା । ୨୦୧୪ରେ ଭାଜପା ଲୋକସଭାରେ ୨୨ ପ୍ରତିଶତ ଭୋଟ ପାଇଥିଲା । କିନ୍ତୁ ଏହା ୨୦୧୯ରେ ୩୮ ପ୍ରତିଶତରୁ ଟପିଗଲା । ୨୦୧୯ରେ ବିଜଦର ଭୋଟ ୨ପ୍ରତିଶତ ହ୍ରାସ ପାଇ ପହଞ୍ଚôଲା ୪୨.୮ ପ୍ରତିଶତରେ । ବିଧାନସଭାରେ ଭାଜପାର ଭୋଟ୍‌ ହାର ୧୮ରୁ ଡେଇଁ ପ୍ରାୟ ୩୩ ପ୍ରତିଶତରେ ପହଞ୍ଚô ଥିଲା । କିନ୍ତୁ ଏହା ସେହି ପରିମାଣରେ ଆସନରେ ରୂପାନ୍ତରିତ ହୋଇପାରିଲା ନାହିଁ ।
ଏହାର ବଡ଼ କାରଣ ହେଲା, ଭାଜପା ହାଇକମାନ୍ଦଙ୍କର ନବୀନଙ୍କ ଦୁର୍ନୀତିକୁ ପରୋକ୍ଷ ସମର୍ଥନ । ଚିଟ୍‌ଫନ୍ଦ ଦୁର୍ନୀତିର ସିବିଆଇ ତଦନ୍ତ ଅଟକି ଯିବା, ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦିଆ ନଯିବା, ବ୍ଲାକ୍‌ରୋଜ୍‌ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇ ନପାରିବା ଇତ୍ୟାଦି ଇତ୍ୟାଦି ଘଟଣାଗୁଡ଼ିକ ଭୋଟର୍‌ଙ୍କ ମନରେ ଯେଉଁ ସନେ୍ଦହ ସୃଷ୍ଟି କଲା, ତାହାର ପରାଭବ ଗତ ନିର୍ବାଚନରେ ଭାଜପା ଭୋଗିଥିଲା ଏବଂ ଆଗକୁ ମଧ୍ୟ ଭୋଗିବ । ରାଜ୍ୟସଭା ଚାପ ଯୋଗୁଁ ବିଜଦ ସମର୍ଥନ ହାସଲ ସକାଶେ ସବୁ ଦୁର୍ନୀତିକୁ ଆଖି ବୁଜିଥିଲେ ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ । ମୋଦୀ-ଶାହାଙ୍କୁ ଖୁସି କରିବା ପାଇଁ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଦେଲେ ନବୀନ ପଟନାୟକ । ସଂସଦରେ ସରକାରଙ୍କୁ ଆଖିବୁଜି ସମର୍ଥନ କଲା ବିଜଦ । ତେଣୁ ଦୁଇ ଦଳ ଭିତରେ ଖୋଲା ବୁଝାମଣା ଚାଲିଛି ବୋଲି ଭୋଟରମାନେ ଧରି ନେଲେ । ଏଣୁ ଭାଜପାକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ସକାଶେ ଯେଉଁ ବାତାବରଣ ସୃଷ୍ଟି ହୋଇଥିଲା, ତାହା ୨୦୧୯ ନିର୍ବାଚନ ପୂର୍ବରୁ ହିଁ ଖତମ୍‌ ହୋଇସାରିଥିଲା । ଆଗକୁ ଏଥିରେ କୌଣସି ପରିବର୍ତ୍ତନର ସୂଚନା ମିଳିବ ନାହିଁ ବୋଲି ବିଜେପୁର ସ୍ପଷ୍ଟ କରିଦେଲା ।
ନବୀନ ଚାଲିଗଲା ପରେ କ୍ଷମତାକୁ ଫେରିବାର ସକାଶେ ଯେଉଁ ସ୍ୱପ୍ନ ଦେଖୁଛି ଭାଜପା, ତାହା ହୁଏତ ପୂରଣ ହୋଇପାରିବ ନାହିଁ । ପ୍ରଥମ କାରଣଟି ହେଲା, ନବୀନ ମୁଖୋଟା । ଶାସନ ଏବଂ ଦଳ ଅନ୍ୟ କେହି ଚଳାଇ ଆସୁଛି । ନବୀନଙ୍କ ଭାବମୂର୍ତ୍ତି ଏହାକୁ ଅଧିକ ସାହାଯ୍ୟ କରୁଛି । ଭୋଟ ଜିଣିବାର ସବୁ ଉପାୟ ନବୀନ କରନ୍ତି ନାହିଁ । ଏବେ ସେ ଅଧିକ ବୁଲାବୁଲି କରିପାରୁ ନାହାନ୍ତି । ସବୁ କ୍ଷମତା ଧିରେଧିରେ ତାଙ୍କ ୫-ଟି ସଚିବଙ୍କ ପାଖରେ କେନ୍ଦ୍ରୀଭୂତ ହୋଇଗଲାଣି । ସେ ହିଁ ଦଳ ଓ ସରକାରଙ୍କୁ ପରିଚାଳନା କରୁଛନ୍ତି ବୋଲି ଯେଉଁ ଚର୍ଚ୍ଚା ଚାଲିଛି, ତାହାକୁ ହସରେ ଆଉ ଉଡ଼ାଇ ଦିଆଯାଇ ପାରିବ ନାହିଁ । ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ, ମାର୍ଚ୍ଚ ୫ ତାରିଖରେ ସବୁ ବିଭାଗ ମୋ ସରକାରଙ୍କ ଅଧୀନକୁ ଆସିବ । ମୋ ସରକାରରେ ଚାଲିବ ୫-ଟି । ଏହି ବିଭାଗର ସଚିବ ଭିକେ ପାନ୍ଦିଆନ୍‌ । ବିଭାଗରେ କେହି ମନ୍ତ୍ରୀ ରହିବେ ନାହିଁ । ସୁତରାଂ ଆଉ ଅଛପା ନାହିଁ ଯେ, କିଏ ଘୋଷିତ ସର୍ବେସର୍ବା ହୋଇଯିବେ ।
ସରକାର ଅକ୍ଟୋବର ୨ରୁ ଆରମ୍ଭ କରିଥିଲେ ‘ମୋ ସରକାର’ । ମୋ ସରକାର ପାଇଁ ପ୍ରଥମ ବିପୁଳ ସଫଳତା ଆସିଲା ବିଜେପୁରରୁ । ଅକ୍ଟୋବର ୨୫ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆଉ ଏକ ଯୋଜନା ‘ଓଡ଼ିଶା- ମୋ ପରିବାର’ । ଯେଉଁସବୁ ଯୋଜନା ହେଉଛି, ତାହା ଗୋଟିଏ ଗୋଟିଏ ନାଟକ । କିନ୍ତୁ ବିରୋଧୀ ଦଳର ଦୁର୍ବଳତା ହିଁ ଏହିସବୁ ନାଟକକୁ ଲୋକଙ୍କ ପାଖରେ ଆଦୃତ କରାଇବାରେ ସାହାଯ୍ୟ କରୁଛି । ନବୀନଙ୍କ ଉତ୍ତରାଧିକାରୀ ଯିଏ ହେଉ ନା କାହିଁକି, ଯେଉଁ ବ୍ୟକ୍ତି ଏବେ ସରକାର ଏବଂ ଦଳ ଚଳାଉଛନ୍ତି, ସେତେବେଳେ ସେ ହିଁ ଦଳ ଚଳାଇବେ । ସମାନ ଟେକ୍‌ନିକ୍‌ ଏବଂ ଭୋଟ୍‌ ଜିଣିବାର ସବୁ ସୂକ୍ଷ୍ମ ଉପାୟ ତାଙ୍କୁ ଜଣା । ତେଣୁ ବିଜଦ ଭୋଟ ନବୀନଙ୍କ ପରେ ଭାଜପା ହାତକୁ ଆସିବ ବୋଲି ଏହାର ନେତାମାନେ ଗ୍ୟାରେଣ୍ଟି ଦେଇପାରିବେ ନାହିଁ ।
ଯେପର୍ଯ୍ୟନ୍ତ ବିଜୁ ଜନତା ଦଳର ଭିତ୍ତି ଦୋହଲାଇବାକୁ ଭାଜପା ସମର୍ଥ ହେବ ନାହିଁ, ସେ ପର୍ଯ୍ୟନ୍ତ କ୍ଷମତା ସ୍ୱପ୍ନ ନଦେଖିବା ଭଲ । ସେହି ପୁରୁଣା ପ୍ରଶ୍ନ, ଯଦି ତ୍ରିପୁରାରେ ଭାଜପା ପତାକା ଉଡ଼ିପାରିଲା, ପଶ୍ଚିମବଙ୍ଗରେ ଦିଦି ଦୋହଲି ଯାଇପାରିଲେ, ତେବେ ଓଡ଼ିଶାରେ କାହିଁକି ନୁହେଁ ଭାଜପା? ଏହାର ଉତ୍ତର ହେଲା, ରାଜ୍ୟସଭା ଚାପରୁ ବାହାରି ନବୀନ ସରକାରଙ୍କୁ ଦୋହଲାଇବାର ଅସ୍ତ୍ର ଯଦି ମୋଦୀ ସରକାର ଠିକ୍‌ ସମୟରେ ଏବଂ ଠିକଣା ଢଙ୍ଗରେ ପ୍ରୟୋଗ କରନ୍ତି, ତେବେ ଓଡ଼ିଶାରେ ମଧ୍ୟ ଉଡ଼ିବ ଭାଜପା ବାନା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*